କୋଟିଆରେ ଆନ୍ଧ୍ର ବନାମ ଓଡ଼ିଶା : ଆଦର୍ଶ ପଞ୍ଚାୟତ ହେବ କୋଟିଆ

୧୮କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

୧୫୦କୋଟିର ପ୍ରକଳ୍ପ କାମ ଚାଲିଛି
ଖୁବ୍‌ ଶୀଘ୍ର କୋଟିଆ ଯିବେ କହିଲେ ନବୀନ
ନିର୍ବାଚନ ନେଇ ଉଁ କି ଚୁଁ କହିଲେନି

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶା ଅନ୍ତର୍ଗତ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଠିକ୍ ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭି଼ଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ କୋଟିଆ ପଞ୍ଚାୟତର ବିକାଶର ରାସ୍ତା ଖୋଲିଛନ୍ତି। କୋଟିଆ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଖୁବ୍ ଶୀଘ୍ର ସେ ନିଜେ କୋଟିଆ ଯିବେ ବୋଲି ଆଜି ସୂଚନା ଦେଇଛନ୍ତି। ତେବେ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଜବରଦଖଲ ଏବଂ ସ୍ଥାନୀୟ ଅଞ୍ଚଳରେ ନିର୍ବାଚନକୁ ନେଇ ସମଗ୍ର ରାଜ୍ୟରେ ଯେଉଁ ବିତର୍କ ମୁଣ୍ଡ ଟେକିଛି, ସେ ସଂପର୍କରେ ଉଁ କି ଚୁଁ କିଛି କହିନଥିଲେ।

ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୋଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା ଓ ୫ କୋଟି ଟଙ୍କାର ଗୋଟିଏ ଉଚ୍ଚସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ପଞ୍ଚାୟତରେ ଏବେ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି ଓ ନିଜେ ମୁଖ୍ୟମନ୍ତ୍ରୀ ୨୦୧୮ରେ ଏ ସଂକ୍ରାନ୍ତ ପ୍ରକଳ୍ପ ଘୋଷଣା କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ କହିଥିଲେ, ସେ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି। ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସେ ଖୁବ୍ ଶୀଘ୍ର କୋଟିଆ ଯିବେ।

ମାଲକାନଗିରିରୁ ମୟୂରଭଂଜ, କୋରାପୁଟରୁ କଟକ ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି ବୋଲି ସୂଚନା ଦେଇ ନବୀନ କହିଥିଲେ, ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ପାଇଁ ସରକାର କାମ କରୁଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ ଓଡିଶା ଆମର ମା’। ଓଡିଆ ଆମର ଭାଷା। ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର। ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି। ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ।

କୋରାପୁଟକୁ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ସ୍ବାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବିଶେଷ ଅବଦାନ ରଖିଥିଲା। ଏହି ଅବସରରେ ସେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଓ ପଟାଙ୍ଗି ବିଧାୟକ, କୋଟିଆ ପଞ୍ଚାୟତର ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲେ। କୋରାପୁଟ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେକୋଟିଆ ବିକାଶ ଉପରେ ଏକ ସ୍ବତନ୍ତ୍ର ବୃତ୍ତ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର