ଦୁଇ ମାଲବାହୀ ଟ୍ରେନ୍‌ ଧକ୍‌କାରେ ୩୨ ଆହତ

ଜଗତସିଂହପୁର : ପାରାଦୀପ ରଙ୍ଗିଆଗଡ଼ସ୍ଥିତ ଇଫ୍‌କୋର ସାର ଲୋଡିଂ ଅଞ୍ଚଳରେ ଆଜି ଏକ ଓ୍ଵାଗନ୍‌ରେ ସାର ଲୋଡ଼ିଂ ଚାଲିଥିବା ବେଳେ ଅନ୍ୟ ଏକ ମାଲବାହୀ ଟ୍ରେନ୍‌ ତାକୁ ଧକ୍‌କା ଦେଇଛି। ଫଳରେ ଓ୍ଵାଗନ୍‌ ଉପରୁ ଖସିପଡ଼ି ୩୨ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ଥିବା ଅନ୍ୟ ୭୭ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତମାନଙ୍କୁ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ ହସ୍‌ପିଟାଲରେ ପ୍ରାଥମିକ ଚିକତ୍ସା ପରେ ଡିସ୍‌ଚାର୍ଜ କରାଯାଇଛି। ରେଳ ବିଭାଗ ଓ ବନ୍ଦର ନ୍ୟାସ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ଆଜି ଅପରାହ୍ନରେ ଇଫ୍‌କୋର ଲୋଡିଂ ଅଞ୍ଚଳରେ ଏକ ଟ୍ରେନ୍‌ ଓ୍ଵାଗନ୍‌ରେ ସାର ଲୋଡିଂ ଚାଲିଥିଲା। ଯେଉଁ ଟ୍ରାକ୍‌ରେ ଏହି ଓ୍ଵାଗନ୍‌ରେ ଲୋଡ଼ିଂ କରାଯାଉଥିଲା ହଠାତ୍‌ ସେହି ଟ୍ରାକ୍‌ରେ ଆଉ ଗୋଟିଏ କୋଇଲା ବୋଝେଇ ଟ୍ରେନ୍‌ ଆସିଯାଇଥିଲା ଓ ଲୋଡିଂ ହୋଉଥିବା ଓ୍ଵାଗନ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପ୍ରଚଣ୍ଡ ଶବ୍ଦ ସହ ଟ୍ରେନ୍‌ଟି ଦୋହଲି ଯିବାରୁ ସାର ବୋଝେଇ କରୁଥିବା ଶ୍ରମିକମାନେ ଓ୍ଵାଗନ୍‌ ଉପରୁ ତଳକୁ ଖସି ପଡ଼ିଥିଲେ। ସେମାନଙ୍କ ଭିତରୁ ୩୨ଜଣ ଆହତ ହୋଇଥିଲେ ଓ ଭୟରେ ସମସ୍ତେ ଏପାଖ ସେପାଖ ଦୌଡ଼ିଥିଲେ। ଆହତ ଶ୍ରମିମାନଙ୍କୁ ତୁରନ୍ତ ଅଠବାଙ୍କୀସ୍ଥିତ ବିଜୁ ମେମୋରିଆଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ହୋଇନଥିବାରୁ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ବନ୍ଦର ନ୍ୟାସ ଓ ରେଳ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ସାମ୍ନାକୁ ଆସିନଥିଲେ ବି ବନ୍ଦର ନ୍ୟାସ ରେଳ ବିଭାଗର ଆଭ୍ୟନ୍ତରୀଣ ତାଳମେଳ ଅଭାବରୁ ଏହା ଘଟିଥିବା ସୂଚନା ମିଳୁଛି। ଯେଉଁ ଟ୍ରାକ୍‌ରେ ସାର ଲୋଡିଂ ଚାଲିଥିଲା ସେହି ଟ୍ରାକ୍‌ରେ ଦ୍ୱିତୀୟ ଟ୍ରେନ୍‌ ଆସିବା ପାଇଁ କିପରି ଅନୁମତି ମିଳିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁର୍ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରିମକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର