୩ ବର୍ଷରେ ଲୁଟିନେଲେ ୪୧ ଲକ୍ଷ, ସାଇବର ଠକେଇର ଶିକାର ନର୍ସିଂହୋମ୍‌

ଧରାପଡ଼ିଲେ ୩ ଅଭିଯୁକ୍ତ, କର୍ମଚାରୀ ହିଁ ମାଷ୍ଟର୍‌ମାଇଣ୍ଡ୍‌

ରାଉରକେଲା: ଏପଟେ ଘରୋଇ ନର୍ସିଂହୋମ୍‌ର ବ୍ୟାଙ୍କ୍‌ ଆକାଉଣ୍ଟ ଖାଲି ହୋଇଚାଲିଥିଲା। ଅପରପଟେ କିନ୍ତୁ ଅୟସ୍‌ କରିଚାଲିଥିଲେ ଠକଦଳ। ତିନି ବର୍ଷ ଭିତରେ ଚଞ୍ଚକତାକରି ୪୧ ଲକ୍ଷ ୨୫ ହଜାର ଟଙ୍କା ନିଜ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ କରିନେଇଥିଲା। ଏହି ଠକ ଦଳର ମୁଖିଆ ଥିଲା ଖୋଦ୍‌ ନର୍ସିଂହୋମ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀ। ତେବେ ଶେଷରେ ଏହି ୩ ଜଣିଆ ଠକ ଗ୍ୟାଙ୍ଗ୍‌କୁ ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ରାଉରକେଲା ମୁଖ୍ୟରାସ୍ତା ଖୁଣ୍ଟିଆ ମାର୍କେଟ୍‌ କମ୍ପ୍ଲେକ୍ସର ମାନସ ରଞ୍ଜନ ଖୁଣ୍ଟିଆ(୩୦), ମଧୁସୂଦନପଲ୍ଲୀର ସୁଶାନ୍ତ ବାରିକ(୩୩) ଓ ଶିବକୁମାର ଝା(୩୨)।
ସିଭିଲ ଟାଉନସିପ ଅଞ୍ଚଳରେ ଡା. ଅଜିତ ସିଂହଙ୍କର ‘ଓମ୍‌ ଆପୋଲୋ ହସ୍ପିଟାଲ’ ନାମକ ଏକ ଘରୋଇ ନର୍ସିଂହୋମ ରହିଛି।

ପାନପୋଷ ରୋଡ୍‌ ଏଚ୍‌ଡିଏଫସି ବ୍ୟାଙ୍କ୍‌ରେ ନର୍ସିଂହୋମ୍‌ର ଏକ କରେଣ୍ଟ୍‌ ବ୍ୟାଙ୍କ୍‌ ଆକାଉଣ୍ଟ ଅଛି। ୨୦୧୯ ସେପ୍ଟେମ୍ବର ୨୬ ତାରିଖରୁ ଗତ ମେ’ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆକାଉଣ୍ଟ୍‌ରୁ ଟଙ୍କା ଟ୍ରାନ୍ସଫର ହୋଇଚାଲୁଥିଲା। ଯେହେତୁ ବ୍ୟାଙ୍କରୁ କୌଣସି ଏସ୍‌ଏମ୍‌ଏସ କିମ୍ବା ଓଟିପି ମୋବାଇଲକୁ ଆସୁନଥିଲା; ଏଣୁ ଡା. ସିଂହ ଏ ବିଷୟରେ ଟେର୍‌ ବି ପାଇପାରିନଥିଲେ। ତେବେ, ଗତ ମେ’ ୧୫ତାରିଖରେ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ଯେଉଁଥିରେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୯୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଏବଂ ପରଦିନ ଅନ୍ୟ ଏକ ମେସେଜରେ ସେହି ଟଙ୍କା ପୁଣି ଜମା ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସନ୍ଦେହ ଜାତ ହେବାରୁ ଖୋଳତାଡ଼ କରିଥିଲେ।

ଏଥିରେ ଉକ୍ତ ନର୍ସିଂହୋମ୍‌ ଆକାଉଣ୍ଟରୁ ତିନି ବର୍ଷ ଭିତରେ ୪୧ ଲକ୍ଷ ୨୫ ହଜାର ଟଙ୍କା ଚଳୁ ହୋଇସାରିଥିବା ଜାଣିବାକୁ ପାଇଥିଲେ। ଏନେଇ ଗତକାଲି ଏତଲା ହେବାପରେ ରାଉରକେଲା ସାଇବର ଥାନାଧିକାରୀ ସେରୋଫିନା ଖେସ୍‌ଙ୍କ ନେତୃତ୍ୱରେ ଏକ ଟିମ୍‌ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ନଗଦ ୧ଲକ୍ଷ ୫ ହଜାର ଟଙ୍କା, ୬ ଟି ସୁନାମୁଦି, ହଳେ ସୁନା କାନଫୁଲ, ଗୋଟିଏ ସୁନାଚେନ, ଗୋଟିଏ ସୁନା ଲକେଟ୍‌ ସମେତ ଏକାଧିକ ବ୍ୟାଙ୍କ ପାସ୍‌ବୁକ, ଏଟିଏମ କାର୍ଡ, ଟଙ୍କା ଜମା ପାଇଁ ବ୍ୟବହୃତ ଗ୍ରୀନ କାର୍ଡ, ପେଟିଏମ ପେମେଣ୍ଟ କାର୍ଡ, ଆଧାର କାର୍ଡ ଓ ୩ଟି ମୋବାଇଲ ଫୋନ୍‌ ଜବତ ହୋଇଛି।

କେମିତି ଟ୍ରାନ୍ସଫର୍‌ କରୁଥିଲେ ଟଙ୍କା

ଗିରଫ ତିନି ଅଭିଯୁକ୍ତ ମଧ୍ୟରୁ ମାଷ୍ଟର୍‌ମାଇଣ୍ଡ୍‌ ହେଉଛି ଭଦ୍ରକ ଟାଉନଥାନା ଅନ୍ତର୍ଗତ ଚକପୁରର ମୂଳବାସିନ୍ଦା ତଥା ସ୍ଥାନୀୟ ଉଦିତନଗର ମେହେର ଚକ୍ଷୁ ଚିକିତ୍ସାଳୟ ପାଖରେ ଥିବା ଖୁଣ୍ଟିଆ ମାର୍କେଟ୍‌ କମ୍ପ୍ଲେକ୍ସରେ ରହୁଥିବା ମାନସ ରଞ୍ଜନ ଖୁଣ୍ଟିଆ। ଅଭିଯୁକ୍ତ ମାନସ ଏହି ନର୍ସିଂହୋମ୍‌ରେ କାର୍ଯ୍ୟରତ ଥିବାବେଳେ ବିଭିନ୍ନ ସମୟରେ ଡାକ୍ତର ସିଂହଙ୍କୁ ଅନଲାଇନ୍‌ ଟଙ୍କା ଲେଣଦେଣରେ ସହଯୋଗ କରୁଥିଲେ। ଏଣୁ ସେ ନର୍ସିଂହୋମ୍‌ର ଇଣ୍ଟରନେଟ୍‌ ବ୍ୟାଙ୍କିଂ ପ୍ରକ୍ରିୟା, ପାସ୍‌ୱାର୍ଡ ଆଦି ବିଷୟରେ ଜାଣିଥିଲେ। ନର୍ସିଂହୋମ୍‌ର ଟଙ୍କା କାରବାର ଶେଷ କରିବାପରେ ସେ ଚଞ୍ଚକତା କରି ଉକ୍ତ ଆକାଉଣ୍ଟ୍‌ରୁ ନିଜ ବନ୍ଧୁ ସୁଶାନ୍ତର ଆକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍ସଫର୍‌ କରୁଥିଲା। ସମାନ ପଦ୍ଧତିରେ ଏକାଧିକବାର ଟଙ୍କା ଟ୍ରାନ୍ସଫର୍‌ କରିଥିଲେ। ଏନେଇ ଅନ୍ୟତମ ବନ୍ଧୁ ଶିବକୁମାର ଅବଗତ ହେବାପରେ ମୁହଁ ବନ୍ଦ ରଖିବାକୁ ତାଙ୍କୁ ବିଭିନ୍ନ ସମୟରେ ସୁନାଗହଣା, ମୋବାଇଳ୍‌ ଆଦି ଉପହାର ଦେଇଥିଲେ।

ସମ୍ବନ୍ଧିତ ଖବର