କୋହଲିଙ୍କୁ ଯୁବିଙ୍କ ଭାବପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ପୂର୍ବତନ ଅଧିନାୟକ ତଥା ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ନାୟକ ବିରାଟ କୋହଲିଙ୍କୁ ଭାବପୂର୍ଣ୍ଣ ପତ୍ର ଲେଖିଛନ୍ତି। କୋହଲିଙ୍କ ଏକାଗ୍ରତା ଏବଂ କ୍ରିକେଟ୍ ପ୍ରତି ଥିବା ଉତ୍ସର୍ଗୀକୃତ ଭାବନାକୁ ଯୁବି ଏଥିରେ ଭୂୟସୀ ପ୍ରଶଂସା କରିଛନ୍ତି। ସେ କିଭଳି ଆଗାମୀ ପିଢ଼ି ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ପାଲଟିଛନ୍ତି, ତାକୁ ନିଚ୍ଛକ ଭାବେ ବର୍ଣ୍ଣନା କରିଛନ୍ତି ଯୁବି।

‘‘ବିରାଟ, ତୁମ ବିକାଶକୁ ମୁଁ ସ୍ବଚକ୍ଷୁରେ ଦେଖିଛି। ବିଗତ ବର୍ଷଗୁଡ଼ିକରେ ତୁମେ ଜଣେ କ୍ରିକେଟର ଭାବେ ଏବଂ ବ୍ୟକ୍ତିଗତ ଜୀବନରେ ଢେର ଉପରକୁ ଉଠିଛ। ନେଟ୍ସର ସେହି କୁନି ବାଳକଠାରୁ ଭାରତୀୟ କ୍ରିକେଟ୍‌ର କିଂବଦନ୍ତି ତାରକାଙ୍କ କାନ୍ଧ ସହ କାନ୍ଧ ମିଳାଇ ଆଗକୁ ବଢ଼ିଛ। ନୂଆ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ପାଲଟିବା ସହ ନିଜେ କିଂବଦନ୍ତି ପାଲଟିଯାଇଛ। ନେଟ୍‌ରେ ତୁମ ଶୃଙ୍ଖଳିତ ଖେଳ, ପଡ଼ିଆ ଭିତରେ କ୍ରିକେଟ୍ ପ୍ରତି ଭଲପାଇବା ଏବଂ ଏକାଗ୍ରତା, ଭାରତର ପ୍ରତିଟି ଉଦୀୟମାନ ବାଳକ ବାଳିକାଙ୍କୁ ବ୍ୟାଟ୍ ଧରି, ନୀଳ ଜର୍ସି ପିନ୍ଧିବାର ସ୍ବପ୍ନ ଦେଖିବା ଲାଗି ଉତ୍ସାହିତ କରିଛ। ପ୍ରତ୍ୟେକ ବର୍ଷ ତୁମେ ତୁମ କ୍ରିକେଟ୍‌ର ସ୍ତର ବଢ଼ାଇଛ। ଏହି ଚମତ୍କାର ଖେଳରୁ (କ୍ରିକେଟ୍‌ରେ) ତୁମେ ଅନେକ କିଛି ହାସଲ କରିସାରିଛ। ତୁମେ ଜଣେ ମହାନ ଅଧିନାୟକ ଏବଂ ଚମତ୍କାର ‌ନେତା। ତୁମ ଭିତରର ନିଆଁକୁ ସବୁବେଳେ ଏମିତି ଜଳାଇ ରଖ। ତୁମେ ଜଣେ ମହାନାୟକ। ଦେଶକୁ ଗର୍ବିତ କରିବା ଜାରି ରଖ’’। ତା’ ସହ କୋହଲିଙ୍କୁ ଯୁବି ‘ପୁମା’ କଂପାନିର ସ୍ବର୍ଣ୍ଣିମ ଜୋତା ଉପହାର ଦେଇଛନ୍ତି।

ସମ୍ବନ୍ଧିତ ଖବର