୨୬ ଲକ୍ଷ ହେରଫେର୍‌: ବନ୍ଧା ହେଲେ ପୋଷ୍ଟମାଷ୍ଟର

ଉଦଳା-୧: ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ ପାଟପୁର ଶାଖାର ପୋଷ୍ଟ ମାଷ୍ଟର ଜ୍ୟୋତିପ୍ରକାଶ ସାହୁଙ୍କୁ ଉଦଳା ପୁଲିସ ଆଜି ଗିରଫ କରିଛି। ଉଦଳା ଉପଡାକଘର ମୁଖ୍ୟ ନିରୀକ୍ଷକ ଅଶୋକ ମଣ୍ଡଳଙ୍କ ଅଭିଯୋଗ କ୍ରମେ ଶ୍ରୀ ସାହୁଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଗତ ଫେବ୍ରୁଆରି ମାସରେ ଡାକ ବିଭାଗର ଅଧିକାରୀମାନେ ଅଚାନକ ପାଟପୁର ଶାଖା ପରିଦର୍ଶନରେ ଆସିଥିଲେ। ଖାତାପତ୍ର ଯାଞ୍ଚ ସମୟରେ ଶ୍ରୀ ସାହୁ ୨୬ ଲକ୍ଷ ୪୦ ହଜାର ଟଙ୍କା ହେରଫେର୍‌ କରିଥିବାର ଜଣାପଡ଼ିଥିଲା।

ଲୋକମାନେ ପୈଠ କରୁଥିବା ଟଙ୍କା ଗୁଡିକୁ ଶ୍ରୀ ସାହୁ ସେମାନଙ୍କ ସଞ୍ଚୟ ଖାତାରେ ଜମା କରୁନଥିଲେ। ଏ ନେଇ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଥିବା ବେଳେ ଅଭିଯୁକ୍ତ ଶ୍ରୀ ସାହୁଙ୍କୁ କୋର୍ଟ ଚାଲାଣ କରିଛି। ଗତକାଲି ଆଠପଡ଼ା ଗ୍ରାମର ପୋଷ୍ଟ ମାଷ୍ଟରଙ୍କ ନାମରେ ଅର୍ଥ ହଡପ ଅଭିଯୋଗ ଉଠିବା ସହିତ ଆଜି ଜଣେ ପୋଷ୍ଟମାଷ୍ଟର ଗିରଫ ହେବା ଘଟଣା ପରେ ଜମାକାରୀମାନେ ଏବେ ଦ୍ୱନ୍ଦ୍ବରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର