ଖାରବେଳଙ୍କୁ ପୁଣି ଦୁର୍ବ୍ୟବହାର : ସଭା ବନ୍ଦ କରିବାକୁ କହିଲେ, ମାଇକ୍‌ ବନ୍ଦ କଲେ

ଖଇରା : ଉତ୍କଳ ଭାରତର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ବାଇଁଙ୍କୁ ପୁଣିଥରେ ଦୁର୍ବ୍ୟବହାର ସହ ବିରୋଧ ପ୍ରଦର୍ଶନ କରାଯାଇଛି। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ଅଧୀନ ଡୁଙ୍ଗୁରାରେଠାରେ ଏକ ପଥପ୍ରାନ୍ତ ସଭା ଚାଲିଥିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଶ୍ରୀ ସ୍ବାଇଁ ଏ ନେଇ ପୁଲିସ୍‌ ଏସ୍‌ପିଙ୍କୁ ଅଭିଯୋଗ କରିଥିବା ଜଣାପଡ଼ିଛି। ଗତକାଲି ଡୁଙ୍ଗୁରାଠାରେ ଉତ୍କଳ ଭାରତ ପକ୍ଷରୁଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବାଲେଶ୍ବର ଜିଲ୍ଲା ସ˚ପାଦକ କମଳାକାନ୍ତ ଦାସ ସଭାପତିତ୍ବ କରିଥିଲେ। ଏଥିରେ ଉତ୍କଳ ଭାରତର ରାଜ୍ୟ ସଭାପତି ଖାରବେଳ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମହିଳା ରାଜ୍ୟ ସଭାପତି ସାବିତ୍ରୀ ଜେନା, ରାଜ୍ୟ ସ˚ପାଦକ ଶ୍ରୀହର୍ଷ ସ୍ବାଇଁ, ମହିଳା ରେମୁଣା ବ୍ଲକ୍‌ ସଭାପତି ସୁକାନ୍ତି ମଲ୍ଲିକ, ମହିଳା ରେମୁଣା ବ୍ଲକ୍‌ ସ˚ପାଦିକା ଲଳିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ୧୮ ବର୍ଷ ଶାସନରେ ଥିବା ନବୀନ ସରକାରଙ୍କ ଅପାରଗତାକୁ ନେଇ ବର୍ଷିଥିଲେ। ତେବେ ଶ୍ରୀ ସ୍ବାଇଁ ଭାଷଣ ଦେଉଥିଲା ବେଳେ ଡୁଙ୍ଗୁରା ପଞ୍ଚାୟତର ସମିତିସଭ୍ୟ ପ୍ରକାଶ କୁମାର ଲେଙ୍କାଙ୍କ ସହ ଭୀମନାଥପୁର ୱାର୍ଡସଭ୍ୟ ସନାତନ କୁଅଁରଙ୍କ ପୁଅ ମନୋରଞ୍ଜନ କୁଅଁର ବାଇକ୍‌ରେ ଆସି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଅସମ୍ମାନ କରିଥିଲେ। ପରେ ସେମାନେ ନବୀନ ସରକାରଙ୍କ ବିରୋଧରେ କିଛି ନ କହିବା ପାଇଁ ତାଗିଦ କରିବା ସହ ମାଇକ୍‌ ବନ୍ଦ କରିଦେଇଥିଲେ।

ଏନେଇ ଆଜି ସଭାପତି ଶ୍ରୀ ସ୍ବାଇଁ ବାଲେଶ୍ବର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣା ସ˚ପର୍କରେ ସମିତିସଭ୍ୟ ପ୍ରକାଶ କୁମାର ଲେଙ୍କାଙ୍କୁ ଯୋଗାଯୋଗ କରିବାରୁ ସେ ଅଭିଯୋଗକୁ ଖଣ୍ତନ କରିବା ସହ ଗତକାଲି ସ୍ଥାନୀୟ ହାଟ ଥିବାରୁ ସଭା ଯୋଗୁ ରାସ୍ତା ଜାମ୍‌ ହେଉଥିଲା। ଏହି ସମୟରେ ସେ ଉତ୍କଳ ଭାରତ ଦଳୀୟ କର୍ମୀଙ୍କୁ ଖୋଲା ଜାଗାରେ ସଭା କରିବା ପାଇଁ କହିଥିବା ପ୍ରକାଶ କରିଛନ୍ତି। ସେହିପରି ଏସ୍‌ପି ବି ଯୁଗଳ କିଶୋର କୁମାରଙ୍କ ମତାମତ ନେବାରୁ ସେ ଅଭିଯୋଗର ତଦନ୍ତ ପାଇଁ ଖଇରା ଆଇଆଇସିଙ୍କୁ ନିର୍ଦେଶ ଦିଆଯାଇଛି। ଅଭିଯୋଗ ସତ ହୋଇଥିଲେ ମକଦ୍ଦମା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ ବୋଲି କହିଛନ୍ତି।

ପ୍ରକାଶଥାଉକି, କିଛିଦିନ ତଳେ ଶ୍ରୀ ସ୍ବାଇଁ କେନ୍ଦ୍ରାପଡ଼ାର ଆଳିଠାରେ ଏକ ପଥପ୍ରାନ୍ତ ସଭାରେ ‌େଯାଗ ଦେଇଥିବାବେଳେ ତାଙ୍କୁ ଠେଲାପେଲା ସହିତ ଅନୁରୂପ ଭାବେ ବିରୋଧ କରାଯାଇଥିଲା। ଯାହାକୁ ନେଇ ସେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର