ମୋବାଇଲ ଚୋର ଧରିବାକୁ ଗ୍ରାମରେ ବୁଲିଲା ବେଞ୍ଚ

ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଜଳସୁଆଁ ଗ୍ରାମରେ ଗୁରୁବାର ଦିନ ଏକ ଅଭାବନୀୟ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମୋବାଇଲ ଚୋରକୁ ଧରିବାକୁ ବୁଲୁଛି ବେଞ୍ଚ। ଯୁଆଡେ ଚାହୁଁଚି ସିଆଡେ ଟାଣି ନେଉଛି। ଯାହା ଘର ପାରିଲେ ତାହା ଘରେ ପଶିଯାଇ ନିରୀହ ଲୋକଙ୍କୁ ଚୋର ସଜେଇ ଦେଉଛି। ଗାଁ ଲୋକ ମଧ୍ୟ ଉତ୍ସାହର ସହ ବେଞ୍ଚ ସାଙ୍ଗରେ ବୁଲି ହୁଳହୁଳି ହରିବୋଲ ପକାଉଛନ୍ତି ଚୋରକୁ ଧରିବାକୁ।

ସୂଚନା ଅନୁଯାୟୀ ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଜଳସୁଆଁ ଗାଁରେ ନିତ୍ୟାନନ୍ଦ ମାଝୀଙ୍କ ପୁଅର ମୋବାଇଲ ଫୋନ ତିନି ଦିନ ତଳେ ଚୋରି ହୋଇଥିଲା। ଅନେକ ଖୋଜାଖୋଜି ପରେ ମୋବାଇଲ ନମିଳିବାରୁ  ସ୍ଥିର ହେଲା ଗୁଣିଆ ଡକା ଯିବ। ଗୁଣିଆ ଆସିବା ପରେ ଆଜି ସକାଳୁ ଚାଲିଲା ପ୍ରସ୍ତୁତି। ପୂଜା କରାଯାଇ ଏକ ଲମ୍ବା ବେଞ୍ଚକୁ ଧରି ଗାଁର ୪ଜଣ ପିଲା ବୁଲିଲେ ଗାଁ ସାରା। ଗୁଣିଆଁ ନିର୍ଦ୍ଦେଶରେ ବେଞ୍ଚ ଯୁଆଡେ ଚାହିଁଲା ସିଆଡେ ଚାଲିଲା। ଶେଷରେ ଦୁଇ ତିନି ଜଣ ଘର ନିକଟକୁ ବେଞ୍ଚ ଗଲା ହେଲେ ଚୋର ଧରିବା ତ ଦୂରର କଥା ଲୋକଙ୍କ ବିଶ୍ବାସ ଆଉ ଆସ୍ଥା ଆଗରେ ଏଠି ବିଜ୍ଞାନ ବି ଫିକା ପଡ଼ିଲା। ସେ ଯାହା ବି ହେଉନା କାହିଁକି ଏକ ବିଂଶ ଶତାବ୍ଦିରେ ଦୁନିଆଁ ଆଧୁନିକତା ଆଡକୁ ଅଗ୍ରସର ହେଉଥିବା ବେଳେ ନିରୀହ ଗ୍ରାମବାସୀ  ଏଭଳି ଅନ୍ଧ ବିଶ୍ୱାସର ଶିକାର ହେବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ସବୁ ଘଟଣା ସ୍ଥାନୀୟ ପୁଲିସ ଅଗୋଚରରେ ଘଟିଥିଲା ।ଖବର ପାଇ ସ୍ଥାନୀୟ ସାଇଁକୁଳ ଫାଣ୍ତି ଅଧିକାରୀ ମାନସରଂଜନ ବେହେରା ଚଢ଼ଉ କରିବା ପରେ ଘଟଣା ସ୍ଥଳରୁ ଗୁଣିଆଁ ଛୁ ମାରି ଥିଲା। ପୁଲିସ ଏଭଳି ଘଟଣାକୁ ଗୁରୁତର ସହକାରେ ଗ୍ରହଣ କରି କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର