ପୁରୀ : ନବୀକରଣ ହେବ ବଗଲା ଧର୍ମଶାଳା

ଶ୍ରୀମନ୍ଦିର ପ୍ରଶାସନ ହାତକୁ ଯିବ ପରିଚାଳନା ଭାର, ୧୫ ସୁଦ୍ଧା ଟେଣ୍ଡର

ପୁରୀ : ଦୀର୍ଘଦିନ ହେଲା ବିବାଦାରେ ଛନ୍ଦି ହୋଇପଡ଼ିଥିବା ବଗଲା ଧର୍ମଶାଳା ପ୍ରସଙ୍ଗ ଏବେ ପୁଣି ଥରେ ନୂଆମୋଡ଼ ନେଇଛି। ବଗଲା ଧର୍ମଶାଳା ପରିସରରେ ଥିବା କୋଠାକୁ ନ ଭାଂଗି ତା’ର ଆବଶ୍ୟକ ମରାମତି, ନବୀକରଣ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଆସନ୍ତା ୧୫ ତାରିଖ ସୁଦ୍ଧା ଟେଣ୍ଡର କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହିତ ଆଉ ଏକ ବଡ଼ ନିଷ୍ପତ୍ତି ରାଜ୍ୟ ସରକାର ନେଇଛନ୍ତି। ଧର୍ମଶାଳା କୋଠାର ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ଏହାର ପରିଚାଳନା ଭାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଗତ ୩ ତାରିଖରେ ଉଚ୍ଚସ୍ତରୀୟ ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇ ବିରୋଧୀଙ୍କୁ ଚକମା ‌ଦେଇଛନ୍ତି।

ବଗଲା ଧର୍ମଶାଳାକୁ ନୀଳାଦ୍ରି ଭକ୍ତ ନିବାସ ଢାଞ୍ଚାରେ କରିବାକୁ ସ୍ଥିର ହୋଇଛି। ଗତ ୩ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ବିଭାଗ ସଚିବ ଡକ୍ଟର କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ପୁରୀର ବିଭିନ୍ନ ପ୍ରକଳ୍ପକୁ ନେଇ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲା, ରାଜ୍ୟ ପର୍ଯ୍ୟଟନ ନି‌ର୍ଦ୍ଦେଶକ, ନୀତି ପ୍ରଶାସକ, ରାଜସ୍ବ ଉପପ୍ରଶାସକ, ଉନ୍ନୟନ ପ୍ରଶାସକ, ପୁରୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତରେ ଏହି ନିଷ୍ପତ୍ତି ହୋଇଛି। ଏପରିକି ତିନି ଦିନ ମଧ୍ୟରେ ବଗଲା କୋଠାର ନବୀକରଣ ପାଇଁ ଯୋଜନା ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରି ଦେବା ପାଇଁ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବିଜେପି ଓ ବିଭିନ୍ନ ଅନୁଷ୍ଠାନ ଏହି ପ୍ରସଙ୍ଗରେ ଆନ୍ଦୋଳନ କରିଥିଲେ। ତେବେ ଜମି ପ୍ରସଙ୍ଗକୁ ଆଢୁଆଳରେ ରଖି ବଗଲା ପରିସରରେ ଥିବା କୋଠାର ନବୀକରଣ କରିବାକୁ ନିଷ୍ପତ୍ତି ନେବାପରେ ଏ ବିବାଦର ଯବନିକା ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇଛି।

ସମ୍ବନ୍ଧିତ ଖବର