ବିଶ୍ବକପ୍ ସଂଗୀତର ବିଜ୍ଞାପନ ଆରମ୍ଭ

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ଆନୁଷ୍ଠାନିକ ସଂଗୀତ ‘ଜୟ ହିନ୍ଦ୍…ହିନ୍ଦ୍‌…ଜୟ ଇଣ୍ଡିଆ’ର ବିଜ୍ଞାପନ ପ୍ରଚାର ଆରମ୍ଭ ହୋଇଛି। ଖ୍ୟାତନାମା ଗୀତିକାର ସେଖ୍ ଗୁଲଜାରଙ୍କ ଲିଖିତ ଏହି ସଂଗୀତକୁ ଗାଇଛନ୍ତି ଓସ୍କାର ବିଜେତା ଏଆର ରହମାନ। ସଂଗୀତର ମୁଖଡ଼ାରେ ଓଡ଼ିଶାର ଆଦିବାସୀ ନୃତ୍ୟ ସହିତ କଳିଙ୍ଗ ଷ୍ଟାଡିୟମର ଆକାଶମାର୍ଗ ଦୃଶ୍ୟ ପ୍ରଦର୍ଶିତ ହୋଇଛି। ରବିବାର ଏଆର ‌ରହମାନ ସଂଗୀତର ଝଲକକୁ ଟ୍ବିଟ୍ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଭାରତର ହକି‌ପ୍ରେମୀ ଏବଂ ସେମାନଙ୍କ ଉତ୍ସାହକୁ ଏଥିରେ ପ୍ରତିଫଳିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ସଂଗୀତ ସହିତ ଭୁବନେଶ୍ବର ଓ କଟକରେ ହେବାକୁ ଥିବା ରହମାନଙ୍କ କାର୍ଯ୍ୟକ୍ରମକୁ ଏବେ ଅପେକ୍ଷା ରହିଲା ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦର ପ୍ରତି ଧନ୍ୟବାଦ ମଧ୍ୟ ଦେଇଥିଲେ ରହମାନ। ସୂଚନାଯୋଗ୍ୟ, ନଭେମ୍ବର ୨୭ରେ ଭୁବନେଶ୍ବର ଏବଂ ୨୮ରେ କଟକରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ୍ ଉଦ୍‌ଘାଟନୀ ଉତ୍ସବରେ ରହମାନ ଏହାକୁ ଗାଇବେ।

ସମ୍ବନ୍ଧିତ ଖବର