୧୦ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିଲା କରୋନା ଆକ୍ରାନ୍ତଙ୍କ ଶବ

ବିଳମ୍ବିତ ରାତିରେ ଗାତ ଖୋଳି ପୋତିଲା ପ୍ରଶାସନ

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ ଶିରୋମଣିପୁର ଗାଁରେ ଗତକାଲି ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ। କରୋନାରେ ଆକ୍ରାନ୍ତଙ୍କ ଜଣେ ବ୍ୟକ୍ତିଙ୍କ ଶବ ସତ୍କାର ହୋଇ ନପାରି ଘଣ୍ଟା ଘଣ୍ଟା ପଡ଼ି ରହିଥିଲା। ସମ୍ପର୍କୀୟ କିମ୍ବା ଗ୍ରାମବାସୀ କେହି ବି ଶବର ପାଖ ମାଡ଼ ନଥିଲେ। ଶେଷରେ ବିଳମ୍ବିତ ରାତିରେ ପୁଲିସ ସହଯୋଗରେ ଶବକୁ ପୋତି ଦିଆଯାଇଥିଲା।

ସୂଚନା ମୁତାବକ, ଏହି ଗ୍ରାମର ଅନାମ ନାୟକ(୪୬) କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଥିଲେ। ଗତକାଲି ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ତାଟୋ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୪ଟାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କୋଭିଡ୍‌ କେୟାର ସେଣ୍ଟର କର୍ତ୍ତୃପକ୍ଷ ଗାଁରେ ମୃତଦେହ ପହଞ୍ଚାଇ ଦେଇଥିଲେ। ଶବ ସତ୍କାର ପାଇଁ ଯଶିପୁର ଡାକ୍ତରଖାନା ପକ୍ଷରୁ ପିପିଇ କିଟ୍‌ ମଧ୍ୟ ଯୋଗାଇ ଦିଆଯାଇଥିଲା। ତଥାପି ସଂକ୍ରମଣ ଭୟରେ କେହି ସତ୍କାର କରିବାକୁ ରାଜି ହୋଇନଥିଲେ।

ଖବର ପାଇ ଯଶିପୁର ଥାନା ଆଇଆଇସି ରଞ୍ଜନ କୁମାର ସେଠୀ ପହଞ୍ଚି ମୃତକଙ୍କ ଦୂର ସମ୍ପର୍କୀୟଙ୍କୁ ଖବର ପଠାଇଥିଲେ। ହେଲେ ତଥାପି ‌କେହି ଆସିନଥିଲେ। ମୃତଦେହ ଅଧିକ ସମୟ ପଡ଼ି ରହିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ଖବରପାଇ ତହସିଲଦାର ରତନଲାଲ ମୁଣ୍ଡା, ବିଡିଓ ହୃଦାନନ୍ଦ ଓଦା, ସହକାରୀ ଯନ୍ତ୍ରୀ ସପନ ପ୍ରଧାନ ପ୍ରମୁଖ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷରେ ରାତି ପ୍ରାୟ ୨.୩୦ ସମୟରେ ଏକ ଜେସିବି ବ୍ୟବସ୍ଥା କରି ଗାଁଠାରୁ ଦୂରରେ ଗାତ ଖୋଳି ମୃତଦେହ ପୋତି ଦେଇଥିଲା ପ୍ରଶାସନ। ଏହି କାର୍ଯ୍ୟରେ ପୁଲିସ କର୍ମଚାରୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର