ଢାବାରେ ପଶି ଗୁଳି ଫୁଟାଇଲେ, ହାଣିଲେ : ୩ ଗୁରୁତର, ୨ ଅଳ୍ପକେ ବର୍ତ୍ତିଲେ

ବୋଲେରୋରେ ଆସିଥିଲେ ୧୦ ଯୁବକ, ଖୋକା ଜବତ, ପୁଲିସର ଛାନ୍‌ଭିନ୍

ବାଲେଶ୍ବର : ବାଲେଶ୍ବର ସହର ଉପକଣ୍ଠ ଫୁଲାଡ଼ି ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରେ ଗୁଳି ଫୁଟାଇ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ। ସେମାନଙ୍କ ଅତର୍କିତ ଆକ୍ରମଣରେ ଢାବାର ୫ କର୍ମଚାରୀ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରିବା ସହ ଗୁରୁତର ୩ ଜଣଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ଶୁକ୍ରବାର ବିଳମ୍ବିତ ରାତିର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି।

ଗତକାଲି ରାତି ପ୍ରାୟ ଗୋଟାଏ ବେଳକୁ ଫୁଲାଡ଼ିସ୍ଥିତ ପୂରବୀ ଢାବା ସମ୍ମୁଖରେ ହଠାତ ଏକ ଧଳାରଙ୍ଗର ବୋଲେରୋ ଆସି ଅଟକିଥିଲା। ଗାଡ଼ିରୁ ଓହ୍ଲାଇଥିଲେ ୧୦ ଜଣ ଯୁବକ। ଏହି ସମୟରେ କେବଳ ଢାବା ମାଲିକଙ୍କ ପୁତୁରା, ରୋଷେୟା ଓ ଜଣେ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଶୋଇ ଯାଇଥିଲେ। ଯୁବକମାନେ ଖାଇବାକୁ ଆସିଥିବା ଭାବିଥିଲେ ଢାବା ମାଲିକଙ୍କ ପୁତୁରା ଓ ରୋଷେୟା। କିନ୍ତୁ ସେମାନେ ଯେ ଅତର୍କିତ ହାମ୍‌ଲା କରିବେ, ସେ ଧାରଣା ଥିଲା ବାହାରେ। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ହଠାତ ଜଣେ କ୍ୟାସ୍‌ କାଉଣ୍ଟର ଏବଂ ପରେ ଉପରକୁ ଗୁଳି ଚଳାଇଥିଲା। ପରେ ଅନ୍ୟ ଯୁବକମାନେ ଖଣ୍ଡା, କଟୁରି ଓ ଭୁଜାଲିରେ ଢାବାର ଆସବାବପତ୍ର ନଷ୍ଟ କରିବା ସହ ସମସ୍ତଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ପ୍ରାଣ ବିକଳରେ ୨ ଜଣ ଖସି ପଳାଇଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ଢାବା ମାଲିକଙ୍କ ପୁତୁରା ବାଳକୃଷ୍ଣ ଦାସ (୧୯), ରୋଷେୟା ଶଙ୍କର୍ଷଣ ନାୟକ (୪୦) ଏବଂ ସେଲ୍‌ସମ୍ୟାନ୍‌ ସ୍ମୃତିରଞ୍ଜନ ଦାସ (୨୯)ଙ୍କୁ ଚାରିପଟୁ ଘେରିଯାଇ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ହାଣି ପକାଇଥିଲେ। ସେମାନଙ୍କ ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଏହି କାଣ୍ଡ ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବାବେଳେ ପୁଲିସ ରକ୍ତାକ୍ତ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଢାବା ମାଲିକଙ୍କ ଅଭିଯୋଗ ଆଧାରରେ ବସ୍ତା ଥାନା ପୁଲିସ କେସ୍‌ ନଂ ୭୧/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦୁର୍ବୃତ୍ତଙ୍କ ସମ୍ପର୍କରେ ଢାବା ମାଲିକ ପ୍ରହ୍ଲାଦ ଦାସ କିଛି କହିପାରୁନାହାନ୍ତି। ତେବେ ତାଙ୍କ କହିବା ଅନୁସାରେ, ୧୫ ଦିନ ତଳେ କିଛି ଯୁବକ ଢାବାକୁ ଆସି ଖାଇବାକୁ ମାଗିଥିଲେ। ରାତି ଅଧିକ ହୋଇ ଯାଇଥିବାରୁ ଚାହିଦା ଅନୁସାରେ ଖାଇବା ମିଳିନଥିଲା। ସେଥିମଧ୍ୟରୁ ଦୁଇଜଣ ଯୁବକ ଭୀଷଣ ରାଗିଯାଇ ଢାବା କର୍ମଚାରୀଙ୍କୁ ନାଲିଆଖି ଦେଖାଇଥିଲେ। ପରେ ସେମାନଙ୍କୁ ଢାବା ବାହାରକୁ କାଢ଼ି ଦିଆଯାଇଥିଲା। ସେହିମାନେ ବୋଧେ ପ୍ରତିଶୋଧପରାୟଣ ହୋଇ ଏଭଳି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଢାବା ମାଲିକଙ୍କ ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ବସ୍ତା ଥାନା ଆଇଆଇସି ଅଶୋକ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର