ଭିଜିଲାନ୍ସ ଜାଲରେ ଅମିନ, ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ପାଇଖାନାରେ ପକାଇଦେଲେ ଟଙ୍କା

କଣିହାଁ : ଜମି ଚିହ୍ନଟ କରିବାପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଣିହାଁ ସଦର ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟର ଅମିନ ସୌମ୍ୟରଂଜନ ଦାଶ (୩୫)। ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହିତ ତାଙ୍କ କାର୍ଯ୍ୟାଳୟ ଓ ଖଲାରିସ୍ଥିତ ବାସଭବନରେ ଚଢ଼ଉ କରାଯାଇଛି।

ସୂଚନା ଅନୁସାରେ, କଣିହାଁ ଥାନା ତେଲିସିଂହା ଗାଁର ଶୁଭେନ୍ଦୁ ଦାଶ ତାଙ୍କ ଜମି ଚିହ୍ନଟ କରିବା ପାଇଁ କଣିହାଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତେବେ ଦାୟିତ୍ୱରେ ଥିବା ଅମିନ ସୌମ୍ୟରଞ୍ଜନ ଦାସ ଆବେଦନକାରୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶୁଭେନ୍ଦୁ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ସକାଳ ୧୦ଟା ବେଳେ ଶୁଭେନ୍ଦୁ କଣିହାଁ ଆରଆଇ ଅଫିସରେ ସୌମ୍ୟରଂଜନଙ୍କୁ ୨ ହଜାର ଟଙ୍କା ଦେଇଥିଲେ। ତେବେ ଭିଜିଲାନ୍ସ ଅଧିକାରୀମାନେ ଆସୁଥିବା ଜାଣି ଅମିନ ହାତରେ ଧରିଥିବା ଟଙ୍କାକୁ ପାଇଖାନା ପ୍ୟାନରେ ଭର୍ତ୍ତି କରି ସେଥିରେ ପାଣି ଢାଳି ଦେଇଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ଜଣେ ସୁଇପରଙ୍କୁ ଡାକି ପାଇଖାନା ପ୍ୟାନ୍‌ରୁ ଟଙ୍କାକୁ ଉଦ୍ଧାର କରି ଏହାକୁ ଜବତ କରିଛନ୍ତି। ଏଥିନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରି ସୌମ୍ୟରଂଜନଙ୍କୁ ଗିରଫ କରିଛି। ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଓ ଅନୁଗୁଳ ସହର ନିକଟ ଖଲାରିସ୍ଥିତ ବାସଭବନରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରାଯାଇଛି।

ସମ୍ବନ୍ଧିତ ଖବର