କରୋନା କାଳରେ ତରବରିଆ ଭାବେ ଏକାଡେମୀର କାର୍ଯ୍ୟକ୍ରମ

ନିମନ୍ତ୍ରଣ ପତ୍ରରେ ୩୨ ବକ୍ତା ଓ ଆଲୋଚକ, ସଭାକକ୍ଷରେ ମୋଟ ୧୬ ଜଣ

ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଆମ ଗାଁ ଆମ ସାହିତ୍ୟ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ କଳାହାଣ୍ଡିର ଏକ କାର୍ଯ୍ୟକ୍ରମ ଭବାନୀପାଟଣା ସହରସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସହଯୋଗରେ ତାଙ୍କ ସମ୍ମିଳନୀ କକ୍ଷରେ ଗତ ୯ ତାରିଖ ରବିବାର ଆୟୋଜିତ ହୋଇଥିଲା। ଏକାଧିକ ଅଧିବେଶନରେ ହେବାକୁ ଏହି କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ଉଦ୍‌ଘାଟନୀ ସଭା ପାଇଁ ୧୦ ଜଣ ନିମନ୍ତ୍ରିତ ଅତିଥି ଓ ବକ୍ତାଙ୍କ ନାମ ଉଲ୍ଲେଖ ହୋଇଥିବା ବେଳେ ଆଲୋଚନା ଚକ୍ର ପାଇଁ ୨୨ ଜଣ ଆଲୋଚକଙ୍କ ନାମ ଉଲ୍ଲେଖ ରହିଛି। କୋୖତୂହଳର ବିଷୟ ଉକ୍ତ କାର୍ଯ୍ୟକ୍ରମରେ ମହାବୀର ଅନୁଷ୍ଠାନର ୩ କର୍ମକର୍ତ୍ତାଙ୍କ ସମେତ ସଭାକକ୍ଷରେ ସର୍ବମୋଟ ୧୬ ଜଣ ଉପସ୍ଥିତ ଥିଲେ।

ଗତ ସପ୍ତାହେ ହେଲା କରୋନା ସଂକ୍ରମଣ ଅତ୍ୟନ୍ତ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଅନେକ ସରକାରୀ, ଏପରିକି ବେସରକାରୀ କାର୍ଯ୍ୟକ୍ରମମାନ ବାତିଲ ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଆମ ଗଁା ଆମ ସାହିତ୍ୟ’ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ କୋୖଣସି ମତେ କରେଇନିଆଯାଉଥିବା ଦେଖିବାକୁ ମିଳିଛି। ଗତ ଦୁଇଦିନ ଭିତରେ ଏକାଧିକ ଜିଲ୍ଲାରେ ତରବରିଆ ଭାବେ ଏହି କାର୍ଯ୍ୟକ୍ରମ କରାଯାଇଛି। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମଗୁଡ଼ିକରେ ରାଜଖରିଆର, ବନ୍ତ ଭଳି ଛୋଟ ସହର କିମ୍ବା ଗ୍ରାମାଂଚଳରେ ଉପସ୍ଥିତି ଆଶାନୁରୂପ ଥିବା ବେଳେ ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଅୟୋଜିତ ଅଧିକାଂଶ କାର୍ଯ୍ୟକ୍ରମରେ ନିରୁତ୍ସାହଜନକ ଉପସ୍ଥିତି କାର୍ଯ୍ୟକ୍ରମର ପ୍ରକୃତ ଉଦ୍ଦେଶ୍ୟର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଭିଡ୍‌ କଟକଣା ଦୃଷ୍ଟିରୁ ମୋଟ୍‌ ୬୦ ଜଣଙ୍କୁ ନେଇ ଏହା କରାଇବା ପାଇଁ ଏକାଡେମୀ ଆୟୋଜକମାନଙ୍କୁ ସୂଚନା ଦେଇଥିବା କୁହାଯାଉଛି। ତେବେ ‌ପୂର୍ବରୁ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ବଜେଟ୍ ହୋଇଥିବା ନଁା’ରେ ଏହାକୁ ଧର୍ମକୁ ଆଖିଠାର ନାମରେ ଯାହିତାହି ଭାବେ କରେଇନେବା ଭଳି ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ହେଉଥିବା ଆଲୋଚନା ଚକ୍ରରେ ସାଧାରଣତଃ ଗବେଷଣାପ୍ରସୂତ ବକ୍ତବ୍ୟମାନ ଉପସ୍ଥାପିତ ହୋଇଥାଏ। ଅଥଚ ଉପର ବର୍ଣ୍ଣିତ ଆଲୋଚନା ଚକ୍ରରେ ୨୨ ଜଣ ଆଲୋଚକମାନଙ୍କୁ ରଖାଯିବା ଦ୍ବାରା କାର୍ଯ୍ୟକ୍ରମଟି ତୁଷ୍ଟୀକରଣ-ସର୍ବସ୍ବ ହେଉଥିବା ସ୍ପଷ୍ଟ ହେଉଛି। ବଲାଙ୍ଗୀର, ଯାଜପୁର ଭଳି କେତେକ ସ୍ଥାନରେ ଏକାଡେମୀର ପୂର୍ବ ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ଗୋଷ୍ଠୀର ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଏକାଧିକ ନିମନ୍ତ୍ରଣ ପତ୍ର ଛପାଯାଇଥିବା ମଧ୍ୟ ନଜିର ରହିଛି। ସେହି ଦୃଷ୍ଟିରୁ ‘ଆମ ଗଁା ଆମ ସାହିତ୍ୟ କାର୍ଯ୍ୟକ୍ରମ’ ଆୟୋଜନ ବେଳେ ଏକାଡେମୀ କର୍ମକର୍ତ୍ତାମାନେ ଏହି ଦିଗକୁ ନେଇ ସତର୍କ ରହିବା ଉଚିତ ଥିଲା ବୋଲି ଆଲୋଚନା ହେଉଛି। ଏ ନେଇ ଏକାଡେମୀର ସଂପାଦକଙ୍କୁ ଯୋଗାଯୋଗ ସମ୍ଭବ ହୋଇନାହିଁ।

ସମ୍ବନ୍ଧିତ ଖବର