୧୮୦୦ ବର୍ଷ ପ୍ରାଚୀନ ବ୍ରାହ୍ମୀ ଶିଳାଲେଖ ମିଳିଲା, ତୃତୀୟ ସର୍ବ ପୁରାତନ ଶିଳାଲେଖ!

ପୁରୀ : ପ୍ରତ୍ନତାତ୍ତ୍ବିକ ଅନ୍ବେଷଣରୁ ୧୮୦୦ ବର୍ଷ ତଳର ପ୍ରାଚୀନ ବ୍ରାହ୍ମୀ ଶିଳାଲେଖ ସ୍ତମ୍ଭର ସନ୍ଧାନ ମିଳିଛି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଧାନକେରା ପଞ୍ଚାୟତର ପ୍ରଚଣ୍ଡପୁର ଗ୍ରାମ ନିକସ୍ଥ ପ୍ରଚଣ୍ଡେଶ୍ବର ମନ୍ଦିର ନିକଟରେ ଏହି ଶିଳାଲେଖ ସ୍ତମ୍ଭ ଉଦ୍ଧାର ସହ ଏହାର କାଳଖଣ୍ଡ ନିର୍ଦ୍ଧାରଣ କରିଛନ୍ତି ପୁରାତତ୍ତ୍ବ ବିଶେଷଜ୍ଞ।

ସୂଚନା ଅନୁସାରେ, ଏହିସ୍ତମ୍ଭରେ ବ୍ରାହ୍ମୀ ଭାଷାରେ ‘ସିଂହଗତସ୍ୟ’ ଲେଖାଯାଇଛି। ଅନ୍ୟ ଏକ ସ୍ଥାନରେ ‘ରଲାଟ’ ବୋଲି ଉଲ୍ଲେଖ ରହିଛି। ରଲାଟ ଶବ୍ଦଟି ସମ୍ଭବତଃ ଜଣେ ଶିଳ୍ପୀଙ୍କ ନାମ ବୋଲି ଅନୁମାନ କରାଯାଉଛି। ଏହି ଲେଖାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ମହିଶୂର ଶିଳାଲେଖ ଶାଖାର ପୂର୍ବତନ ମୁଖ୍ୟ ନିର୍ଦ୍ଦେଶକ ଚିହ୍ନଟ କରିଛନ୍ତି। ଶିଳାଲେଖଟି ଦ୍ବିତୀୟ ଶତାବ୍ଦୀର ବ୍ରାହ୍ମୀଲିପି। ଅଶୋକଙ୍କ ଧଉଳି ଶିଳାଲେଖ ୨୩୦୦ ବର୍ଷର ପୁରୁଣା ହୋଇଥିବା ବେଳେ ଖାରବେଳଙ୍କ ଉଦୟଗିରି ହାତୀଗୁମ୍ଫା ଶିଳାଲେଖ ୨୧୦୦ ବର୍ଷ ପ୍ରାଚୀନ। ସମ୍ଭବତଃ ଏହି ଶିଳାଲେଖଟି ତୃତୀୟ ସର୍ବପୁରାତନ ଶିଳାଲେଖ ବୋଲି ଅନୁମାନ କରାଯାଉଛି।

ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ସ୍ନାତକୋତ୍ତର ବିଭାଗର ସହକାରୀ ପ୍ରଧ୍ୟାପକ ଡ.ଅନାମ ବେହେରା ଓ ବିଭାଗର ଗବେଷକ ଅମିତ କୁମାର ପ୍ରଧାନ, ଶକ୍ତିପ୍ରସାଦ ମିଶ୍ରଙ୍କ ଦ୍ବାରା ଏହି ଶିଳାଲେଖଟି ଚିହ୍ନଟ କରାଯାଇଛି। ଡ.ବେହେରା କହିଛନ୍ତି, ଶିଳାଲେଖରେ ଏକ ଚକ୍ରର ଚିତ୍ର ରହିଛି। ସେଇ ଚିତ୍ର ପାଖରେ ବ୍ରାହ୍ମୀ ଲିପିରେ ଦୁଇଟି ଶବ୍ଦ ଭିନ୍ନ ଭିନ୍ନ ସ୍ଥାନରେ ଉଲ୍ଲେଖ ରହିଛି। ସମ୍ଭବତଃ ଏହି ଚକ୍ର ଚିହ୍ନକୁ ହୀନଯାନ ବୌଦ୍ଧ ଧର୍ମର ଏକ ସଙ୍କେତ। ଏହି ଚକ୍ର ଚିହ୍ନର ନିମ୍ନ ଭାଗରେ ପଶୁ ଓ ମଣିଷ ମଧ୍ୟରେ ଶୃଙ୍ଗାରର ଚିତ୍ର ରହିଛି। ବୌଦ୍ଧ ଧର୍ମରେ ‘ଗଧର୍ବ ସୁକରୀ’ ଉପାଖ୍ୟାନ ଭାବେ ଏହାକୁ ବିବେଚନା କରାଯାଏ। ଏହିଭଳି ଗଧର୍ବ ସୁକରୀ ଚିତ୍ର ସହିତ ଦୁଇଟି ଶିଳାଲେଖ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ରତ୍ନଗିରି ବୌଦ୍ଧପୀଠରେ ମଧ୍ୟ ଦେଖିବାକୁ ମିଳେ। କିନ୍ତୁ, ସେହି ଶିଳାଲେଖ ବ୍ରାହ୍ମିଲିପିରେ ଲେଖାଯାଇ ନାହିଁ ବୋଲି ସେ କହିଛନ୍ତି।

‘ହୀନଯାନ ବୌଦ୍ଧ ଧର୍ମରେ ବୁଦ୍ଧଙ୍କୁ ମୂର୍ତ୍ତି ଆକାରରେ ଉପସ୍ଥାପନା କରାଯାଇନଥିଲା। ବରଂ, ବୁଦ୍ଧଙ୍କୁ ବିଭିନ୍ନ ସାଙ୍କେତିକ ଚିହ୍ନ ମାଧ୍ୟମରେ ଉପସ୍ଥାପନ କରାଯାଉଥିଲା। ବିଶେଷକରି, ଚକ୍ର ଓ ଧର୍ମଚକ୍ର ରୂପରେ ତାଙ୍କୁ ଦର୍ଶାଯାଉଥିଲା। ଏହି ଶିଳାଲେଖ ସମେତ ଏଥିରେ ଥିବା ଚିତ୍ର ଓ ମୂର୍ତ୍ତି ବାବଦରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏହା ତତ୍କାଳୀନ ବ୍ୟବସ୍ଥାବଳୀ ଓ ପ୍ରାଚୀନ କଳାର ପରିପ୍ରକାଶ କରୁଛି। ତେଣୁ ଗବେଷଣା କରାଗଲେ ବହୁ ତଥ୍ୟ ସାମ୍ନାକୁ ଆସିପାରିବ,’ ବୋଲି ଡ.ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର