ନବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର : ଅପାରଗତା ଲୁଚାଇବାକୁ ବିଭ୍ରାନ୍ତି

କେନ୍ଦ୍ର ଅବଦାନର ଲମ୍ବା ତାଲିକା ଦେଲେ

ଭୁବନେଶ୍ୱର : ବିଜେଡି ପଦଯାତ୍ରା ଅବସରରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ। ଆଜି ତାହାର ପ୍ରତିଜବାବ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଧର୍ମେନ୍ଦ୍ର କହିଛନ୍ତି, ଲମ୍ବା ସମୟ କାଳ ଶାସନ କରୁଥିଲେ ମଧ୍ୟ ଓଡ଼ିଆ ଲୋକମାନଙ୍କୁ ମୌଳିକ ସୁବିଧା ପହଞ୍ଚାଇବାରେ ନବୀନ ବାବୁ ବିଫଳ ହୋଇଛନ୍ତି। ଏବେ ନିଜର ଅପାରଗତା ଲୁଚାଇବାକୁ କେନ୍ଦ୍ରକୁ ଦୋଷ ଠେଲି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରି ଦଳୀୟ ସ୍ୱାର୍ଥ ଲାଗି କାମ କରୁଥିବା ଅଭିଯୋଗ ଓ ବିକାଶର ମିଛ ଛବି ଦେଖାଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଭଳି ମୁଖ୍ୟମନ୍ତ୍ରୀଙ୍କ ଗୁରୁତର ଅଭିଯୋଗକୁ ମଧ୍ୟ ଶ୍ରୀ ପ୍ରଧାନ ଖଣ୍ଡନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ସ୍ୱାସ୍ଥ୍ୟ, ଶିକ୍ଷା, ଚାଷୀଙ୍କ ସମସ୍ୟା, ଜଳସେଚନ, ପାନୀୟ ଜଳ, ଯୁବକଙ୍କୁ ରୋଜଗାର ଓ ଆଇନ୍‌ଶୃଙ୍ଖଳାକୁ ବିରୋଧୀ ଦଳ ଭାବେ ଉଠାଇବା କାରଣରୁ ଦଳମାନେ ଓଡ଼ିଶାକୁ ଧୋକା ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି। ବିଜେପି ନୁହେଁ, କଂଗ୍ରେସ ଦଳ ଓଡ଼ିଶାକୁ ଧୋକା ଦେଇଛି ଓ ଏହି ଦଳ ସାଙ୍ଗରେ ଭିିତିରିଆ ବୁଝାମଣା କରି ନବୀନ ପଟ୍ଟନାୟକ ଶାସନ ଚଳାଉଛନ୍ତି।

କେନ୍ଦ୍ରର ଅବଦାନର ତାଲିକା ଦେଖାଇ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି, ପୂର୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୪୨ ପ୍ରତିଶତ ପରିବାର ସାମିଲ ଥିଲା ବେଳେ ଏବେ ୮୬ ଲକ୍ଷ ପରିବାର ସାମିଲ ହେବା ବିକାଶର ମିଛ ଛବି କି ? ୟୁପିଏ ଶାସନରେ ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ବର୍ଷକୁ ହଜାରେ କୋଟି ଟପୁ ନ ଥିଲା ବେଳେ ଚଳିତ ବଜେଟ୍‌ରେ ୫୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯିବା ଦଳୀୟ ସ୍ୱାର୍ଥ ପାଇଁ କାମ କି ? ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ୪୭୦୦ କିମି ଜାତୀୟ ରାଜପଥ ଥିଲା ବେଳେ ମୋଦିଙ୍କ ତିନି ବର୍ଷରେ ୪୮୦୦ କିମି ରାଜପଥ ମଞ୍ଜୁରି ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ହୋଇଛି କି ନାହିଁ ?

ଶ୍ରୀ ପ୍ରଧାନ କହିଛନ୍ତି, ଗରିବ ଆବାସ ଯୋଜନାରେ ଘର ମୂଲ୍ୟ ୭୦ ହଜାର ଟଙ୍କାରୁ ୧ ଲକ୍ଷ ୨୦ ହଜାର ଟଙ୍କାକୁ ବୃଦ୍ଧି ଓ ଓଡ଼ିଶା ପରି ରାଜ୍ୟ ପାଇଁ ଘର ଆବଣ୍ଟନ ସଂଖ୍ୟାରେ ବଡ଼ ବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୧୬ ଲକ୍ଷ ୫୦ ହଜାର ମହିଳାଙ୍କ ଘରେ ବିନା ମୂଲ୍ୟରେ ଗ୍ୟାସ ସଂଯୋଗ କରାଯାଇଛି। ୨୦୧୪ ମସିହା ଜୁନ୍‌ ପହିଲାରେ ରାଜ୍ୟରେ ଏଲ୍‌ପିଜି ଗ୍ରାହକଙ୍କ ସଂଖ୍ୟା ୨୦.୨୨ ଲକ୍ଷ ଥିଲା ବେଳେ ୨୦୧୭ ଅକ୍ଟୋବରରେ ଗ୍ରାହକ ସଂଖ୍ୟା ୫୨ ଲକ୍ଷରେ ପହଞ୍ଚିଛି। ଗରିବ ଓଡ଼ିଆ ମା’ର ସମ୍ମାନ ପାଇଁ ଘରେ ଘରେ ପାଇଖାନା ପହଞ୍ଚାଇବା ପାଇଁ ସ୍ୱାଧୀନତାରୁ ଆଜି ପର୍ଯ୍ୟନ୍ତ ସବୁଠାରୁ ବଡ଼ ବ୍ୟୟବରାଦ ହୋଇଛି। ମୁଦ୍ରା ଯୋଜନାରେ ବିନା ବନ୍ଧକରେ ସ୍ୱଳ୍ପ ସୁଧ ହାରରେ ଋଣ ପ୍ରଦାନ ରାଜ୍ୟର ଯୁବଶକ୍ତିକୁ ସଶକ୍ତ କରିବାକୁ ଉଦ୍ଦିଷ୍ଟ। ବରଗଡ଼ ଜିଲ୍ଲାରେ ହଜାରେ କୋଟି ଟଙ୍କା ବ୍ୟୟରେ କୃଷି ବର୍ଜ୍ୟରୁ ପ୍ରସ୍ତାବିତ ପେଟ୍ରୋଲ ଓ ଡିଜେଲ୍‌ ତିଆରି କାରଖାନା ରାଜ୍ୟ ସରକାର ଜମି ନ ଦେବା କାରଣରୁ ବିଳମ୍ବିତ ହେଉଛି।

ନିଜର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବାକୁ କେନ୍ଦ୍ର ଉପରେ ଦୋଷ ଲଦି ନବୀନ ବାବୁ ତାଙ୍କ ଉତ୍ତରଦାୟିତ୍ୱରୁ ମୁହଁ ଲୁଚାଇ ପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର