ପଞ୍ଚାୟତ ଓ ସହରାଞ୍ଚଳକୁ ଯିବ ୨୩,୮୪୮ କୋଟି, ପଞ୍ଚମ ଅର୍ଥ କମିସନଙ୍କ ସୁପାରିସ ଉପରେ ନିଷ୍ପତ୍ତି

ଅନ୍ୟୂନ ୬% ନିଜସ୍ବ ରାଜସ୍ୱ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପଞ୍ଚମ ରାଜ୍ୟ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳମାନଙ୍କୁ ୨୩ ହଜାର ୮୪୮ କୋଟି ଟଙ୍କା ହସ୍ତାନ୍ତର କରାଯିବ। ୨୦୨୦-୨୧ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଏହି ଅର୍ଥ ସେମାନେ ପାଇବେ। ଗୋଟିଏ ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ ପାଣ୍ଠି ଦୁଇଟି କିସ୍ତିରେ ପ୍ରଦାନ କରାଯିବ । ପ୍ରଥମ କିସ୍ତି ମେ-ଜୁନ୍ ମାସ ମଧ୍ୟରେ ଏବଂ ଦ୍ବିତୀୟ କିସ୍ତି ଅକ୍ଟୋବର-ନଭେମ୍ବର ମାସ ମଧ୍ୟରେ ପ୍ରଦାନ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ପ୍ରକଳ୍ପର ଶତକଡା ୩୦% ନ ସାରିଲେ ଦ୍ବିତୀୟ କିସ୍ତି ମିଳିବ ନାହିଁ।

ଆଜି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକରେ ପଞ୍ଚମ ଅର୍ଥ କମିସନଙ୍କ ସୁପାରିସ ଉପରେ ଏଭଳି କିଛି ବଡ଼ ନିଷ୍ପତ୍ତି ହୋଇଛି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ତିନିଟି ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ, ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳକୁ ପାଣ୍ଠି ବିନିଯୋଗ ପ୍ରକ୍ରିୟାକୁ ତ୍ବରାନ୍ୱିତ କରିବକୁ ହେବ। ଏବଂ ଏକଥା ସେମାନେ ନିଶ୍ଚିତ କରିବେ ଯେ ବିନିଯୋଗ ଅର୍ଥ ଦ୍ବାରା ଯେଭଳି ସର୍ବାଧିକ ଉନ୍ନୟନମୂଳକ କାର୍ଯ୍ୟ ହାସଲ ହେବ। କେବଳ ସେତିକି ନୁହେଁ, ନିଜ ନିଜର ରାଜସ୍ୱ ଆଧାର ସଂପ୍ରସାରିତ କରିବା ସହ ବାର୍ଷିକ ଅନ୍ୟୂନ ୬% ରାଜସ୍ୱ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ରାଜସ୍ୱ ସୃଷ୍ଟି ସମ୍ଭାବନା ଥିବା ଗୋଷ୍ଠୀ ଆବଶ୍ୟକତା ଭିତ୍ତିକ ପ୍ରକଳ୍ପମାନ ହାତକୁ ନେବା ପାଇଁ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ବାରୋପ କରିଥିଲେ। ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପଞ୍ଚମ ରାଜ୍ୟ ଅର୍ଥ କମିସନ ପାଣ୍ଠି ହସ୍ତାନ୍ତର ସଂପର୍କରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ। ଶ୍ରୀ ମୀନା କହିଥିଲେ, ପଞ୍ଚାୟତିରାଜ ଅନୁଷ୍ଠାନମାନେ ପ୍ରାୟ ୧୫ ହଜାର ୭୧୫ କୋଟି ୬୦ ଲକ୍ଷ ଏବଂ ସହରାଞ୍ଚଳମାନେ ପ୍ରାୟ ୮ ହଜାର ୧୩୨କୋଟି ୫୨ ଲକ୍ଷ ଟଙ୍କା ପାଇବେ। ପାନୀୟଜଳ, ଜଳ ଅମଳ, ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସୌର ଶକ୍ତି, ପ୍ରାଥମିକ ବିଦ୍ୟାଳୟ ନିର୍ମାଣ, ସ୍ୱାସ୍ଥ୍ୟ ସବ୍-ସେଣ୍ଟର କେନ୍ଦ୍ରର ରକ୍ଷଣାବେକ୍ଷଣ, ଜଳର ଗୁଣାତ୍ମକମାନ ପରୀକ୍ଷାଗାର, ନର୍ଦ୍ଦମା ନିଷ୍କାସନ ରେ ଥିବା ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା, ବର୍ଷାଜଳ ନିଷ୍କାସନ ଏବଂ ଅନ୍ୟାନ୍ୟ କମ୍ୟୁନିଟି ସଂପତ୍ତି ଆଦିର ରକ୍ଷଣାବେକ୍ଷଣ ଆଦି ପ୍ରକଳ୍ପରେ ଏହି ପାଣ୍ଠି ବିନିଯୋଗ କରାଯିବ। ଯେଉଁ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଇନାହିଁ କେବଳ ସେଗୁଡିକୁ ହିଁ ଏହି ପାଣ୍ଠି ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମ ଜିତ୍ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅର୍ଥ ବିଭାଗ ଯୁଗ୍ମ ଶାସନ ସଚିବ ଏଲୋରା ମହାନ୍ତି ଆବଶ୍ୟକୀୟ ତଥ୍ୟ ଓ ସୂଚନା ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର