ଆରମ୍ଭ ହେବ ଆଉ ୧୨ ନୂଆ ବିମାନସେବା

ଜୁଲାଇ ୧ରୁ ଭୁବନେଶ୍ବର-ପ୍ରୟାଗରାଜ ବିମାନ
ଭୁବନେଶ୍ବରରେ ବିମାନ କମ୍ପାନି ସିଇଓଙ୍କ ବୈଠକ
ବିକାଶର ଚିତ୍ର ଦେଖାଇଲେ ରାଜ୍ୟ ସରକାର
ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର : ଭୁବନେଶ୍ବରରୁ ଘରୋଇ ବିମାନ ଚଳାଚଳ ସେବାରେ ବୃଦ୍ଧି ଘଟିଛି। କିନ୍ତୁ ଏବେ ବି ଭୁବନେଶ୍ବରରୁ ଦେଶର ଅନେକ ପ୍ରମୁଖ ସହରକୁ ବିମାନ ଉଡ଼ୁ ନାହିଁ। ଆନ୍ତର୍ଜାତିକ ବିମାନ ଉଡ଼ାଣ ସମ୍ପୂର୍ଣ୍ଣ ନୈରାଶ୍ୟଜନକ। ସରକାରଙ୍କ ଠାରୁ ସବ୍‌ସିଡି ନେଇ ବିଦେଶକୁ ମାତ୍ର ଗୋଟିଏ ବିମାନ ଚଳାଚଳ କରୁଛି। ଏମିତି ସ୍ଥିତିରେ ଓଡ଼ିଶାକୁ ଅଧିକ ବିମାନ ଚଳାଚଳ କରିବା ପାଇଁ ଆଜି ହୋଟେଲ୍‌ ମେ’ ଫେୟାରରେ ମାନସ ମନ୍ଥନ ହୋଇଛି। ଏଥିରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବିମାନ ବନ୍ଦର କର୍ତ୍ତୃପକ୍ଷ, ବିମାନ ସେବା ଯୋଗାଉଥିବା କମ୍ପାନି ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଦିନତମାମ ଆଲୋଚନା କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେଇ ରାଜ୍ୟ ବିକାଶର ଚିତ୍ର ଉପସ୍ଥାପନ କରିବା ସହ ବିମାନ ‌ସେବା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କେଉଁ ସହରକୁ ବିମାନ ଚଳାଚଳ ପାଇଁ କେଉଁ କମ୍ପାନି ଆଗ୍ରହ ପ୍ରକାଶ କଲେ, ସେ ସମ୍ପର୍କରେ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁଯୋଗ, ସମ୍ଭାବନା ଉପରେ କମ୍ପାନିମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୈଠକରେ ଓଡ଼ିଶାରୁ ଚଳିତ ବର୍ଷ ଆରମ୍ଭ ହେଉଥିବା ୧୪ଟି ବିମାନସେବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଅଧିକାଂଶ ବିମାନ ଜାନୁଆରିରୁ ମେ’ ମାସ ଭିତରେ ଉଡ଼ାଣ ଆରମ୍ଭ କରିବ। ଏହା ମଧ୍ୟରୁ ଏୟାର ଇଣ୍ଡିଆର ଭୁବନେଶ୍ବର-ବେଙ୍ଗାଲୁରୁ ଓ ଭୁବନେଶ୍ବର-ସୁରଟ ବିମାନସେବା ଚଳିତ ମାସରେ ଆରମ୍ଭ ହୋଇଛି। ଏଇ ମାସରେ ଆଲେୟାନ୍ସ ଏୟାରର କୋଲକାତା-ଝାରସୁଗୁଡ଼ା ଓ ଭୁବନେଶ୍ବର-ବାରଣାସୀ ବିମାନସେବା ଆରମ୍ଭ ହେବ। ଫେବ୍ରୁଆରି ୨୯ରୁ ଇଣ୍ଡିଗୋର ଭୁବ‌େନଶ୍ବର-ବାରଣାସୀ ଓ ଜୁଲାଇ ୧ରେ ଭୁବନେଶ୍ବର-ପ୍ରୟାଗରାଜ ବିମାନ ଚଳାଚଳ ଆରମ୍ଭ ହେବ। ମେ’ ମାସ ଭିତରେ ସ୍ପାଇସ୍‌ଜେଟ୍‌ର ଝାରସୁଗୁଡ଼ା-ମୁମ୍ବାଇ, ଏୟାର ଏସିଆର ଦିଲ୍ଲୀ-ଭୁବନେଶ୍ବର, ଆଲେୟାନ୍ସ ଏୟାର୍‌ର ଭୁବନେଶ୍ବର-ରାଉରକେଲା, ଭୁବନେଶ୍ବର-କାଲାଇକୁଣ୍ଡା ବିମାନ ସେବା ଯୋଗାଇ ଦିଆଯିବ। ଏହା ବାଦ୍ ବିଦେଶକୁ ଚାରିଟି ବିମାନ ଉଡ଼ାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକ ହେଲା ଭୁବନେଶ୍ବର-ବ୍ୟାଙ୍ଗକକ୍‌, ବ୍ୟାଙ୍ଗକକ୍‌-ଭୁବନେଶ୍ବର, ସିଙ୍ଗାପୁର-ଭୁବନେଶ୍ବର ଓ ଭୁବନେଶ୍ବର-ଆବୁଧାବି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଗତ କିଛି ବର୍ଷ ଧରି ଓଡ଼ିଶାର ବିକାଶ ଦ୍ରୁତ ଗତିରେ ଚାଲିଛି। ଖଣି, ଉତ୍ପାଦନ, ପର୍ଯ୍ୟଟନ, ସଂସ୍କୃତି, କ୍ରୀଡ଼ା, ଶିକ୍ଷା ଓ ଆଇଟି ଆଦି କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଅଧିକ ହୋଇଛି। ଓଡ଼ିଶାରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବି ବଢ଼ିଛି। ଯଦିଓ ଘରୋଇ ବିମାନ ଚଳାଚଳ ବୃଦ୍ଧି ପାଇଛି, ତେବେ ଆନ୍ତର୍ଜାତିକ ଉଡ଼ାଣ ପାଇଁ ଯ‌େଥଷ୍ଟ ସୁଯୋଗ ରହିଛି। ଆମେରିକା , ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ-ପୂର୍ବ ଏସିଆ ଦେଶରେ ବହୁ ସଂଖ୍ୟାରେ ଉଚ୍ଚଶିକ୍ଷିତ ଓଡ଼ିଆ କାମ କରୁଛନ୍ତି। ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ରରେ ମଧ୍ୟ ଓଡ଼ିଆଙ୍କ ସଂଖ୍ୟା ଯଥେଷ୍ଟ ରହିଛି। ‘ସ୍କିଲ୍‌ଡ୍‌ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ‘ବ୍ରାଣ୍ଡ୍‌ ଓଡ଼ିଶା’କୁ ଦୃଢ଼ କରିଛି। ଏହାଦ୍ବାରା ଓଡ଼ିଶାରୁ ସୃଷ୍ଟି ହେଉଥିବା ଦକ୍ଷ ମାନବ ସମ୍ବଳର ଚାହିଦା ସାରା ବିଶ୍ବରେ ରହିଛି। ଏହା ବାଦ୍ ଭ୍ରମଣପ୍ରିୟ ମଧ୍ୟବିତ୍ତଙ୍କ ଉତ୍‌ଥାନ ଫଳରେ ବିଦେଶକୁ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଭୁବନେଶ୍ବରରୁ ଦୁବାଇ, ଆବିଧାବି, ସିଙ୍ଗାପୁର, ଶ୍ରୀଲଙ୍କା, ହଂକଂ ଓ ବ୍ୟାଙ୍ଗକକ୍‌ ଆନ୍ତର୍ଜାତିକ ବିମାନ ଚଳାଚଳ କଲେ ରାଜ୍ୟର ଲୋକମାନେ ତାହାର ସୁବିଧା ନେଇପାରିବେ। ଓଡ଼ିଶାରୁ ବିମାନ ସଂଖ୍ୟା ବଢ଼ାଇଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ପୁନେ, ଜୟପୁର, ଲକ୍ଷ୍ନୌ, ଚେନ୍ନାଇ, ଭାଇଜାଗ୍, କୋଚି ଓ ରାଞ୍ଚିକୁ ଓଡ଼ିଶାରୁ ବିମାନ ସେବା ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓଡ଼ିଶାରେ ପର୍ଯ୍ୟଟନ ଓ ଶିଳ୍ପର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ କହିଥି‌େଲ, ଭୁବନେଶ୍ବର, ଝାରସୁଗୁଡ଼ା, ରାଉରକେଲା ଓ ଉତ୍‌କେଲାରୁ ଅଧିକ ଘରୋଇ ଓ ଆନ୍ତର୍ଜା‌ତିକ ବିମାନ ଉଡ଼ାଣ ପାଇଁ ଓଡ଼ିଶା ସରକାର ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ବେସାମରିକ ବିମାନ ଚଳାଚଳ ସଚିବ ପି ଏସ୍‌ ଖରୋଲା କହିଥିଲେ, ଅର୍ଥନୈତିକ ବିକାଶରେ ବିମାନ ଚଳାଚଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। ଜାତୀୟ ସ୍ତରରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ୧୭ ପ୍ରତିଶତ ବୃଦ୍ଧି ହୋଇଥିଲା ବେଳେ ଭୁବନେଶ୍ବରରେ ଏହି ହାର ୨୯ ପ୍ରତିଶତ। ତେଣୁ ବିମାନ ସେବା ପ୍ରଦାନକାରୀ କମ୍ପାନିମାନେ ଓଡ଼ିଶାରୁ ଅଧିକ ବିମାନ ଚଳାଚଳ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ସେ ଆଶାପ୍ରକଟ କରିଥିଲେ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଉଡ଼ାଣ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ଓଡ଼ିଶାର ବିଭିନ୍ନ ଏୟାରଷ୍ଟ୍ରିପ୍‌ର ବିକାଶ ନେଇ ସୂଚନା ଦେଇଥିଲେ। ବାଣିଜ୍ୟ ଓ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦା, ଶିଳ୍ପ ସଚିବ ହେମନ୍ତ ଶର୍ମା, ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ନିଜ ନିଜ ବିଭାଗର ବିକାଶର ଚିତ୍ର ଉପସ୍ଥାପନ କରିଥିଲେ। ବିଭିନ୍ନ ଏୟାରଲାଇନ୍‌ର ୨୫ ଜଣ ସିଇଓ ଏଥିରେ ଯୋଗ ଦେଇଥିଲେ।

ଟ୍ରାଭେଲ୍‌, ଟୁର୍‌ ଅପରେଟର୍‌ଙ୍କୁ ସାମିଲ୍‌ କରାଗଲାନି
ଓଡ଼ିଶାରୁ ଲୋକ ବାହାରକୁ ଯିବା ଓ ବାହାରର ପର୍ଯ୍ୟଟକ ଏଠାକୁ ଆସିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ଟ୍ରାଭେଲ୍‌ ସଂସ୍ଥା ଓ ଟୁର୍‌ ଅପରେଟର୍‌। ବିମାନ ସେବା ପ୍ରଦାନକାରୀ କମ୍ପାନି ଏହି ସଂସ୍ଥାଗୁଡ଼ିକ ସହ ହିଁ ମୁଖ୍ୟତଃ ବ୍ୟବସାୟ କରନ୍ତି। ଏହି ସଂସ୍ଥାଗୁଡ଼ିକ କମ୍ପାନିକୁ ବଜାରର ବାସ୍ତବ ସ୍ଥିତି ଦେଖାଇ ସେମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରାଇବାରେ ମୁଖ୍ୟ ଭୂମିକା ନିଅନ୍ତି। କିନ୍ତୁ ଆଜିର ବୈଠକରେ ଟୁର୍‌ ଅପରେଟର୍‌ ଓ ଟ୍ରାଭେଲ୍‌ସ୍‌ ସଂସ୍ଥାମାନଙ୍କୁ ଡକାଯାଇ ନ ଥିଲା। କେବଳ ସରକାରୀ ଅଧିକାରୀମାନେ କମ୍ପାନି ସିଇଓମାନଙ୍କ ସହ ଆ‌େଲାଚନା କରିଥିଲେ। ଟୁର୍‌ ଅପରେଟର୍‌ ଓ ଟ୍ରାଭେଲ୍‌ସ୍‌ ସଂସ୍ଥାମାନଙ୍କୁ ବିମାନ ସେବା କମ୍ପାନିର ସିଇଓମାନଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଡାକିଥିଲେ ଏହି ବୈଠକ ଆହୁରି ଫଳପ୍ରଦ ହୋଇଥା’ନ୍ତା ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର