୭୩% ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ

୧୨ ଜିଲ୍ଲାର ସେରୋ ସର୍ଭେ ରିପୋର୍ଟ ଆସିଲା, ୧୮ବର୍ଷରୁ କମ୍‌ ୭୨%ଙ୍କ ଦେହରେ ଆଣ୍ଟିବଡି

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ଆଇସିଏମ୍‌ଆର୍‌- ଆର୍‌ଏମ୍‌ଆର୍‌ସି ପକ୍ଷରୁ ରାଜ୍ୟର ୧୨ଟି ଜିଲ୍ଲା‌ରେ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୫ ମଧ୍ୟରେ ହୋଇଥିବା ସେରେ ସର୍ଭେଲାନ୍ସ ରିପୋର୍ଟ ଆସିଛି। ଏହି ସର୍ଭେରୁ ଜଣାପଡ଼ିଛି ଯେ, ୧୨ଟି ଯାକ ଜିଲ୍ଲାରେ ପ୍ରାୟ ୭୩% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ରାଜ୍ୟର ଦକ୍ଷିଣ, ଉତ୍ତର ଓ କେନ୍ଦ୍ରୀୟ ଜିଲ୍ଲାଗୁଡ଼ିକରେ ଏହି ସର୍ଭେ ହୋଇଥିଲା।

ସର୍ଭେରୁ ଜାଣିବାକୁ ମିଳିଛି ଯେ, ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୮୦%ରୁ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ଅଧିକାଂଶ ଜିଲ୍ଲାରେ ୭୦%ରୁ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବାବେଳେ ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରାୟ ୬୮% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ସେହିପରି ୯୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଆଣ୍ଟିବଡି ବିକିଶିତ ହୋଇଛି।

ଏହି ସର୍ଭେରେ ପ୍ରଥମ କରି ୧୮ବର୍ଷରୁ କମ୍‌ ପିଲାଙ୍କୁ ସାମିଲ୍‌ କରାଯାଇଥିଲା। ୬ରୁ ୧୦ବର୍ଷ ପିଲାଙ୍କ ମଧ୍ୟରୁ ୭୦%ଙ୍କ ଦେହରେ ଏବଂ ୧୧ରୁ ୧୮ବର୍ଷର ୭୪% ପିଲାଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ମୋଟ୍‌ ଉପରେ ୧୮ବର୍ଷରୁ କମ୍‌ ୭୨% ପିଲାଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବା ଜଣପଡ଼ିଛି।

ବୃଦ୍ଧ ଏବଂ ପିଲାଙ୍କ ତୁଳନାରେ ଯୁବବର୍ଗଙ୍କ ଦେହରେ ଅଧିକ ଆଣ୍ଟିବଡି ବିକଶିତ ହେଉଛି। ଏହି ସର୍ଭେରେ ଟିକା ନେଇଥିବା ଅଧିକ ବୃଦ୍ଧଙ୍କୁ ସାମିଲ୍‌ କରାଯାଇଥିଲା। ଗ୍ରାମାଞ୍ଚଳ- ସହରାଞ୍ଚଳ, ପୁରୁଷ-ମହିଳାଙ୍କ ମଧ୍ୟରେ ବିଶେଷ ପାର୍ଥକ୍ୟ ନଥିବା ସର୍ଭେରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର