ଚର୍ଚ୍ଚାରେ ଲାଭଦାୟକ ପଦ ଓ ମିଥ୍ୟା ସତ୍ୟପାଠ ମାମଲା: ଯୋଗେଶ ସିଂଙ୍କଠାରୁ କୁସୁମଙ୍କ ଯାଏ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ନାମରେ ଆସିଥିବା ଲାଭଦାୟକ ପଦବି (ଅଫିସ ଅଫ୍ ପ୍ରଫିଟ୍) ଓ ମିଥ୍ୟା ସତ୍ୟପାଠ ମାମଲାକୁ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଉଚ୍ଚ ନ୍ୟାୟାଳୟଙ୍କ ଏକ ଖଣ୍ଡପୀଠ ଖାରଜ କରିଛନ୍ତି। ଏହାସହ ଆବେଦନକାରୀ ସୁନ୍ଦରଗଡ଼ ପୌରାଞ୍ଚଳ ନିବାସୀ ଜଗଦୀପ ପ୍ରସାଦ ଦେଓଙ୍କୁ ୨ ସପ୍ତାହ ମଧ୍ୟରେ ମକଦ୍ଦମା ଖର୍ଚ୍ଚ ବିଧାୟିକା ଶ୍ରୀମତୀ ଟେଟେଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ଅବସରରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ଯୋଗେଶ ବନାମ କୁସୁମଙ୍କ ମିଥ୍ୟା ସତ୍ୟପାଠ ମାମଲା। ମାମଲାରେ ଗୋଟିଏ ଦଶନ୍ଧି ଧରି ସୁନ୍ଦରଗଡ଼ ବିଧାୟକ ପଦବି ବିବାଦରେ ଛନ୍ଦି ହୋଇ ରହିଥିଲା।

ବିଗତ ଦିନରେ ୨୦୦୯ ଓ ୨୦୧୪ରେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ନାମରେ ଜାଲ୍ ଜାତିଗତ ପ୍ରମାଣପତ୍ର ଓ ନିଜ ପତ୍ନୀ, ପିଲାଙ୍କ ସଂପତ୍ତି ସଂପର୍କରେ ଠିକ୍‌ ତଥ୍ୟ ପ୍ରଦାନ ନକରି ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ୨୦୦୯ରେ ପ୍ରେମସାଗର ଓରାମ ଓ ୨୦୧୪ରେ ବିଜେପି ପ୍ରାର୍ଥୀ ସହଦେବ ଖାଖା ଓ ତତ୍କାଳୀନ ବିଜେଡି ପ୍ରାର୍ଥୀ କୁସୁମ ଟେଟେଙ୍କ ସ୍ବାମୀ (ଜଣେ ଭୋଟର୍‌ ଭାବେ) ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପୃଥକ୍‌ ପୃଥକ୍‌ ମାମଲା ଦାଏର କରିଥିଲେ। ୨୦୧୪ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ୨୦୧୮ ଜାନୁଆରି ୩୧ରେ ଯୋଗେଶଙ୍କ ବିଧାନସଭା ସଭ୍ୟପଦ ରଦ୍ଦ କରିଥିଲେ।

ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୮ ଫେବ୍ରୁଆରି ୧୩ରେ ଏକ ଆଦେଶରେ ଯୋଗେଶଙ୍କ ବିଧାୟକ ପଦକୁ କାଏମ ରଖିଥିଲେ। ଅପରପକ୍ଷେ, ୨୦୧୯ ବିଧାନସଭା ନିର୍ବାଚନବେଳେ ଦାଖଲ ନାମାଙ୍କନପତ୍ରରେ ବିଧାୟିକା ଶ୍ରୀମତୀ ଟେଟେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଥିବା ଏବଂ ସେଥିରୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କିତ ତଥ୍ୟ ଉଲ୍ଲେଖ କରି ନଥିବାରୁ ତୁରନ୍ତ ତାଙ୍କ ନାମାଙ୍କନପତ୍ରକୁ ଅବୈଧ ଘୋଷଣା କରି ପଦରୁ ହଟାଇବା ଓ ଫୌଜଦାରି ମାମଲା ରୁଜୁ କରିବାକୁ ଦାବି କରିଥିଲେ ଯୋଗେଶ। ଅନ୍ୟପଟେ, ଜଗଦୀପ ପ୍ରସାଦ ଦେଓ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ, ତାହାକୁ ଅଯଥା ମୋକଦ୍ଦମା କହି ଗତକାଲି ଖାରଜ କରି ଦେଇଛନ୍ତି ଉଚ୍ଚନ୍ୟାୟାଳୟ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ପୁଣିଥରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଦୁଇ ପ୍ରତିଦ୍ବନ୍ଦ୍ବୀ- ପୂର୍ବତନ ବିଧାୟକ ଯୋଗେଶ ଓ ବର୍ତ୍ତମାନର ବିଧାୟିକା କୁସୁମ ମୁହାଁମୁହିଁ ହେବାର ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର