ରାଜନେତାଙ୍କୁ ଗାଳି ଦେବାରୁ ଇଟା ଛେଚି ମୁଣ୍ତ ଫଟାଇଲେ

କବାଟବନ୍ଧ : ଜଣେ ରାଜନେତାଙ୍କୁ ଗାଳି ଦେବାରୁ ତାଙ୍କ ସମର୍ଥକ ଉତ୍‌କ୍ଷିପ୍ତ ହୋଇ ସଂପୃକ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ଇଟା ଛେଚି ଦେଇଛନ୍ତି। ଫଳରେ ତାଙ୍କ ମୁଣ୍ଡ ଫାଟିଯାଇଛି। ଆହତ ବ୍ୟକ୍ତି ହେଲେ ଧର୍ମଶାଳା ବ୍ଲକ ବୃନ୍ଦାଦେଇପୁର ଗ୍ରାମର ରଞ୍ଜନ ଦାସ (୫୦)।

ସେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଗାଁ ହାଟ ନିକଟରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ବିରୋଧରେ ବିଷୋଦ୍‌ଗାର କରୁଥିଲେ। ଏହି ସମୟରେ ସ୍ଥାନୀୟ ଦହିପୁର ଗ୍ରାମର ଧ୍ରୁବଚରଣ ଖଟୁଆ (୪୮) ରଞ୍ଜନଙ୍କୁ ଗାଳିଗୁଲଜ କରିବା ସହ ଏକ ଇଟାରେ ତାଙ୍କ ମୁଣ୍ତକୁ ଛେଚି ଦେଇଥିଲେ। ଫଳରେ ସେ ଆହତ ହୋଇଥିଲେ। ତାଙ୍କୁ ଜେନାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୃନ୍ଦାଦେଇପୁର ପଞ୍ଚାୟତରେ ହୋଇଥିବା ବ୍ୟାପକ ଦୁର୍ନୀତି ସଂପର୍କରେ ରଞ୍ଜନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ରାଜନୈତିକ ଶତ୍ରୁତାରୁ ତାଙ୍କୁ ମାଡ଼ ମରାଯାଇଥିବା ନେଇ ସେ ଜେନାପୁର ଥାନାରେ ଏତଲା ଦେଇଛନ୍ତି। ଅପରପକ୍ଷରେ ମାଡ଼ ମାରିଥିବା ଧ୍ରୁବ ଅଭିଯୋଗ କରିବାକୁ ଥାନାକୁ ଯାଇଥିବାବେଳେ ପୁଲିସ ତାଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର