ନିଶା ବେପାରୀଙ୍କୁ ଧରିଲା ଅବକାରୀ ସ୍କ୍ବାଡ୍‌

ଜଟଣୀ : ଜଟଣୀ ସହର ଏବଂ ଏହାର ଆଖପାଖ ଅଞ୍ଚଳ ବର୍ତ୍ତମାନ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ ବିକ୍ରି ଓ ଚୋରା ଚାଲାଣ ହେଉଥିବା ସାଧାରଣରେ ଆଲୋଚନା ହେଉଛି। ଏ ଦିଗରେ ସ୍ଥାନୀୟ ଅବକାରୀ ବିଭାଗ, ଜଟଣୀ ପୁଲିସ ଓ କମିସନରେଟ ପୁଲିସର ଏସ୍‌ଟିଏଫ୍‌ ଟିମ୍ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ଏହି ନିଶା ବେପାରୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ନ ନଜର ରଖିଛି। ଦୁଇଦିନ ତଳେ ସ୍ଥାନୀୟ ଅଞ୍ଚଳରେ ଜଣେ ନିଶା ବେପାରୀକୁ ଗିରଫ କରି ତା’ ନିକଟରୁ ବିପୁଳ ପରିମାଣର ବ୍ରଉନ୍‌ସୁଗାର୍‌, ସୁନାରୂପା ଅଳଙ୍କାର ଏବଂ ନଗଦ ଟଙ୍କା ଜବତ କରିଥିବା ବେଳେ ଶୁକ୍ରବାର ଦିନ ଦୁଇଜଣ ଡ୍ରଗ୍ସ ବେପାରୀଙ୍କୁ କାବୁ କରିଛି।

ଶୁକ୍ରବାର ଦିନ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍‌ ଇନ୍ସପେକ୍ଟର ଦିଲୀପ କୁମାର ବେହେରାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ସ୍ଥାନୀୟ କୁଦିଆରି ବଜାର ମାଲଗୋଦାମ ଛକ ଏବଂ ରେଳ ଷ୍ଟେସନ୍‌ ସମ୍ମୁଖରୁ ବିପୁଳ ପରିମାଣର ହେରୋଇନ ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ଉରେ ଅଭିଯୁକ୍ତ ଲୋକୋ କଲୋନିର ଦିଲୀପ କୁମାର ଦାସ(୩୬)ଠାରୁ ୧୧୨ ଗ୍ରାମ୍ ଓ କୁଦିଆରୀ ମାଲଗୋଦାମ ଛକ ଅଞ୍ଚଳର ରମଜାନ ଖାନ୍(୩୮)ଠାରୁ ୯୪ ଗ୍ରାମ୍ ହେରୋଇନ ଜବତ କରିଛି। ଏ ନେଇ ଅବକାରୀ ଥାନାରେ ମାମଲା ରୁଜୁ ହୋଇ ଦୁଇ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ରୋଶନ ଇସୁ ହାଁସଦା, ସବଇନ୍ସପେକ୍ଟର ସଚିନ୍ ବେହେରା, ଏଏସ୍ଆଇ ନଟବର ମଲିକ୍, ରାଜକିଶୋର ନାଏକ, ସକିର ଉଲ୍ଲା, ବ୍ରଜକିଶୋର ବିନ୍ଧାଣୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର