ବିଜେଡି ନେତାଙ୍କ ମୃତ୍ୟୁ ଘଟଣା: ଭିଡିଓରୁ ବିବ୍ରତ ଜଣାପଡ଼ୁଥିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ମୃତ୍ୟୁର କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାରିବାରିକ କଳହ ଏହାର କାରଣ ବୋଲି ଚର୍ଚ୍ଚା ହେଉଥିଲା। ଏଣୁ ଏହାର ଜବାବରେ ମୃତ୍ୟୁର ୧୫ଦିନ ପୂର୍ବରୁ ନିଜ ଫେସବୁକ ଆକାଉଣ୍ଟରେ ଧର୍ମେନ୍ଦ୍ର ଏକ ଭିଡିଓ ଜାରି କରିଥିଲେ। ସେଥିରେ ସେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଓ ପାରିବାରିକ କଳହ ସହ ରାଜନୈତିକ ତିକ୍ତତା ସମ୍ପର୍କରେ କହିଥିଲେ। ସ୍ଥାନୀୟ ଏକ ଗଣମାଧ୍ୟମରେ ଧର୍ମେନ୍ଦ୍ରଙ୍କ ନାଁରେ ଅନେକ କିଛି ଖବର ପ୍ରକାଶ ପାଇଥିଲା। ଏହାକୁ ଟାର୍ଗେଟ୍‌ କରି ଧର୍ମେନ୍ଦ୍ର ଭିଡିଓରେ କହିଥିଲେ, ମୋ ନାଁରେ ଯେଉଁ ଗୁଜବ ଉଠିଥିଲା, ତାର ଯଦି କେହି ପ୍ରମାଣ ଦେଇପାରିବେ, ତେବେ ମୋତେ ଜୀବନରେ କେବେ ରାଜନୀତିରେ ଅବା ସାମାଜିକ କ୍ଷେତ୍ରରେ ଦେଖିବାକୁ ପାଇବେନି।

ଭିଡିଓରେ ତିନୋଟି ପ୍ରସଙ୍ଗ ଉଠାଇ ସେ କହିଥିଲେ, ପ୍ରଥମ କଥା ମୋର ଦେହ ଖରାପ ଥିଲା। ବହୁଦିନ ହେବ ଭୁବନେଶ୍ବରର ଆମ୍ରି ହସପିଟାଲରେ ଆଡ୍‌ମିଟ୍‌ ଥିଲି। ଏବେ କିଛିଦିନ ହେବ ଆସିଛି। ଏଥିପାଇଁ ମୁଁ ସୋସିଆଲ୍‌ ମିଡିଆରୁ ଦୂରେଇ ରହିଥିଲି। ଦ୍ବିତୀୟ କଥା ହେଉଛି, ମୋର ପରିବାରରେ ରାଜନୀତି ପାଇଁ ଅଶାନ୍ତି ଲାଗି ରହିଛି। କଳହ ସୃଷ୍ଟି ହୋଇଛି, ଯାହା ଉଗ୍ରରୂପ ନେଇଛି। କିନ୍ତୁ ଏହି କଥାକୁ ମୁଁ ସର୍ବସାଧାରଣରେ ଉପସ୍ଥାପନ କରିପାରୁନି। ଖୁବଶୀଘ୍ର ଏହା ସୋସିଆଲ୍‌ ମିଡିଆରେ ଲୋକଲୋଚନକୁ ଆଣିବି। ଗୋପ ଓ ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମସ୍ତେ ମୋ ବିଷୟରେ ଜାଣିଛନ୍ତି। କିନ୍ତୁ ଏ ଭିଡିଓ ପରେ ସମସ୍ତେ ଜାଣିଯିବ, ମୋ ନାଁରେ କେଡେବଡ଼ ମିଛ ଲେଖାଯାଇଛି। ରାଜନୀତିକୁ ନେଇ ମୋ ନାଁରେ ସୋସିଆଲ୍‌ ମିଡିଆରେ ଯେଉଁଭଳି କଥା ଆସୁଛି, ଆମ ପରିବାର ଭିତରେ ତାକୁ ନେଇ ବଡ଼ ଝଡ଼ ସୃଷ୍ଟି ହୋଇଛି। ତୃତୀୟ କଥା ହେଲା, ଏକ ଖବର କାଗଜ ମୋ ନାଁରେ ଯେଉଁଭଳି ମିଛ ଲେଖିଛନ୍ତି, ତାହା ଗ୍ରହଣୀୟ ନ‌ୁହେଁ। ଏତେ ସାମ୍ବାଦିକ ଗୋପ, ନିମାପଡ଼ା ଅଞ୍ଚଳରେ ଅଛନ୍ତି, କେହି ଏ ସଂପର୍କରେ ଜାଣି ପାରିଲେନି, କିନ୍ତୁ ସଂପୃକ୍ତ ସାମ୍ବାଦିକ ବନ୍ଧୁ କିପରି ଜାଣିଲେ ଓ ମୋ ନାଁରେ କିପରି ଲେଖିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଜବାବ ସେ ହାଇକୋର୍ଟ ନ ହେଲେ ସୁପ୍ରିମକୋର୍ଟରେ ଦେବେ ବୋଲି ଭିଡିଓରେ କହିଥିଲେ। ମୋର ଯେଉଁଭଳି ସମ୍ମାନ ହାନି ହୋଇଛି, ତାର କେତେବଡ଼ ହିସାବ ନେବି, ସମସ୍ତେ ଜାଣିବେ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳର ଏକ ଖବରକାଗଜରେ ଧର୍ମେନ୍ଦ୍ରଙ୍କ ନାଁରେ ଏକାଧିକ ଖବର ପ୍ରକାଶ ପାଇଥିଲା। ଏହି ଖବର ଉପରେ ପ୍ରତିକ୍ରିୟା ରଖି ସେ ଏଭଳି କହିଥିଲେ।

ଟୁକୁ ଜବାବ ଦେ, ମୁଁ କି ଦୋଷ କରିଥିଲି
ଧର୍ମେନ୍ଦ୍ରଙ୍କ ମୃତଦେହ ହସ୍ପିଟାଲରୁ ଘରେ ପହଞ୍ଚିବା ପରେ ସେଠାରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିବାର, ଆତ୍ମୀୟସ୍ବଜନ, ସମର୍ଥକ ଏବଂ ଶୁଭେଚ୍ଛୁଙ୍କ କାନ୍ଦବୋବାଳିରେ ପରିବେଶ ଫାଟି ପଡ଼ିଥିଲା। ‌ପତ୍ନୀ କସ୍ତୁରିବାଳା ପହଞ୍ଚି ମୃତଦେହ ଉପରେ ମୁଣ୍ଡ କଚାଡ଼ି ଉଠ ଟୁକୁ, ମୋ କଥାର ଜବାବ ଦେ; ମୁଁ କି ଭୁଲ କରିଥିଲି ବୋଲି କହିଥିଲେ। ତାଙ୍କର ଏଭଳି କଥା ଉପରେ ଜଣେ ସଂପର୍କୀୟ ଆକ୍ଷେପ କରିବାକୁ ନେଇ ଗମ୍ଭୀର ପରିସ୍ଥିତି ଉପୁଜିଥିଲା।

ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ ପ୍ରଭାତୀ
ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ନିର୍ବାଚନମଣ୍ଡଳୀର ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ସେ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ସମୀର ରଂଜନ ଦାଶଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗତରାତିରେ ଧର୍ମେନ୍ଦ୍ର ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଏକ ଲେଖା ପୋଷ୍ଟ କରିଥିଲେ। ରାତି ପ୍ରାୟ ୩ଟାରୁ ସାଢ଼େ ୩ଟା ଭିତରେ ଏହା ପୋଷ୍ଟିଂ ହୋଇଥିବା ଜଣାପଡ଼ୁଛି। ସେଥିରୁ ସ୍ପଷ୍ଟ ହେଉଛି କି ବିପଦକୁ ସାମ୍ନାରେ ଦେଖି ସେ ଏଭଳି ପୋଷ୍ଟ କରିଛନ୍ତି। ସେପଟେ ଝୁଲନ୍ତା ଶବକୁ ଦେଖିଲେ, ଏହା ହତ୍ୟା ଭଳି ଲାଗୁଛି। କିଛିଦିନ ତଳେ ଧର୍ମେନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ନେଇ ଧର୍ମେନ୍ଦ୍ରଙ୍କ ପତ୍ନୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ସେହିପରି କିଛି ଦିନ ତଳେ ଧର୍ମେନ୍ଦ୍ର ଏକ ହୋଟେଲରୁ ଧରା ପଡ଼ିଥିଲେ। ‘ବିନ୍ଦାସ’ ବୋଲି କୁହାଯାଉଥିବା ବ୍ୟକ୍ତିଙ୍କ ନାଁ ବି ଏହି ଘଟଣାରେ ଚର୍ଚ୍ଚାକୁ ଆସୁଛି। ଧର୍ମେନ୍ଦ୍ର ଫେସ୍‌ବୁକ୍‌ ଆଇଡିରେ ଛାଡ଼ିଥିବା ଭିଡିଓରେ ବାରମ୍ବାର କହୁଛନ୍ତି, ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଲାଗିରହିଛି। ତେଣୁ ଏହି କଳହ ତଥା ଝଗଡ଼ାର କେନ୍ଦ୍ର ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ବୋଲି ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି। ସାରା ନିର୍ବାଚନମଣ୍ଡଳୀ ଏହା ଜାଣିସାରିଲାଣି। ଏଣୁ ଗଣଶିକ୍ଷା ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ। ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଯେଉଁ ମୋବାଇଲ୍‌ କଥା ଧର୍ମେନ୍ଦ୍ର ଉଠାଇଛନ୍ତି, ତାର ସତକୁ ସାମ୍ନାକୁ ଅଣାଯାଉ ବୋଲି ଶ୍ରୀମତୀ ପରିଡ଼ା ଦାବି କରିଛନ୍ତି।

୮୦ ଲକ୍ଷ ‌ଟଙ୍କାର କେଁ
ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ୮୦ ଲକ୍ଷ ଟଙ୍କାର କେଁ ଥିବା ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳୁଛି, ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିମାପଡ଼ା ନିର୍ବାଚନମଣ୍ଡଳୀର ଜଣେ ବରିଷ୍ଠ ନେତା ନିଜ କଳାଧନକୁ ସୁରକ୍ଷିତ ରଖିବା ପାଇଁ ଧର୍ମେନ୍ଦ୍ରଙ୍କୁ ଏହି ୮୦ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଟଙ୍କା ଫେରାଇବା ବଦଳରେ ଧର୍ମେନ୍ଦ୍ର ସମୟ ଗଡ଼ାଇ ଚାଲିଥିଲେ। କାରଣ ଜିଲ୍ଲା ପରିଷଦ ଟିକେଟ୍‌ ପାଇଁ ପ୍ରାୟ ୨୦ଲକ୍ଷ ଟଙ୍କା ଓ ନିର୍ବାଚନ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ଧର୍ମେନ୍ଦ୍ର ଖର୍ଚ୍ଚ କରି ସାରିଥିଲେ ବୋଲି କୁହାଯାଉଛି। ଧର୍ମେନ୍ଦ୍ର ସଂପୃକ୍ତ ନେତାଙ୍କ କିଛି ଗୋପନ ଭିଡିଓ ରଖି ବ୍ଲାକ୍‌ମେଲ୍‌ କରିଥିଲେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ତାଙ୍କ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ଏଥିପାଇଁ ଧର୍ମେନ୍ଦ୍ର ମାନସିକ ଚାପରେ ରହୁଥିଲେ। ଟଙ୍କା ସମସ୍ୟାରୁ ନିସ୍ତାର ପାଇଁ ନିମାପଡ଼ା ନିର୍ବାଚନମଣ୍ଡଳୀ ବଦଳରେ ଅଧିକାଂଶ ସମୟ ଭୁବନେଶ୍ବର ଘରେ ରହୁଥିଲେ ବୋଲି ବି କୁହାଯାଉଛି।

ଦାମ୍ପତ୍ୟ କଳହ ଲାଗି ରହିଥିଲା
ଧର୍ମେନ୍ଦ୍ର ରାଜନୈତିକ ଜୀବନ କଂଗ୍ରେସରୁ ହିଁ ଆରମ୍ଭ କରିଥିଲେ। ଏକଦା ସେ କଂଗ୍ରେସର ଆଗଧାଡ଼ିରେ ନେତା ଥିଲେ। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ କଂଗ୍ରେସ ଟିକେଟ୍‌ରେ ୧୩ ନମ୍ବର ଜିଲ୍ଲା ‌ପରିଷଦ ଜୋନ୍‌ରୁ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ପରାଜିତ ହୋଇଥିଲେ। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ୧୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପାଇଁ ଟିକେଟ୍‌ ମିଳିଥିଲା। ୧୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ଭାବେ ବିଜେଡିରୁ ବି ବହୁ ଭୋଟ୍‌ରେ ବିଜୟୀ ହୋଇଥିଲେ। ଏହା ପରଠାରୁ ଧର୍ମେନ୍ଦ୍ରଙ୍କ ପାରିବାରିକ ଜୀବନରେ କଳହ ଆରମ୍ଭ ହୋଇଥିଲା। ଏପରିକି ତାଙ୍କ ଦାମ୍ପତ୍ୟ ଜୀବନ ବି ଭଲ ନଥିଲା ବୋଲି ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କ ଶ୍ବଶୁର ବି ଏହି କଥା ସ୍ବୀକାର କରିଛନ୍ତି। ଧର୍ମେନ୍ଦ୍ର ସର୍ବଦା ମଦ ପିଇ ତାଙ୍କ ସ୍ତ୍ରୀଙ୍କୁ ମାରଧର ସହ ଧମକଚମକ ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି ଧର୍ମେନ୍ଦ୍ର ତାଙ୍କ ସ୍ତ୍ରୀଙ୍କୁ ବାପ ଘରୁ ବାରମ୍ବାର ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ ବୋଲି ଶ୍ବଶୁର ଗଣମାଧ୍ୟମ ଆଗରେ କହିଛନ୍ତି।

ସ୍ବର୍ଗଦ୍ବାରରେ ଶେଷକୃତ୍ୟ
ଧର୍ମେନ୍ଦ୍ରଙ୍କ ମୃତଦେହ ଭୁବନେଶ୍ବରଠାରେ ବ୍ୟବଚ୍ଛେଦ ପରେ ଆଜି ସନ୍ଧ୍ୟାରେ ପୁରୀ ସ୍ବର୍ଗଦ୍ବାରଠାରେ ଶେଷକୃତ୍ୟ କରାଯାଇଛି। ଏହା ପୂର୍ବରୁ ଭୁବନେଶ୍ବରରୁ ଧର୍ମେନ୍ଦ୍ରଙ୍କ ମରଶରୀର ଗୋପ ଅଞ୍ଚଳକୁ ଅଣାଯାଇଥିଲା। ଖଣ୍ଡିଆକୁଦରେ ଥିବା ତାଙ୍କ ଘରେ ପହଞ୍ଚିବା ପରେ ଗୋପସ୍ଥିତ ବିଜେଡି ପାର୍ଟି ଅଫିସ, ଗଣେଶ୍ବରପୁର, ବେଦପୁର, ନାଗପୁର, କୁଆଁପଡ଼ା, ବନ୍ତଳିଗ୍ରାମ, ବଣିଆସାହି ଆଦି ଗାଁରେ ଶବ ଶୋଭାଯାତ୍ରା କରାଯାଇଥିଲା। ଶେଷରେ ପୁରୀ ସ୍ବର୍ଗଦ୍ବାରଠାରେ ଆତ୍ମୀୟସ୍ବଜନଙ୍କ ସହ ବିଜେଡି ନେତା ଓ କର୍ମକର୍ତ୍ତାଙ୍କ ଗହଣରେ ଶେଷକୃତ୍ୟ ସଂପନ୍ନ ହୋଇଛି।

ଚର୍ଚ୍ଚାରେ ଦୁଇ ସାମ୍ବାଦିକ
କୁହାଯାଉଛି, ୧୫ଦିନ ତଳେ ଧର୍ମେନ୍ଦ୍ର ରସୁଲଗଡ଼ ଅଞ୍ଚଳରୁ ପୁଲିସ ହାତରେ ଧରାପଡ଼ିଥିଲେ। ମ‌ଞ୍ଚେଶ୍ବର ଥାନା ରସୁଲଗଡ଼ ଫାଣ୍ଡି ତାଙ୍କୁ ଏକ ମାମଲାରେ ଥାନାରେ ରଖିଥିଲା। ଏହି ସମୟରେ ଧର୍ମେନ୍ଦ୍ରଙ୍କ ସହ ଗୋପ ଅଞ୍ଚଳର ଦୁଇଜଣ ସାମ୍ବାଦିକ ବି ଥିଲେ। ଏହି ପ୍ରସଙ୍ଗର ମଧ୍ୟ ଖୋଳତାଡ଼ କରିବାକୁ ଦାବି ହୋଇଛି।

ଫୁଲକୁଣ୍ଡ ଭିତରୁ ମିଳିଲା ୫୦୦ ଟଙ୍କିଆ ବିଡ଼ା
ଆଜି ସକାଳେ ଧର୍ମେନ୍ଦ୍ରଙ୍କ ପୋର୍ଟିକୋ ଆଗ ପାଚେରି ଉପରେ ଥୁଆ ହୋଇଥିବା ଫୁଲକୁଣ୍ଡ ଭିତରୁ ୫୦୦ ଟଙ୍କିଆ ବିଡ଼ା ଥୁଆ ହୋଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧି କହିବା ପରେ ଧଉଳି ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ତାହାକୁ ଜବତ କରିଥିଲେ। ସେଠାରୁ ୧୮ହଜାର ଟଙ୍କା ଜବତ କରାଯାଇଥିଲା। ଧର୍ମେନ୍ଦ୍ରଙ୍କ ସାର୍ଟ ପ୍ୟାଣ୍ଟ କାର୍‌ ଭିତରେ ଥିବା ବେଳେ ସେଠାକୁ ଟଙ୍କା କେମିତି ଆସିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଦନ୍ତର ଦିଗ ବଦଳାଇବାକୁ ‌ସନ୍ଦିଗ୍ଧ ଏଭଳି ଯୋଜନା କରିଥାଇପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର