ଅସଲି ଜମିରେ ନକଲି କୃଷିବୀମା ମାମଲା: ଜେଲ ଗଲେ ବଲାଙ୍ଗୀର କୋର୍ଟର କିରାଣି

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଅଞ୍ଚଳର ଅସଲି ଜମିରେ ନକଲି କୃଷିବୀମା ମାମଲାରେ ବୁଧବାର ବଲାଙ୍ଗୀର କୋର୍ଟରେ କାର୍ଯ୍ୟରତ କିରାଣି ପୀତବାସ ମିଶ୍ର ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଗିରଫ କିରାଣି ପୀତବାସଙ୍କ ଘର ବୌଦ୍ଧ ଜିଲ୍ଲା ବଗବାହାଲି ଗାଁରେ ବୋଲି ଜଣାପଡ଼ିଛି।

ତୁରେକେଲା ଥାନାରେ ମନ୍ଦଲା ଗାଁର ଜଗତରାମ ପଧାନ ଦେଇଥିବା ଅଭିଯୋଗ ଅନୁସାରେ, ଗାଁରେ ଥିବା ତାଙ୍କ ପୈତୃକ ଜମିର ୨୦ଟି ପ୍ଲଟ୍‌ରେ କେହି ଜଣେ ଠକେଇ କରି ପ୍ରଧାନମନ୍ତ୍ରୀ ଫସଲ ବୀମା କରିନେଇଛି। ଅଭିଯୋଗକୁ ଭିତ୍ତି କରି ତୁରେକେଲା ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। କଂଟାବାଞ୍ଜିର ଏକ ସିଏସ୍‌ସିରେ ଅନଲାଇନ୍ ମାଧ୍ୟମରେ କେହି ଏହାର ବୀମା କରାଇଥିବା ତଦନ୍ତରୁ ଜଣାପଡ଼ିଥିଲା। କିରାଣି ପୀତବାସ ୨୦ଟି ପ୍ଲଟ୍‌ର କୃଷିବୀମା କରାଇଥିବା ପୁଲିସ ଜାଣିବା ପରେ ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ, ପୂର୍ବରୁ କଂଟାବାଞ୍ଜି କୋର୍ଟରେ କିରାଣି ଭାବେ କାର୍ଯ୍ୟରତ ଥିଲେ ପୀତବାସ। ଅନେକ ବର୍ଷ ଏ ଅଂଚଳରରେ ରହିବା ପରେ ଜମି ବାବଦରେ ଅଂଚଳର ଅନେକ ଚାଷୀଙ୍କ ତଥ୍ୟ ରଖିଥିଲେ। ପୁଲିସ ବଲାଙ୍ଗୀର ଯାଇ ତାଙ୍କୁ ପଚରା ଉଚୁରା କରିବା ସହ ତୁରେକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ କରିଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ବୁଧବାର ନକଲି ଚାଷୀ ସାଜିଥିବା କିରାଣି ପୀତବାସଙ୍କୁ ଆଇପିସି ଦଫା ୪୨୦ରେ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ତୁରେକେଲା ଥାନା ଅଧିକାରୀ କମଳଲୋଚନ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର