ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ; ଦାବି ପୂରଣ ନହେଲେ ୯ ଡିସେମ୍ବରରେ ବିଧାନସଭା ଘେରାଉ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାମାନେ ବିକ୍ଷୋଭ ପ୍ରଦର୍ଶନ କରି ୧୭ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଠାରେ ଉପସ୍ଥାପନ କରିଥିଲେ। ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀପ୍ରିୟା ଦାସ ଦାବିଗୁଡ଼ିକ ସମ୍ପର୍କରେ ସୂଚନା ଦେଇ ଅଙ୍ଗନବାଡ଼ି କର୍ମୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ବିକ୍ଷୋଭ ସମାବେଶରେ ଏଆଇଟିୟୁସିର ନବନିର୍ବାଚିତ ଅନ୍ୟତମ ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଯୋଗଦେଇ କରୋନା ମହାମାରୀ ମୁକାବିଲା ବେଳେ ଅଙ୍ଗନବାଡ଼ି କର୍ମୀମାନେ ନିଜ ଜୀବନକୁ ବିପନ୍ନ କରି ଘରକୁ ଘର ଯାଇ କରୋନା ମୁକାବିଲା କରିଛନ୍ତି। ହେଲେ ସରକାର ଏହାର ଶ୍ରେୟ ନେଇ ନିର୍ବାଚନ ଜିତି ବିଧାୟକ ଓ ସାଂସଦଙ୍କ ଭତ୍ତା ବୃଦ୍ଧି କରୁଥିବା ବେଳେ ଉତ୍ସର୍ଗୀକୃତ ଅଙ୍ଗନବାଡ଼ି କର୍ମୀମାନଙ୍କ ପ୍ରତି ଅଣଦେଖା କରୁଥିବା ଶ୍ରୀ ଦାସ ନିଜ ବକ୍ତବ୍ୟରେ କହିଥିଲେ। ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି। ବିଶେଷ କରି ଗୋଟିଏ ଅଣ୍ତାର ଦାମ୍ ୮ ଟଙ୍କା ଧରିଲାଣି କିନ୍ତୁ ସରକାର ଗରମ ରନ୍ଧାଖାଦ୍ୟରେ ଅଣ୍ତା ସହିତ ଭାତ ତରକାରୀ ବାବଦରେ ଏସ୍‌ଏନ୍‌ପି ନାମରେ ମାତ୍ର ୮ଟଙ୍କା ଦେଉଛନ୍ତି, ଯାହା ଭରଣା କରିବା ଅସମ୍ଭବ ହୋଇପଡ଼ିଛି। କେତେକ ବ୍ଲକ୍‌ରେ ସିଡିପିଓ ଓ କିରାଣି ପଦବି ଫାଙ୍କା ଥିବା ବେଳେ କେତେକ ବ୍ଲକ୍‌ରେ ଅଙ୍ଗନବାଡ଼ି କର୍ମୀଙ୍କୁ ୨୦୧୭ ମସିହା ଠାରୁ ଟିଏ ଦିଆଯାଇନଥିବା ଆଉ କେତେକ ବ୍ଲକ୍‌ରେ ଫାଷ୍ଟ୍ ଏଡ଼୍ କିଟ୍ ଓ ଖେଳନା ସାମଗ୍ରୀ ଖରିଦ ବାବଦରେ ଅର୍ଥ ଦିଆନଯିବା ଗଭୀର ଉଦ୍‌ବେଗର ବିଷୟ ବୋଲି ସେ କହିଥିଲେ। ତେଣୁ ବାଲେଶ୍ବର ଜିଲ୍ଲାପାଳ ଏ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କଲେ ଜିଲ୍ଲାର ଲକ୍ଷଲକ୍ଷ ହିତାଧିକାରୀ ଠିକ୍ ସମୟରେ ଠିକ୍ ସୁବିଧା ପାଇପାରନ୍ତେ। ଏଥିସହ ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିମ୍ନମାନର ମୋବାଇଲ୍ ଦେଇ ୨୪ଘଣ୍ଟିଆ ସନ୍ଦେହ ନଜରରେ ଟ୍ରାକିଂ କରିବା ବିଶ୍ବ ମାନବୀୟ ଅଧିକାରର ଗୁରୁତର ଉଲ୍ଲଂଘନ କରାଯାଇଛି। ଏହା ସମ୍ବିଧାନର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇଏଲ୍‌ସିର ସୁପାରିଶ କରିଥିଲେ ମଧ୍ୟ ଅଙ୍ଗନବାଡ଼ି କର୍ମୀମାନଙ୍କୁ ୱାର୍କର ମାନ୍ୟତା ଏ ପର୍ଯ୍ୟନ୍ତ ଦେଉନାହାନ୍ତି। ବଜାର ଦର ଅନୁସାରେ ମାସିକ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କାର ଆବଶ୍ୟକତା ଥିବାବେଳେ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ବେଳେ ସାଂସଦ ବିଧାୟକଙ୍କ ଭତ୍ତା ବଡ଼ାଇବା ଓ ସବୁ କାମରେ ଠିକାଦାର ନିଯୁକ୍ତି ଦେଇ କମିସନ ଖାଇବାରେ ବ୍ୟସ୍ତ ଅଛନ୍ତି। ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ନେତୃତ୍ବରେ ଅଙ୍ଗନବାଡ଼ି କର୍ମୀ ସଂଘ ସଂଯୁକ୍ତ ମୋର୍ଚ୍ଚା ଆହ୍ବାନରେ ଆଗାମୀ ୯ ଡିସେମ୍ବର ସମଗ୍ର ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ମିନିକର୍ମୀ ଓ ସହାୟିକାମାନେ ବିଧାନସଭା ଘେରିବେ। ଏଥିରେ ବାଲେଶ୍ବର ଜିଲ୍ଲାର ସମସ୍ତ ପ୍ରକଳ୍ପର ଅଙ୍ଗନବାଡ଼ି କର୍ମୀମାନେ ଯୋଗଦେଇ ରାଜ୍ୟ ସରକାରକୁ ବାଧ୍ୟବାଧକତା ଭିତରକୁ ଆଣିବାକୁ ଆହ୍ବାନ ଦିଆଯାଇଥିଲା।

ସମ୍ବନ୍ଧିତ ଖବର