ଅବଢ଼ା ଦରରେ ଲାଗୁନି ଲଗାମ, ଦର ତାଲିକା ଲଗାଯିବ କହି ଭୁଲିଯାଇଛି ପ୍ରଶାସନ

ପୁରୀ : ଶ୍ରୀମନ୍ଦିରରେ ଲାଗିବ ମହାପ୍ରସାଦ ଦର ତାଲିକା। ଅବଢ଼ା ଦରକୁ ନେଇ ଭକ୍ତଙ୍କ ମନରେ ଥିବା ଅସନ୍ତୋଷ ପ୍ରଶମିତ ହେବ। ଆନନ୍ଦ ବଜାରର ଶୃଙ୍ଖଳା ଆସିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏମିତି କେତେ ଆଶା ଦେଖାଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର ଖସଡ଼ା ବି ପ୍ରସ୍ତୁତ କରିଥିଲା। ମାତ୍ର ସବୁ ଫସର ଫାଟିଗଲା। ମାସେ କି ବର୍ଷେ ନୁହେଁ, ବରଂ ୨ ବର୍ଷ ତଳର ଏ ନିଷ୍ପତ୍ତିକୁ ବି ଆଜି ଯାଏଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିପାରିଲା ନାହିଁ। ବାବୁମାନେ ଘୋଷଣା କରି ବସିଗଲେ, ପ୍ରଶାସକ ବି ଗଦ୍‌ଗଦ୍‌ ହୋଇ ଉଗାରି ଦେଇ ଭୁଲିଗଲେ। ଫଳରେ ଏବେ ବି ଭକ୍ତମାନେ ଅବଢ଼ାର ମୂଲ୍ୟ ଦେବା ବେଳକୁ ତଣ୍ଟି ଶୁଖିଯାଉଛି। କିଏ ଜଣଙ୍କ ପାଇଁ ଖାଇବାକୁ ଦେବାକୁ ଶହେ ଟଙ୍କା ନେଉଛି ତ କିଏ ଦୁଇଶହ ନେଲାଣି। ପୁଣି ସେଥିରେ ବି ପେଟ ପୂରୁନାହିଁ। ବରଂ ଅବଢ଼ା ବିକ୍ରେତା ଯାହା ଦେଉଛନ୍ତି, ସେତିକି ଧରି କାନ ମୁଣ୍ଡା ଆଉଁଷି ଫେରିବାକୁ ପଡ଼ୁଛି। କାହାର ମନକୁ ନ ପାଇଲେ ପଇସାବାଲାଏ ସିନା କିଣି ଦେଉଛନ୍ତି। ‌ହେଲେ ଗରିବ ଓ ମଧ୍ୟବିତ୍ତ ଲୋକଟିଏ ପରିବାର ନେଇ ଗଲେ ଆନନ୍ଦବଜାରରେ ଅବଢ଼ା ଦର ଶୁଣି ଖାଇବାକୁ ମନ ବଳାଉ ନାହିଁ। ବରଂ କାନିକା ଓଳିଟିଏ ଧରି ଟିକେ ପାଇଦେଇ ଫେରିବାକୁ ବାଧ୍ୟ ହେଉଛି।

ସକାଳୁ ମିଳୁଥିବା ଅବଢ଼ା ଦର ଅପେକ୍ଷା ଉପରବେଳା ମିଳୁଥିବା ଅବଢ଼ା ଦର ମଧ୍ୟରେ ବହୁ ଫରକ ‌ରହୁଛି। ଗୋଟିଏ ପ୍ରକାର ଦର ରହୁନଥିବାରୁ ଯାହା ପାଟିରୁ ଯେତେ ଦର ବାହାରୁଛି ସେତିକି ଦରରେ ଅବଢ଼ା କିଣିବାକୁ ପଡ଼ୁଛି। ଫଳରେ ଇଚ୍ଛା ନଥାଇ ବି ‌ବେଳେବେଳେ ଭକ୍ତମାନେ ଅନ୍ୟ ବିକ୍ରେତାଙ୍କ ପାଖକୁ ଯାଇ ମୂଲଚାଲ କରୁଛନ୍ତି। ବିଶେଷକରି ଉପରବେଳା ଅବଢ଼ା ଦର ଉପରେ ନିୟନ୍ତ୍ରଣ ରହୁନାହିଁ। ୫ ଜଣିଆ ପରିବାରଟିଏ ଅବଢ଼ା ଖାଇବାକୁ ଇଚ୍ଛା କଲେ ୭ ଶହରୁ ୧ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ଜଣେ କି ଦୁଇଜଣ ଖାଇଲେ ୩ ଶହରୁ କମ୍‌ ପଡ଼ୁନାହିଁ। ଫଳରେ ଭକ୍ତମାନେ ଅନେକ ସମୟରେ ଅବଢ଼ା କିଣାକୁ ନେଇ ଶୋଷଣର ଶିକାର ହେଉଥିବା ସ୍ବୀକାର କରିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ପରେ ଅବଢ଼ା ଦରରେ ନିୟନ୍ତ୍ରଣ ଆଣିବା ପାଇଁ ବାଟ ଖୋଲିଥିଲା। ମାତ୍ର ତାହା ବି ଅଧାରେ ଲଟକି ରହିଛି।

ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ମାସରେ ଶ୍ରୀମନ୍ଦିରରେ ଅବଢ଼ା ଦର ଲାଗିବ ବୋଲି ନିଷ୍ପତ୍ତିପୂର୍ବକ ଖସଡ଼ା ପ୍ରସ୍ତୁତ ହୋଇଥିଲା। ପରୀକ୍ଷାମୂଳକ ଭାବେ ପ୍ରଥମେ ନୃସିଂହ ମନ୍ଦିର ଓ ପରେ କୋଠଭୋଗରେ ଅବଢ଼ା ରୋଷେଇ କରି ଦର ଧାର୍ଯ୍ୟ କରାଯିବ ବୋଲି କୁହାଗଲା। ମାତ୍ର ବାରମ୍ବାର ବିବାଦର ସୂତ୍ରପାତ ହେଲା। କୋଠଭୋଗ ସୁଆରଙ୍କ ଅସହଯୋଗ ‌ଯୋଗୁ ଏହା ଅଟକି ଥିଲା। ଆପୋସ ବୁଝାମଣା ପରେ ସୁଆର ମହାସୁଆର ନିଯୋଗ ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରୀକ୍ଷାମୂଳକ ଭାବେ ବରାଦି ଅବଢ଼ା ରୋଷେଇ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଚାଉଳ, ଡାଲି, ଘିଅ, ପରିବା ଯୋଗାଇ ଦେଇଥିଲା। ଏଥିରେ କାନିକା, ଖେଚୁଡ଼ି, ଡାଲି, ଡାଲମା, ବେସର, ମହୁର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା। ଅବଢ଼ା ରୋଷେଇ ସମୟରେ ଯେଉଁମାନେ ସମ୍ପୃକ୍ତ ଓ ଉପସ୍ଥିତ ଥିଲେ ସେମାନେ ସପ୍ତାହେ ଭିତରେ ଚୂଡ଼ାନ୍ତ ରିପୋର୍ଟ ଦେବା ପରେ କୁଡ଼ୁଆ ଓ ରୋଷେଇ ସାମଗ୍ରୀର ଖର୍ଚ୍ଚକୁ ହିସାବକୁ ନେଇ ଦରଦାମ ଉପରେ ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହେଲା। ମାତ୍ର ସପ୍ତାହେ ଯାଇ ଦୁଇବର୍ଷ ବିତିଗଲା। ଅଥଚ ଦର ଧାର୍ଯ୍ୟ ହୋଇପାରିଲାନି କି ଆନନ୍ଦ ବଜାରରେ ଦର ତାଲିକା ଲଗାଯାଇପାରିଲା ନାହିଁ। ଫଳରେ ଭକ୍ତମାନେ ପୁଣି ଆଗଭଳି ଶୋଷଣର ଶିକାର ହୋଇଚାଲିଛନ୍ତି। କରୋନା ‌ଯୋଗୁ ଦୀର୍ଘ ୧୦ ମାସ ପରେ ମନ୍ଦିର ଖୋଲିବା ସହ ନିକଟରେ ମହାପ୍ରସାଦ ବିକ୍ରି ଆରମ୍ଭ ହୋଇଛି। ତେଣୁ ଦୀର୍ଘଦିନ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିବା ଏବଂ ମହାପ୍ରସାଦ ସେବନ କରିପାରିନଥିବା ବ୍ୟକ୍ତିବିଶେଷ ଆନନ୍ଦରେ ଆନନ୍ଦ ବଜାରକୁ ଆସୁଛନ୍ତି ସିନା, କିନ୍ତୁ ଦର ଶୁଣି ସେମାନଙ୍କ ଆନନ୍ଦ ମରିଯାଉଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ଯେଉଁ ପ୍ରୟାସ ଆରମ୍ଭ କରିଥିଲା, ଅନ୍ତତଃ ତାକୁ ସାକାର କରୁ ବୋଲି ଭକ୍ତମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର