ସର୍ଭଭାରତୀୟ କବାଡ଼ି: ପ୍ରଥମ ମ୍ୟାଚ୍ ଆୟୋଜକ ଜେକେଏ କିଟ୍ ଟିମ୍‌କୁ ହରାଇଲା

ମହିଳା ବିଭାଗରେ କିଶୋର କ୍ଲବ୍‌କୁ ହରାଇ କିଟ୍ ବିଜୟୀ

ରସୁଲପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଖଣ୍ତିତରଠାରେ ଆଜି ସନ୍ଧ୍ୟାରେ ରଙ୍ଗାରଙ୍ଗ ପରିବେଶରେ ୬୭ତମ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା ଆରମ୍ଭ ହୋଇଛି। ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ପିଆର କ୍ରୀଡ଼ା ପତାକା ଉତ୍ତୋଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ।

ସନ୍ଧ୍ୟା ୬ଟା୪୫ ମିନିଟ୍‌ରେ ପ୍ରଥମ ମ୍ୟାଚ୍ ଆୟୋଜକ ଜେକେଏ (ଯାଜପୁର କବାଡି ଆସୋସିଏସନ୍‌) ଟିମ୍ ଓ କିଟ୍ ଭୁବନେଶ୍ବର ମଧ୍ୟରେ ହୋଇଥିଲା। ଜେକେଏ ଟସ୍‌ ଜିତି କିଟ୍‌କୁ ରେଡ୍ କରିବାକୁ ଆମନ୍ତ୍ରଣ କରିଥିଲା। କିଟ୍‌ର ସିକେନ୍ଦ୍ର ପାଟମାଝୀ ପ୍ରଥମେ ଆକ୍ରମଣ କରିଥିଲେ। କିନ୍ତୁ ଜେକେଏକୁ ପ୍ରଥମ ପଏଣ୍ଟ ମିଳିଥିଲା। ପ୍ରଥମ ମ୍ୟାଚ୍‌ରେ ଯାଜପୁର କବାଡ଼ି ଆସୋସିଏସନ ଟିମ୍ ସଂପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ଶେଷରେ କିଟ୍‌କୁ ୩୨-୧୮ ପଏଣ୍ଟରେ ହରାଇଥିଲା।

ମହିଳା ବର୍ଗରେ ପ୍ରଥମ ମ୍ୟାଚ୍ ଭୁବନେଶ୍ବରର ଦୁଇଦଳ କିଟ୍ ଓ କିଶୋର କ୍ଲବ୍ ମଧ୍ୟରେ ଖେଳାହୋଇଥିଲା। ଏହି ମ୍ୟାଚ୍‌ରେ କିଟ୍ ୨୭-୧୫ ପଏଣ୍ଟରେ ବିଜୟୀ ହୋଇଥିଲା। ଆଜିର ଉଦ୍‌ଘାଟନୀ ଦିବସରେ ରାଜ୍ୟ ବାହାରୁ କୋଲକାତା ପୁଲିସ ଓ ଛତିଶଗଡ଼ର ପୁରୁଷ ଟିମ୍‌ ସହିତ ମୋଟ ୮ଟି ପୁରୁଷ ଦଳ ଓ ୭ଟି ମହିଳା ଦଳ ଯୋଗ ଦେଇଥିଲେ। ପ୍ରଥମ ମ୍ୟାଚ୍ ପାଇଁ ରେଫରି ଭାବରେ ଭଗବାନ ଦାସ ଓ ଲାଇନ୍ସମ୍ୟାନ୍ ଭାବରେ ମଳୟ ରାଉତ ଏବଂ ବେବୀ ପ୍ରସାଦ ମହାନ୍ତି ଖେଳ ପରିଚାଳନା କରିଥିଲେ। ଚଳିତବର୍ଷ ପ୍ରଥମଥର ସମସ୍ତ ମ୍ୟାଚ ସିନ୍ଥେଟିକ୍ ମ୍ୟାଟ୍ ଉପରେ ଖେଳା ଯାଉଛି। ଧର୍ମଶାଳା ବିଧାୟକଙ୍କ ସହଯୋଗରେ ଉଭୟ ପୁରୁଷ ଓ ମହିଳା ବିଭାଗ ମ୍ୟାଚ୍‌ଗୁଡ଼ିକ ପାଇଁ ଦୁଇଟି ମ୍ୟାଟ୍ ବ୍ୟବସ୍ଥା ହୋଇଛି। ପ୍ରଥମ ଦିବସରେ ପାଖାପାଖି ୨ହଜାର ଦର୍ଶକ ଖେଳ ଉପଭୋଗ କରିଥିଲେ।

ଉଦ୍‌ଘାଟନ ପୂର୍ବରୁ ଖେଳାଳିମାନଙ୍କୁ ଷ୍ଟାଡିୟମ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ଉତ୍ସବରେ ସଭାପତିତ୍ବ କରିଥିଲେ ଯାଜପୁର କବାଡ଼ି ଆସୋସିଏସନର ବରିଷ୍ଠ ଉପସଭାପତି ନିଗମାନନ୍ଦ ମହାନ୍ତି। ସହ ସଂପାଦକ ଅଧ୍ୟାପକ ସମରେନ୍ଦ୍ର ଦାଶ ସ୍ବାଗତ ସୂଚନା ଦେଇଥିଲେ। ଜିଲ୍ଲା ତଥା ରାଜ୍ୟର ସୁନାମ ବୃଦ୍ଧିରେ ସହାୟକ ହେଉଥିବା ଭଳି ଏକ ପ୍ରତିଯୋଗିତାର ଆୟୋଜନ କରୁଥିବାରୁ ଆୟୋଜକ ଯାଜପୁର କବାଡ଼ି ଆସୋସିଏସନକୁ  ମଧ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ ରାଉତ, ଜିଲ୍ଲା ଆଥଲେଟିକ ଆସୋସିଏସନର ସାଧାରଣ ସଂପାଦକ ସମ୍ବିତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅନ୍ୟତମ ଉପସଭାପତି ସନ୍ତୋଷ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ମସୁଦପୁର ହାଇସ୍କୁଲର ଛାତ୍ରୀ ରୀମା ସାହୁଙ୍କ ଓଡ଼ିଶୀ ନୃତ୍ୟ ଉପସ୍ଥିତ ଅତିଥି, ଖେଳାଳି ଓ ଦର୍ଶକମାନଙ୍କୁ ‌ମୁଗ୍ଧ କରିଥିଲା। ଯାଜପୁର କବାଡ଼ି ଆସୋସିଏସନର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର