କୋଣାର୍କ ସଂରକ୍ଷଣ ମାମଲାରେ ଆମିକସ୍‌କ୍ୟୁରୀ ନିଯୁକ୍ତ : ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

କଟକ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଂଗକୁ ନେଇ ବିଚାରାଧୀନ ମାମଲାରେ ହାଇକୋର୍ଟ ଅମିକସ୍ କ୍ୟୁରୀ ଭାବେ ଇଂଜିନିୟର ଏନ.କେ.ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆମିକସ୍ କ୍ୟୁରୀ କୋଣାର୍କ ମନ୍ଦିରର ସ୍ଥିତି ସହିତ ଏଏସଆଇ କରୁଥିବା ସଂରକ୍ଷଣ ଓ ମରାମତି କାର୍ଯ୍ୟର ଅନୁଧ୍ୟାନ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଆମିକସ୍ କ୍ୟୁରୀ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ପକ୍ଷରୁ ଦର୍ଶାଯାଇଥିଲା ଯେ ପୂର୍ବରୁ ରୁର୍‌କିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆରଆଇ) ଜଗମୋହନ ସଂରକ୍ଷଣ ପ୍ରସଂଗରେ ବାଲି ଭରିବା ଓ ଅନ୍ୟ କେତେକ ପ୍ରସ୍ତାବ ଦେଇଥିଲେ। ସିବିଆରଆଇର ବିଶେଷଜ୍ଞ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସେମାନେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟପନ୍ଥା ସଂପର୍କରେ ସବିଶେଷ ରିପୋର୍ଟ ଦାଖଲ କରିବା ପରେ ଜଗମୋହନ ସଂରକ୍ଷଣ କାର୍ଯ୍ୟ ଆଗେଇବ। କୋଣାର୍କ ମନ୍ଦିର ପରିସରରେ ଡ୍ରେନେଜ୍ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଥିବା ବେଳେ ଏଏସଆଇ ଡିଜିଙ୍କ ଅନୁରୋଧ କ୍ରମେ ସିବିଆରଆଇ ବିଶେଷଜ୍ଞମାନେ ସମଗ୍ର ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଡ୍ରେନେଜ୍ ବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ରାସାୟନିକ ସଂରକ୍ଷଣ ପ୍ରସଂଗରେ ଏଏସଆଇ ବିଜ୍ଞାନ ବିଭାଗ କାର୍ଯ୍ୟ କରୁଛି। ଏହି କାମ ଆରମ୍ଭ ହୋଇଛି। ମନ୍ଦିରର ଲେଜର ସ୍କାନିଂ ଉପରେ ଗୁରୁତ୍ବା‌ରୋପ କରାଯାଉଛି। ବୋଲି ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କୋଣାର୍କ ମନ୍ଦିର ପରିସର ମଧ୍ୟରୁ ପାଣି ନିଷ୍କାସନ ହଉନାହିଁ। ଫଳରେ ସେଠାରେ ଥିବା କାରୁକାର୍ଯ୍ୟ ନଷ୍ଟ ହେବାକୁ ବସିଲାଣି। ଏଏସଆଇ ଗୋଟିଏ ପଟେ କୋଣାର୍କ ମନ୍ଦିର ପରିସରରେ ଡ୍ରେନେଜ୍ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଥିବା କହିଥିବା ବେଳେ ଏବେ ବି ପରିସରରେ ପାଣି ଜମି ରହୁଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏପରି ପରିସ୍ଥିତିରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠ ଆମିକସ୍ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ଓ ଏଏସ୍‌ଆଇ ପକ୍ଷରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ୨୦୧୬ରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ‘ସମ୍ବାଦ’ର ୨୦୧୮, ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଆବେଦନକାରୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ଅବସ୍ଥା ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡି ସାନି ପିଟିସନ୍ ଦାଖଲ କରିଥିଲେ। ମାମଲାର ଶୁଣାଣି କରି କୋଣାର୍କ ମରାମତି ପ୍ରସଂଗରେ ସତ୍ୟପାଠ ଦାଖଲ ପାଇଁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏଏସଆଇ ମହାନିର୍ଦ୍ଦେଶକ କୋଣାର୍କ ମରାମତି ପ୍ରସଂଗରେ ରହିଥିବା ବିଭିନ୍ନ ପ୍ରସ୍ତାବ ଓ କାର୍ଯ୍ୟକାରୀ କରାଯାଇଥିବା ଯୋଜନା ସଂପର୍କରେ ସତ୍ୟପାଠ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର