୪ ବାଂଲାଦେଶୀଙ୍କୁ ସ୍ବଦେଶ ପଠାଗଲା

ପୁଲିସ୍‌ର ଏକ ଟିମ୍‌ ବିଏସ୍‌ଏଫ୍‌ କ୍ୟାମ୍ପ୍‌ରେ ପହଞ୍ଚାଇଲେ, ବାଂଲାଦେଶ ରାଇଫଲ୍‌କୁ ହସ୍ତାନ୍ତର କରାଯିବ

ବାଲେଶ୍ବର : ଦୀର୍ଘ ୧୨ ବର୍ଷ ଜେଲ୍‌ଦଣ୍ଡ ଭୋଗି ମୁକୁଳିବା ପରେ ବି ଅନିଶ୍ଚୟତା ମଧ୍ୟରେ ଗତିକରୁଥିବା ୪ ଜଣ ବାଂଲାଦେଶୀଙ୍କୁ ସ୍ବଦେଶକୁ ପଠାଯିବ। ବାଲେଶ୍ବର ପୁଲିସ୍‌ର ଏକ ଟିମ୍‌ ସେମାନଙ୍କୁ ଆଜି ସାଙ୍ଗରେ ନେଇ ବାଂଲାଦେଶ ଯାତ୍ରା କରିଛନ୍ତି। ସେମାନଙ୍କୁ ବାଂଲାଦେଶର ରାଇଫଲ୍‌କୁ ହସ୍ତାନ୍ତର କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ; ବାଂଲାଦେଶର ଫରିଦପୁର ଜିଲ୍ଲା ଭାଙ୍ଗା ଥାନା ଅନ୍ତର୍ଗତ ହାମିର୍ଦି ଗ୍ରାମର ମହମ୍ମଦ ନୱାବ ଅଲ୍ଲୀ ଖାନ୍‌ଙ୍କ ପୁଅ ଅରିଫ୍‌ ଖାନ୍‌ (୩୨), ମହମ୍ମଦ ଜିନ୍ନାତ ଖାନ୍‌ଙ୍କ ପୁଅ ପୌଶା ଖାନ୍‌ (୩୩), ସେଖ୍‌ ସତରଙ୍କ ପୁଅ ସେଖ୍‌ ଜାହିିରୁଲ୍‌ (୩୧), ଲିୟାକ୍କତ ଅଲ୍ଲି ମୁଲ୍ଲାଙ୍କ ପୁଅ ମହମ୍ମଦ ଆଶାଦୁଲ ମୁଲ୍ଲା (୩୧), ମହମ୍ମଦ ଖବୀର ଖାନ୍‌ଙ୍କ ପୁଅ ବାବୁ ଖାନ (୩୨) ଓ ମହମ୍ମଦ ସଫିଜୁଦ୍ଦିନ ମୁଲ୍ଲାଙ୍କ ପୁଅ ମହମ୍ମଦ ଆବୁଲ ବସର୍‌ ମୁଲ୍ଲା (୩୮) ଓଡ଼ିଶାରେ ଅନୁପ୍ରବେଶ କରିଥିଲେ। ୨୦୦୭ ମସିହାରେ ସେମାନେ ବାଲେଶ୍ବରରେ ସିରିଜ୍ ଡକାୟତି ମାମଲାରେ ଗିରଫ ହୋଇଥିଲେ। ଏହାପରେ ସମସ୍ତଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ହୋଇଥିଲା। ପରବର୍ତୀ ସମୟରେ ସେମାନଙ୍କ ମଧ୍ୟରୁ ବାବୁ ଖାନ ଓ ମହମ୍ମଦ ଆବୁଲ ବସର୍‌ ମୁଲ୍ଲାକୁ ଯଥାକ୍ରମେ ଚୌଦ୍ବାର ଜେଲ୍‌ ଓ ଢେଙ୍କାନାଳ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାଲେଶ୍ବର ଜେଲ୍‌ରେ ବନ୍ଦୀ ଥିବା ବାକି ୪ ଜଣ ୧୨ ବର୍ଷ ପରେ; ଅର୍ଥାତ୍‌ ଗତ ଜୁନ୍‌ ମାସ ୮ ତାରିଖ ଦିନ ମୁକୁଳି ଥିଲେ। ଏପରି ସମୟ‌ରେ ମୁକୁଳିଥିବା ୪ ଜଣ ବାଂଲାଦେଶୀ ନିଜ ଦେଶକୁ ଫେରିବା ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା।

ବିଳମ୍ବରେ ହେଲେ ବି କିଛିଦିନ ତଳେ ସେମାନଙ୍କ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ସହ ବାଂଲାଦେଶ ସରକାରଙ୍କୁ ହସ୍ତାନ୍ତର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନେଇ ଜିଲ୍ଲା ଗୁଇନ୍ଦା ବିଭାଗ ପକ୍ଷରୁ ଭାରତ ସରକାରଙ୍କ ଜରିଆରେ ବାଂଲାଦେଶ ସରକାରଙ୍କୁ ଜଣାଯାଇଥିଲା। ହେଲେ ନିଜ ନାଗରିକଙ୍କୁ ଗ୍ରହଣ କରିବା ନେଇ ସେଠାକାର ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ଦେଖାଯାଇନଥିଲା। ‌ତେବେ, ତିନିମାସ ପରେ ବାଂଲାଦେଶ ସରକାର ଶେ‌ଷରେ ସବୁଜ ସଂକେତ ଦେଇଥିଲେ।

ଫଳରେ ପୁଲିସ୍‌ର ଏକ ଟିମ୍‌ ଆଜି ସେମାନଙ୍କୁ ସାଙ୍ଗରେ ନେଇ ପଶ୍ଚିମବଙ୍ଗ ଗୁଇନ୍ଦା ବିଭାଗ କାର୍ଯ୍ୟାଳୟରେ ପହଞ୍ଚାଇଥିଲା। ପରେ ସୀମାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ୍‌ରେ ନେଇ ରଖାଯାଇଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ସମସ୍ତଙ୍କୁ ବାଂଲାଦେଶର ରାଇଫଲ୍‌କୁ ହସ୍ତାନ୍ତର କରାଯିବ ବୋଲି ବାଲେଶ୍ବର ଡିଆଇବି ଡିଏସ୍‌ପି ରଜତ କୁମାର ରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର