ପୁଲିସ ବଳରେ ସାମିଲ ହେଲା ବେଲ୍‌ଜିଆନ୍ ସନ୍ଧାନୀ କୁକୁର

ବାଲେଶ୍ବର: ବାଲେଶ୍ବର ପୁଲିସ ବିଭାଗକୁ ଆସିଲା ବେଲଜିଆନ୍ ମାଲିନଏସ୍ ପ୍ରଜାତିର ତାଲିମପ୍ରାପ୍ତ କୁକୁର (ନଡି)। କିଛିମାସ ତଳେ ସିଆଇଡି-ସିବି ବିଭାଗ କେ-୯ ୟୁନିଟ୍‌ ଅଧୀନରେ ରହିଥିବା ଡୋବରମ୍ୟାନ୍‌ ପ୍ରଜାତିର ଦୁଇଟି କୁକୁର (ଡିମ୍ପଲ୍‌ ଓ ହଣ୍ଟର) ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ। ଫଳରେ ଅପରାଧୀଙ୍କୁ ଧରିବା ଓ ତଦନ୍ତରେ ସହାୟତା କରିବାରେ ଏହି ସନ୍ଧାନୀ କୁକୁର ଯେଉଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା, ତାହା ସମ୍ଭବ ହୋଇ ନଥିଲା। ବାଲେଶ୍ବର ସହିତ ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଅପରାଧ ତଦନ୍ତ ପାଇଁ ପୁଲିସ ପକ୍ଷେ ବହୁ ଅସୁବିଧା ସୃଷ୍ଟି ହେଉଥିଲା। ପାଖାପାଖି ୭ ମାସ ହେବ ପୁଲିସ ଡଗ୍‌ ସ୍କାଡ୍‌ ଫାଙ୍କା ପଡ଼ିବା ପରେ ଗତ ୧୯ ତାରିଖରେ ଗୋଟିଏ ସନ୍ଧାନୀ କୁକୁର ଆସିଛି। ଖୁବ୍‌ଶୀଘ୍ର ଆଉ ଗୋଟିଏ କୁକୁର ଆସିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।    ବେଲ୍‌ଜିଆନ୍ ମାଲିନଏସ୍ ପ୍ରଜାତିର ୧୯ଟି କୁକୁର ଓଡ଼ିଶା କ୍ରାଇମବ୍ରାଞ୍ଚର କେ-୯ ସ୍କ୍ବାଡ୍‌କୁ ଆସିଥିଲା। ଏହି କୁକୁର ରାଜ୍ୟ ବାହାରେ ପ୍ରଶିକ୍ଷଣ ନେଉଥିଲେ। କିଛି ମାସ ତଳେ ଓଡ଼ିଶା ପୁଲିସରେ ଏମାନେ ସାମିଲ ହୋଇଥିବା ବେଳେ ଏହିକ୍ରମରେ ବାଲେଶ୍ବରକୁ ଦୁଇଟି କୁକୁର ଆସିବାର ଯୋଜନା ରହିଛି। ଯାହା ଜଣାପଡ଼ିଛି, ଜର୍ମାନ୍ ସେଫଡ୍‌ (ଆଲ୍‌ସେସିଆନ୍), ଲାବ୍ରୋଡର୍‌, ଡୋବରମ୍ୟାନ୍ ପ୍ରଜାତିର କୁକୁର ପରି ବେଲ୍‌ଜିଆନ୍ ମାଲିନଏସ୍ କୁକୁରର ଘ୍ରାଣଶକ୍ତି ଅତ୍ୟନ୍ତ ପ୍ରଖର।

ଏମାନେ ମାଟି ତଳେ ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍, ଭୂ-ତଳ ବୋମା, ମାରଣାସ୍ତ୍ର ଆଦିର ସନ୍ଧାନ ନେବାରେ ସିଦ୍ଧହସ୍ତ। ପୁଲିସ ବିଭାଗକୁ ଅଧିକ ସହାୟତା କରିବା ପାଇଁ ଏହି କୁକୁର ଓଡ଼ିଶାକୁ ଆଣିବା ନେଇ ରାଜ୍ୟ ସରକାର ଗୁରୁତ୍ବ ଦେଇଥିଲେ। ଏହି ଦାମୀ କୁକୁରକୁ ସିବିଆଇ ଓ କେନ୍ଦ୍ରୀୟ ପୁଲିସ ଏଜେନ୍ସିଗୁଡ଼ିକ ଆତଙ୍କବାଦୀ ନିରୋଧୀ ଡଗ୍ ସ୍କ୍ବାଡ୍‌ରେ ସାମିଲ କରି ବହୁ ସଫଳତା ପାଉଛନ୍ତି। କେବଳ ଅପରାଧ ତଦନ୍ତରେ ନୁହେଁ, ଏହି ପ୍ରଜାତିର କୁକୁର ଅତ୍ୟନ୍ତ ଆକ୍ରମଣାତ୍ମକ ସ୍ବଭାବର ହୋଇଥିବାରୁ ଏମାନଙ୍କୁ ଆତଙ୍କବାଦୀ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବା କ୍ଷେତ୍ରରେ ମଧ୍ୟ ଉପଯୋଗ କରାଯାଉଛି। ବାଲେଶ୍ବର ଭଳି ଏକ ଅପରାଧପ୍ରବଣ ଜିଲ୍ଲା ପାଇଁ ଏହି କୁକୁରର ଆବଶ୍ୟକତା ରହିଥିଲା। ରାଜସ୍ଥାନରୁ ଆସିଥିବା ଏହି ବେଲ୍‌ଜିଆନ୍ ମାଲିନ୍‌ଏସ୍ କୁକୁରକୁ ମାତ୍ର ଦୁଇବର୍ଷ ହୋଇଥିବା ବେଳେ ଏହା  ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷକ ନିୟୋଜିତ ହୋଇଛନ୍ତି। ପ୍ରତିଦିନ ପୁଲିସ ପଡ଼ିଆରେ ପ୍ରଶିକ୍ଷଣ ଦିଆଯିବା ସହ ଉତ୍ତମ ଖାଦ୍ୟ ଯୋଗାଇ ଦିଆଯାଉଛି। ଦୁଇ ବର୍ଷ ଭିତରେ ଏହି କୁକୁର ଦୁଇଟି ଅପରାଧ ତଦନ୍ତରେ ସହାୟତା କରିଛି। ତେଣୁ ଆଗାମୀ ଦିନରେ ଡିମ୍ପଲ ଓ ହଣ୍ଟର ପରି ଏହି ବେଲ୍‌ଜିଆନ୍ ମାଲିନ୍‌ଏସ୍ କୁକୁର ପୁଲିସ୍‌ର ତଦନ୍ତ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଇଛି।

ସମ୍ବନ୍ଧିତ ଖବର