ସ୍ୱାଧୀନତା ଦିବସରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର : ସ୍ୱାଧୀନତା ଦିବସରୁ ରାଜ୍ୟରେ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେଓ୍ଵାଇ। ଏହାର ସୁବିଧା ପାଇବାକୁ ଥିବା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର ବଣ୍ଟନ କରାଯିବ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶାବଳୀ ଜାରି ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଏହି ମର୍ମରେ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।

ରାଜ୍ୟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ବା ଆରଏସ୍‌ବିଓ୍ଵାଇରେ ୪୪ଲକ୍ଷ ୮ହଜାର ୭୦ ହିତାଧିକାରୀ ପଞ୍ଜୀକୃତ ରହିଥିବା ବେଳେ ବିଜୁ କୃଷକ କଲ୍ୟାଣ ଯୋଜନା ବା ବିକେକେଓ୍ଵାଇରେ ଥିବା ୨୫ଲକ୍ଷ ୬୧ହଜାର ୬୦୨ ଜଣ ଅଛନ୍ତି। ସମୁଦାୟ ୬୯ଲକ୍ଷ ୬୯ହଜାର ୬୭୨ଜଣ ହିତାଧିକାରୀଙ୍କୁ ଏହି ପତ୍ର ଦିଆଯିବ। ବିଏସ୍‌କେଓ୍ଵାଇ ହିତାଧିକାରୀଙ୍କୁ ପତ୍ର ବଣ୍ଟନ ଲାଗି ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ। ଜିଲ୍ଲାପାଳ ଏହି କମିଟିର ଅଧ୍ୟକ୍ଷ ରହିବେ ଓ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା କମିସନର୍‌ ଏହାର ସଦସ୍ୟ ରହିବେ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା କୃଷି ଉପନିର୍ଦେଶକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଡିଆର୍‌ଡିଏ ପ୍ରକଳ୍ପ ଅଧିକାରୀ ଏହାର ସଦସ୍ୟ ରହିବେ।

ଅନୁରୂପ ଭାବେ ବ୍ଲକ୍‌ସ୍ତରରେ ମଧ୍ୟ କମିଟି ଗଠନ କରାଯିବ। ବ୍ଲକ୍‌ସ୍ତରୀୟ କମିଟିରେ ବିଡିଓ ଏହାର ଅଧ୍ୟକ୍ଷ ରହିବେ। ତହସିଲଦାର, ଜିଲ୍ଲା କୃଷି ଅଧିକାରୀ, ଏବିଡିଓ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଓ ସିଡିପିଓ ଏହାର ସଦସ୍ୟ ରହିବେ। ଏହି କମିଟି ବିଏସ୍‌କେଓ୍ଵାଇ ପତ୍ର ବଣ୍ଟନର ଅନୁଧ୍ୟାନ କରିବେ। ପ୍ରତିଦିନ ସନ୍ଧ୍ୟା ୬ଟା ପୂର୍ବରୁର ବିଡିଓ ଏହି ରିପୋର୍ଟକୁ ଜିଲ୍ଲାପାଳଙ୍କୁ ପଠାଇବା ପାଇଁ ନିର୍ଦେଶାବଳୀରେ କୁହାଯାଇଛି।

ପ୍ରତିଦିନ କେତେ ପତ୍ର ବଣ୍ଟନ କରାଗଲା କମିଟି ଏହାର ସମୀକ୍ଷା କରିବ। ବିଡିଓଙ୍କଠାରୁ ପ୍ରତିଦିନ ମିଳିବାକୁ ଥିବା ହିସାବକୁ ଜିଲ୍ଲାପାଳ ଇ-ମେଲ ଜରିଆରେ ପଠାଇବେ। ବିଏସ୍‌କେଓ୍ଵାଇ ପତ୍ରଗୁଡ଼ିକ ରାଜ୍ୟସ୍ତରରେ ଛପାଯିବ। ଜିଲ୍ଲାପାଳଙ୍କ ଦ୍ୱାରା ନିଯୁକ୍ତ ନୋଡାଲ ଅଧିକାରୀଙ୍କୁ ରାଜ୍ୟସ୍ତରର ଅଧିକାରୀମାନେ ପତ୍ର ସହିତ ହିତାଧିକାରୀଙ୍କ ତାଲିକା ପ୍ରଦାନ କରିବେ। ନୋଡାଲ ଅଧିକାରୀମାନେ ଏହାକୁ ବିଡିଓକୁ ଦେବେ। ବିଡିଓ ଏହି ପତ୍ରକୁ ଗ୍ରାମ୍ୟ କୃଷି କର୍ମୀ, ଗ୍ରାମ ରୋଜଗାର ସାଥୀ, ଅଙ୍ଗନବାଡ଼ି ଓ ଆଶା କର୍ମୀ, ରାଜସ୍ୱ ନିରୀକ୍ଷକ ଓ ଭିଏଲ୍‌ଡବ୍ଲ୍ୟୁମାନଙ୍କ ଜରିଆରେ ବଣ୍ଟନ କରିବାକୁ ନିର୍ଦେଶ ଦିଆଯାଇଛି।

ଗ୍ରାମ୍ୟସ୍ତରରେ ପତ୍ର ବଣ୍ଟନକୁ ସ୍ୱାସ୍ଥ୍ୟକର୍ମୀ, ଆଇସିଡିଏସ୍‌ ସୁପରଭାଇଜର୍‌, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆର୍‌ଆଇମାନେ ତଦାରଖ କରିବେ। କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଓ୍ଵାର୍ଡସ୍ତରରେ ଏହି ପତ୍ରକୁ ଟିକସ୍‌ ସଂଗ୍ରହକାରୀ, ଆର୍‌ଆଇ, ଅଙ୍ଗନବାଡ଼ି କର୍ମୀ ଓ ସହରାଞ୍ଚଳ ଆଶାମାନଙ୍କୁ ପ୍ରଦାନ କରିବେ। ବିଏସ୍‌କେଓ୍ଵାଇର ପତ୍ର ବଣ୍ଟନ ସଂକ୍ରାନ୍ତରେ ତଳସ୍ତରରୁ କିଭଳି ଜିଲ୍ଲାପାଳଙ୍କ ନିକଟକୁ ରିପୋର୍ଟ ଆସିବ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଫର୍ମାଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର