କୋମାରେ ‘ବିଜୟିନୀ’ : ରକ୍ତ ଟାଣିବା ବେଳେ ହାତଗୋଡ ହଲାଇଲା, ପୁଣି ନିସ୍ତେଜ

ଏସ୍‌ସିବି ସେଣ୍ଟ୍ରା‌ଲ ଆଇସିୟୁରେ ‌ମୃତ୍ୟୁସହ ସଂଘର୍ଷ କରୁଛି ୭ ବର୍ଷର ଝିଅ

କଟକ : କୋମାରେ ‘ବିଜୟିନୀ’ । ମୃତ୍ୟୁ ସହ ସଂଗ୍ରାମ କରୁଛି ୭ବର୍ଷର ଝିଅ। ତାର ପରିଚୟ ମିଳୁନି। ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁ ବେଡ୍‌ ନମ୍ବର ୨ରେ ବୁଧବାରଠାରୁ ଚିକିତ୍ସିତ ହେଉଥିବା ଏହି ଅଜଣା ନାବାଳିକାକୁ ଚିକିତ୍ସା ଦେବାରେ ହେଳା କରିନାହାନ୍ତି କର୍ତ୍ତୃପକ୍ଷ। ଶୁକ୍ରବାର ଉକ୍ତ ନାବାଳିକାର ରକ୍ତ ପରୀକ୍ଷା ପାଇଁ ରକ୍ତ ନିଆଯାଉଥିବାବେଳେ ହଠାତ୍‌ କିଛି କ୍ଷଣ ପାଇଁ ସେ ହାତଗୋଡ଼ ହଲାଇଥିଲା। କିନ୍ତୁ କିଛି ସମୟ ପରେ ସବୁ ନିସ୍ତେଜ। ମୟୂରଭଞ୍ଜ ରାସ୍ତାକଡ଼ରୁ ଉଦ୍ଧାର ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବାଳିକାର ପରିଚୟ ମିଳୁନଥିବା ଓ ମରଣମୁହଁରୁ ବଂଚିଯାଇଥିବା ବାଳିକାଟି ମୃତ୍ୟୁମୁଖରୁ ବଞ୍ଚିଯାଉ ଏଭଳି ଆଶା ରଖି ଏସ୍‌ସିବି କର୍ତ୍ତୃପକ୍ଷଙ୍କ ରୋଗୀ ତାଲିକାରେ ଝିଅଟିର ନାଁ ରଖାଯାଇଛି ‘ବିଜୟିନୀ’।

ସୂଚନା ଅନୁସାରେ, ୩ତାରିଖ ଦିନ ଚେତାଶୂନ୍ୟ ଅବସ୍ଥା‌ରେ ଏସ୍‌ସିବି କାଜୁଆଲିଟିକୁ ଚିକିତ୍ସା ପାଇଁ ଆସିଥିଲା ଏହି ୭ବର୍ଷର ନାବାଳିକା। ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ଝିଅଟିକୁ ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଝିଅଟିର କେବଳ ନିଶ୍ବାସ-ପ୍ରଶ୍ବାସ ଯାଉଛି। କିନ୍ତୁ ଶରୀର ନିସ୍ତେଜ। ମୟୁରଭଞ୍ଜ-କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ୪୯ନମ୍ବର ଜାତୀୟ ରାଜପଥ କଡରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ଏହି ନାବାଳିକାକୁ ଉଦ୍ଧାର କରାଯାଇଥିଲା। ତା’ର ବେକରେ ଦାଗ ରହିଥିବାବେଳେ କେହି ତାକୁ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିବା ସହ ରାସ୍ତାକଡରେ ଫୋପାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି। ଆଜି ଉକ୍ତ ବାଳିକାର ସିଟିସ୍କାନ୍‌ କରାଯିବା ସହ ରକ୍ତ ପରୀକ୍ଷା ମଧ୍ୟ କରାଯାଇଛି। ଅନ୍ୟପଟେ ଝିଅଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସା ପାଇଁ ଏସ୍‌ସିବିର ବିଭିନ୍ନ ବିଭାଗ ଡାକ୍ତରଙ୍କୁ ନେଇ ଏକ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଛି। ଏସ୍‌ସିବିରେ ଅସହାୟ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବା ସଂସ୍ଥା ‘ସହାୟ’ର ସ୍ବେଚ୍ଛାସେବୀମାନେ ଝିଅର ସେବା କରିବା ସହ ନାଜାଲ ଫିଡିଙ୍ଗ ଦେବା‌ଠାରୁ ଆରମ୍ଭ କରି ସବୁ କିଛି ସେବା ଯୋଗାଉଛନ୍ତି।

ସମ୍ବନ୍ଧିତ ଖବର