ମୟୂରଭଞ୍ଜରେ ୨୪ ହଜାର ଶ୍ରମିକଙ୍କ ପତ୍ତା ମିଳୁନି: ଶ୍ରମ ବିଭାଗରେ ବି ବଡ଼ ଦୁର୍ନୀତି!

ବର୍ଷେ ହେଲା କରୋନା ସହାୟତା ରାଶି ନେଉନାହାନ୍ତି
ଖୋଜି ଖୋଜି ଶ୍ରମ ବିଭାଗ ନୟାନ୍ତ, ଫେରିଯିବ ୪.୮୦ କୋଟି

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ୧ ଲକ୍ଷ ୨୭ ହଜାର ୬୮୩ ଜଣ ଲୋକଙ୍କ ନାଁରେ ରହିଛି ଶ୍ରମିକ କାର୍ଡ। ଶ୍ରମକାର୍ଡ ପାଇଁ ୧ ହଜାରୁ ଅଧିକ ଆବେଦନପତ୍ର ବି ଅନୁମୋଦନ ଅପେକ୍ଷାରେ ରହିଛି। ସବୁଠୁ ବଡ଼କଥା ହେଲା, ପଞ୍ଜିକୃତ ଶ୍ରମିକମାନଙ୍କ ମଧ୍ୟରୁ ୨୪ ହଜାର ଶ୍ରମିକଙ୍କର ପତ୍ତା ମିଳୁନି। ତେବେ ଏହି ଶ୍ରମିକମାନେ ଅସଲି ନା ନକଲି, ସେ ନେଇ ଖୋଦ୍‌ ଶ୍ରମ ବିଭାଗ ବି ଦ୍ବନ୍ଦ୍ବରେ ପଡ଼ିଛି। କାରଣ ସରକାରଙ୍କ କରୋନା ସହାୟତା ରାଶି ନେବାପାଇଁ ଏହି ୨୪ ହଜାର ଶ୍ରମିକମାନେ ଆସୁନାହାନ୍ତି କି ଆବେଦନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି। ଶ୍ରମ ବିଭାଗର କହିବା ଅନୁଯାୟୀ, ଆମେ ବ‌ର୍ଷେ ହେଲା ସେମାନଙ୍କର ସନ୍ଧାନ କରୁଛୁ। ହେଲେ କାହାକୁ ପାଉନୁ। ଫଳରେ ସେମାନଙ୍କ ପାଇଁ ଆସିଥିବା ୪ କୋଟି ୮୦ ଲକ୍ଷ କରୋନା ସହାୟତା ରାଶି ଫେରିଯିବାକୁ ବସିଛି। ତେବେ ଶ୍ରମ ବିଭାଗର ସ୍ବୀକାରୋକ୍ତି ଏକ ବଡ଼ ଦୁର୍ନୀତିର ଗୁମର ଖୋଲିଦେଇଛି। ପ୍ରକୃତରେ ସହାୟତା ଟଙ୍କା ନେବାକୁ ଆସୁନଥିବା ଲୋକେ ଶ୍ରମିକ ନା ସେମାନଙ୍କ ନାଁରେ ଜାଲ୍‌ କାର୍ଡ ତିଆରି ହୋଇଥିଲା; ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

କରୋନା ସହାୟତା ବାବଦରେ ପଞ୍ଜିକୃତ ଶ୍ରମିକମାନଙ୍କୁ ମୁଣ୍ଡପିଛା ଦେଢ଼ ହଜାର ଟଙ୍କା ଲେଖା ଦେବାକୁ ସରକାର ଘୋଷଣା କରିଥିଲେ। ଗ୍ରାମାଞ୍ଚଳରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସହରାଞ୍ଚଳରେ ପୌର କର୍ମଚାରୀ ଏହି ସହାୟତା ରାଶି ବାଣ୍ଟିଥିଲେ। ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୮ ହଜାର ଶ୍ରମିକଙ୍କ ପାଇଁ ୧୧ କୋଟି ୭୦ ଲକ୍ଷ ଟଙ୍କା ଆସିଥିବାବେଳେ ସେଥିମଧ୍ୟରୁ ୭୦ ହଜାର ଶ୍ରମିକଙ୍କୁ ୧୦ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା। କରୋନା କଟକଣା ପାଇଁ ପ୍ରଥମେ ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଦିଆଯାଇଥିଲା। ପରେ ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ବ୍ୟାଙ୍କ ଖାତାରେ ସହାୟତା ରାଶି ଜମା କରାଯାଇଥିଲା। ଏହାରି ମଧ୍ୟରେ ୮ ହଜାର ଶ୍ରମିକଙ୍କ ଟଙ୍କା ପଡ଼ି ରହିଥିଲା। ଆଜି ସୁଦ୍ଧା ସେମାନଙ୍କ ପାଇଁ ଆସିଥିବା ୧ କୋଟି ୨୦ ଲକ୍ଷ ଟଙ୍କା ବଣ୍ଟା ହୋଇପାରିନି କି ସେମାନଙ୍କର ଖୋଜଖବର ମିଳୁନି।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ୯୫ ହଜାର ପଞ୍ଜିକୃତ ଶ୍ରମିକଙ୍କ ପାଇଁ ୧୪ କୋଟି ୨୫ ଲକ୍ଷ ଟଙ୍କା ଆସିଥିବାବେଳେ ସେଥିମଧ୍ୟରୁ ୭୮ ହଜାର ଶ୍ରମିକଙ୍କୁ ୧୧ କୋଟି ୭୦ ଲକ୍ଷ ଟଙ୍କା ବଣ୍ଟାଯାଇଛି। ବାକି ୧୭ ହଜାର ଶ୍ରମିକଙ୍କ ବାବଦକୁ ୩ କୋଟି ୬୦ ଲକ୍ଷ ଟଙ୍କା ପଡ଼ିରହିଛି। ମୋଟ୍ ଉପରେ ଦୁଇଟି ପର୍ଯ୍ୟା‌ୟରେ ୨୫ କୋଟି ୯୫ ଲକ୍ଷ ଟଙ୍କା ଆସିଥିଲା। ସେଥିମଧ୍ୟରୁ ୨୧ କୋଟି ୧୫ ଲକ୍ଷ ଟଙ୍କା ଶ୍ରମିକମାନଙ୍କୁ ଦିଆଯାଇଥିବା ବେଳେ ଅବଶିଷ୍ଟ ୨୪ ହଜାର ଶ୍ରମିକଙ୍କ ବାବଦରେ ୪ କୋଟି ୮୦ ଲକ୍ଷ ଟଙ୍କା ପଡ଼ିରହିଛି। ତେବେ ଶ୍ରମ ବିଭାଗ ପକ୍ଷରୁ ବାରମ୍ବାର ଅବଗତ କରାଯାଉଥିଲେ ବି କେହି ଟଙ୍କା ନେବାକୁ ଆସୁନଥିବାରୁ ଶ୍ରମିକ କାର୍ଡ ଜାଲିଆତି ହୋଇଥିବା ସ୍ପଷ୍ଟ ବାରି ହେଉଛି।
ସୂଚନା ମୁତାବକ, ସହାୟତା ରାଶି ନେଇ ନଥିବା କିଛି ଶ୍ରମିକଙ୍କ କାର୍ଡ ନବୀକରଣ ହୋଇନାହିଁ କି ଆଧାର ଲିଙ୍କ୍‌ ସମ୍ପର୍କରେ ସେମାନେ ଅବଗତ ନାହାନ୍ତି। ଆଉ କିଛି ଶ୍ରମିକ ସଚେତନତା ଅଭାବରୁ କରୋନା ସହାୟତା ରାଶି ବାବଦରେ ଜାଣିନାହାନ୍ତି। ତେବେ ଏହି ସଂଖ୍ୟା ୫ ହଜାରରୁ କମ୍‌ ହେବ। ବାକି ୨୦ ହଜାର ପାଖାପାଖି କାର୍ଡ ଜାଲ୍‌ ଶ୍ରମିକଙ୍କ ନାଁରେ ତିଆରି ହୋଇଥିବା ଜଣାପଡ଼ୁଛି। କିଛି ଦଲାଲ ଜାଲ କାର୍ଡ କରି ସହାୟତା ରାଶି ହାତେଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କୁ ଆକାଉଣ୍ଟକୁ ଯିବ ଆଉ ଆଧାର ଲିଙ୍କ ହେବ ବୋଲି ସେମାନେ ଚିନ୍ତା କରିନଥିଲେ। ଫଳରେ ସେମାନଙ୍କ ଉଦ୍ୟମ ଫସର ଫାଟିଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ହାତାହାତି ଟଙ୍କା ବାଣ୍ଟିବା ବେଳେ ଦଲାଲ ଓ ଅଧିକାରୀଙ୍କ ସଲାସୁତରାରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା କୁହାଯାଉଛି।

ଏ ସଂପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ମୋନାଲିସା ନାୟକ କହିଛନ୍ତି, ଗଚ୍ଛିତ ସହାୟତା ରାଶି କିଭଳି ହିତାଧିକାରୀଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଉଦ୍ୟମ କରାଯାଉଛି। ତୃଣମୂଳସ୍ତରରେ ହିତାଧିକାରୀଙ୍କୁ ଖୋଜାଚାଲିଛି। ତେବେ ଦଲାଲଙ୍କ ଦ୍ବାରା କାର୍ଡ ଜାଲି ହୋଇଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର