ବିରଳ ଉଦାହରଣ: ଜଣେ ମହିଳା ଅନ୍ୟ ମହିଳାଙ୍କୁ ସାହାଯ୍ୟ ପାଇଁ ଯାତ୍ରା କଲେ ୭୦୦ କିମି 

ରାୟଗଡା: ସଂତୋଷୀ ଦେଓ। ଘର ଭୁବନେଶ୍ବର ସୁନ୍ଦରପଦା ଅଂଚଳରେ। ବୟସ ୩୪ ବର୍ଷ। ସଂତୋଷୀ ଅଟୋ ଚଳାଇ ନିଜର ପରିବାରର ପ୍ରତିପୋଷଣ କରନ୍ତି। ଗତ ତିନି ବର୍ଷ ତଳେ କୋରାପୁଟ ଜିଲ୍ଲାର ଜଣେ ଝିଅ ଅଟୋ ଚଳାଇ ନିଜର ପରିବାରର ପ୍ରତିପୋଷଣ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।ସେହି ଝିଅଟି ହେଉଛନ୍ତି ବୋରିଗୁମ୍ମା ବ୍ଲକର ଖଜୁରିଗୁଡା ଗ୍ରାମର ସୁନିତା ଗଲୋରୀ। ସୁନିତାଙ୍କ ବାପାଙ୍କର ଅକାଳ ବିୟୋଗ ଘଟିବା ପରେ ପରିବାରକୁ ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ ସୁନିତା ଶେଷରେ ଅଟୋ ଚଳାଇଥିଲେ। ଏହି ଖବର ସେତେବେଳେ ବେଶ ଚର୍ଚ୍ଚା ସାଉଁଟିଥିଲା।

ତେବେ ସଂତୋଷୀ ଏହି ଖବର ଶୁଣିବା ପରେ ଭୁବନେଶ୍ବରରୁ କୌଣସି ବସ କିମ୍ବା ଟ୍ରେନରେ ଯାତ୍ରା ନକରି ନିଜ ଅଟୋରେ ଦୀର୍ଘ ୭୦୦ କିଲୋମିଟର ବାଟ ସୁନିତାଙ୍କୁ ଭେଟିବା ପାଇଁ ଆସିଛନ୍ତି। ତେବେ ସୁନିତା କିନ୍ତୁ ଏବେ ଅଟୋ ଚଳାଇବା ବନ୍ଦ କରିଦେଇଛନ୍ତି। ସେ ସୁଦୂର ବେଙ୍ଗଲୁରୁରେ ସିଲେଇ କାମ କରୁଛନ୍ତି।ସଂତୋଷୀ ଏହା ଜାଣିବା ପରେ ସୁନିତାଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ। ସେ ସୁନିତାଙ୍କୁ ସାହାଯ୍ୟ କରିବାକୁ କୋରାପୁଟ ଯାଉଥିବା କହିଥିଲେ।ସବୁଠାରୁ ବଡ କଥା ହେଲା ସଂତୋଷୀ ଡ୍ରାଇଭର ପୋଷାକ ପିନ୍ଧି ଅଟୋ ଚଳାଇ ଆସିଲେ। ରାୟଗଡାରେ ପହଞ୍ଚିବା ପରେ ଡ୍ରାଇଭର ସଂଘ ତରଫରୁ ସଂତୋଷୀଙ୍କ ସ୍ବାଗତ କରାଯାଇଥିଲା। ଏଭଳି ମହାନ କାମ ପାଇଁ ତାଂକୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲିା।

ସଂତୋଷୀଙ୍କ ଏହୁ ଦୁଃସାହସିକ କାମ ପାଇଁ ରାୟଗଡାରେ ଜନସାଧାରଣଙ୍କର ଭିଡ ଜମିଥିଲା। ସଂତୋଷୀଙ୍କୁ ମହିଳା ହେଲେ ମଧ୍ୟ ଭୟ ନକରି ଏତେ ଦୁର ନିଜର ଅଟୋରେ ସୁନିତାକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିବା କହିଥିଲେ। ସଂଘର ସଭାପତି ସିମାଦ୍ରୀ ପାଣିଗ୍ରାହୀ ସଂତୋଷୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହ ନାରୀଙ୍କ ପାଇଁ ସେ ଉଦାହରଣ ବୋଲି କହିଥିଲେ। ଆଗାମୀ ଦିନରେ ମଧ୍ୟ ସେ ରାଜ୍ୟର ସମସ୍ତ ଅସହାୟ ଯୁବତୀଙ୍କ ସହଯୋଗ କରିବେ ବୋଲି କହିଥିଲେ। ସଂତୋଷୀଙ୍କ ଏଭଳି ଯାତ୍ରା ଏକ ବିରଳ ଉଦାହରଣ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର