ନାଟମଣ୍ଡପ ଓ ସ୍ନାନମଣ୍ଡପ ଯାଞ୍ଚ କଲେ ଏଏସ୍‌ଆଇ ଅଧିକାରୀ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପୂର୍ବରୁ ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ( ଏଏସ୍‌ଆଇ) ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପ ଓ ସ୍ନାନମଣ୍ଡପର ସ୍ଥିତି ଯାଞ୍ଚ କରାଯାଇଛି। ଏଏସ୍‌ଆଇ ଭୁବନେଶ୍ବର ମଣ୍ଡଳର ଅଧୀକ୍ଷକ ଡ. ଅରୁଣ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ‌ବିଶେଷଜ୍ଞ ଦଳ ସ୍ଥିତି ଯାଞ୍ଚ କରିଛନ୍ତି।

ସ୍ନାନଯାତ୍ରା ପୂର୍ବରୁ ଏଥର ସ୍ନାନମଣ୍ଡପରେ ପଥର ବଦଳାଯାଇଛି। ପାଖାପାଖି ୬୦ ଖଣ୍ଡ ପଥର ବଦଳାଯାଇଛି। ଏହି ବଦଳାଯାଇଥିବା ପଥରର ଯୋଡ଼େଇ ଠିକ୍ ଅଛି କି ନାହିଁ ପ୍ରତ୍ନତତ୍ତ୍ବ ଟିମ୍‌ ତାହାର ଯାଞ୍ଚ କରିଛନ୍ତି। ସ୍ନାନମଣ୍ଡପ ଚଟାଣରେ ଏ ସମସ୍ତ ପଥର ବଦଳିଥିବା ଏଏସ୍‌ଆଇ ଅଧିକାରୀ କହିଛନ୍ତି। ଏବେ ସ୍ଥିତି ଠିକ୍‌ ରହିଛି। ସେହିଭଳି ଏବେ ଚାଲିଥିବା ନାଟମଣ୍ଡପ ଛାତ କାମର ଅନୁଧ୍ୟାନ କରାଯାଇଥିଲା। ଏଠାରେ ଥିବା ଏକ ଛୋଟିଆ କ୍ରାକ ବା ଫାଟର ଅନୁଧ୍ୟାନ କରାଯାଇଛି। ଆଇଆଇଟି ଚେନ୍ନାଇ ପକ୍ଷରୁ ବିଶେଷଜ୍ଞମାନେ ଏହାର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏବେ ନାଟମଣ୍ଡପର ଛାତ ବା ରୁଫ୍ଟପ୍‌ କାମ ଶେଷ ହୋଇଛି। ସେହିଭଳି ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ନିୟମିତ ଯାଞ୍ଚ କାମ କରାଯିବ। ଜଗମୋହନର ସ୍ଥିତି ମଧ୍ୟ ଯାଞ୍ଚ କରାଯିବ ବୋଲି ଡ. ମଲ୍ଲିକ ସୂଚନା ଦେଇଥିଲେ। ସ୍ନାନମଣ୍ଡପର ପଥର ପରିବର୍ତ୍ତନ ପରେ ଆଜି ମହାପ୍ରଭୁଙ୍କ ସ୍ନାନବେଦୀ ରଙ୍ଗ କରାଯାଉଛି। ମହାପ୍ରଭୁ ଯେଉଁଠି ବରାଜମାନ କରିବେ ସେଠାରେ ରଙ୍ଗ କାମ କରାଯାଉଛି।

ସମ୍ବନ୍ଧିତ ଖବର