ବଗଲା ଧର୍ମଶାଳା ଜମି ଅନିୟମିତତା ମାମଲା : ହାଇକୋର୍ଟରେ ସରକାରଙ୍କ ଜବାବ ଦାଖଲ, ୧୬ରେ ପରବର୍ତ୍ତୀ ଶୁଣାଣି

କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗରେ ହାଇକୋର୍ଟରେ ସରକାର ଜବାବ ଦାଖଲ କରିଛନ୍ତି। ତେବେ ସରକାରଙ୍କ ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ରଖିପାରିବେ ବୋଲି ହିଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଏସ୍‌‌.କେ. ମିଶ୍ର ଓ ଡକ୍ଟର ଜଷ୍ଟିସ୍‌ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର ଓ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ସରକାର ଏହି ମାମଲା ଉପରେ ପ୍ରାଥମିକ ଜବାବ ରଖିଥିଲାବେଳେ ଆଜି ପୂର୍ଣ୍ଣାଙ୍ଗ ଜବାବ ଦାଖଲ କରିଛନ୍ତି।

Odisha Sun Times

ବିବରଣୀରୁ ପ୍ରକାଶ, ବଗଲା ଧର୍ମଶାଳା‌ ଯେଉଁ ଜମି ଉପରେ ରହିଛି ତାହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର। ସାବକ ରେକର୍ଡ ଅନୁସାରେ ଏହା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତି। ସରକାର ଏହି କଥା ସ୍ବୀକାର କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଉପ-ପ୍ରଶାସକ (ରାଜସ୍ବ) ନିକଟରେ ଜାରି କରିଥିବା ଏକ ଚିଠିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି। ୧୯୯୦ ମସିହାରେ ହାଲ ରେକର୍ଡରେ ବେଆଇନ ଭାବେ ଏହି ଜମି ଲଜିଂ ହାଉସ ଫଣ୍ଡ କମିଟି ନାଁରେ କରାଯାଇଥିଲା। ୧୯୫୫ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଆସିବା ପରେ ମହାପ୍ରଭୁଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିଚାଳନା ଦାୟିତ୍ବ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ହାତରେ ନ୍ୟସ୍ତ କରାଯାଇଥିଲା। କିନ୍ତୁ ମନ୍ଦିର ପରିଚାଳନା କମିଟିକୁ ସୁଯୋଗ ନ ଦେଇ ବେଆଇନ ଭାବେ ଲଜିଂ ହାଉସ ଫଣ୍ଡ ନାଁରେ ଜମିକୁ ରେକର୍ଡଭୁକ୍ତ କରାଯାଇଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ପରିଚାଳନା ଭାର କେବଳ ମନ୍ଦିର ପରିଚାଳନା କମିଟି ହାତରେ ରହିବା ନିୟମ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା ୫ ଓ ୩୩ର ଉଲ୍ଲଂଘନ କରି ଏହି ଜମି ଲଜିଂ ହାଉସ କମିଟି ନାଁରେ ରେକର୍ଡ କରିଥିଲେ। ରେକର୍ଡରେ ଭୁଲ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସଂପତ୍ତି ରାଜ୍ୟ ସରକାରଙ୍କ ହାତକୁ ଟେକି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସଂପତ୍ତିକୁ କେତେକଙ୍କ ଥଇଥାନ ପାଇଁ ବକ୍ରି ବା ହସ୍ତାନ୍ତର କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତିକୁ ଅନ୍ୟମାନଙ୍କ ନାଁରେ ରେକର୍ଡ କରିବା ବା ବିକ୍ରି କରିବାର ଅଧିକାର ପୁରୀ ପୌରପାଳିକା କିମ୍ବା ରାଜ୍ୟ ନଗର ଉନ୍ନୟନ ବିଭାଗର ନାହିଁ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୁରୀ ଜିଲ୍ଲାପାଳ ହେଉଛନ୍ତି ଉପ-ପ୍ରଶାସକ। ତେଣୁ ଏହି ଜମି ପ୍ରସଂଗରେ ପ୍ରଦାନ କରାଯାଇଥିବା ଏନ୍‌ଓସି ପ୍ରସଂଗରେ ସେ ଅବଗତ ଥିଲେ। ପରିଚଳାନା କମିଟିର ସଦସ୍ୟ ଭାବେ ଠାକୁରଙ୍କ ସଂପତ୍ତିର ସୁରକ୍ଷା କରିବା ଜିଲ୍ଲାପାଳଙ୍କ କର୍ତ୍ତବ୍ୟ ହୋଇଥିବାବେଳେ ସେ ଏଥିରେ ଅବହେଳା କରିଥିଲେ। ବଗଲା ଧର୍ମଶାଳା ଜମି ଥଇଥାନ ଯୋଜନାରେ ଅନ୍ୟମାନଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା ବୋଲି ବିବରଣୀରେ ଦର୍ଶାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର