ସଂଜୟଙ୍କ ହେଲିକପ୍ଟର ଅବତରଣ : ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେପି

ପୁରୀ : ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କୁ ନେଇ ଆସିଥିବା ଏକ ହେଲିକ୍ୟାପ୍ଟର ଅବତରଣକୁ ନେଇ ରାଜନୀତି ଜୋର୍‌ ଧରିଛି। ଶ୍ରୀ ଦାସବର୍ମା ଏହାଦ୍ବାରା ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଶ୍ରୀ ଦାସବର୍ମା ଆଜି ଅପରାହ୍ନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କେରାଣ୍ଡିଆ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ଏଥି ପାଇଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ନିୟୋଜିତ ଥିଲେ। ତେବେ ହେଲିକପ୍ଟର ଅବତରଣ ନେଇ ରହିଥିବା ନିୟମ କାନୁନକୁ ବିଧାୟକ ମାନିନଥିବା ଏବଂ ଜିଲ୍ଲା ପ୍ରଶାସନ ଏଥି ପାଇଁ ତାଙ୍କୁ ଘଣ୍ଟ ଘୋଡାଉଥିବା ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଅଭିଯୋଗ କରିଛନ୍ତି।

ନିର୍ବାଚନ ଆଚରଣ ବିଧି ମୁତାବକ, ଯିଏ ହେଲିକପ୍ଟର ବ୍ୟବହାର କରିବ ୭୨ ଘଣ୍ଟା ଅର୍ଥାତ ତିନି ଦିନ ପୂର୍ବରୁ ଲିଖିତ ଭାବେ ଅନୁମତି ମାଗିବେ। ଆଚରଣ ବିଧିରେ ମଧ୍ୟ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ହେଲିକପ୍ଟରରେ କିଏ ଯିବେ, କେତେ ଜଣ ଯାତ୍ରୀ ରହିବେ ତାର ସମସ୍ତ ବିବରଣୀ ରହିବ। ଜିଲ୍ଲା ନିର୍ବାଚନ ଅଧିକାରୀ ଏକ ଲଗ୍‌ ବୁକରେ ଏହାକୁ ଉଲ୍ଲେଖ କରିବେ। ଜିଲ୍ଲାପାଳ ମଧ୍ୟ ଏହାର ବିବରଣୀ ନିର୍ବାଚନ କମିସନରଙ୍କୁ ଅବଗତ କରିବେ। ହେଲିକ୍ୟାପ୍ଟର ଦଳୀୟ କାର୍ଯ୍ୟକ୍ରମରେ ଆସିଥିବାରୁ ଏ ସବୁ ଅନୁମତି ନେବାର ଆବଶ୍ୟକତା ଥିବା ବେଳେ ତାହା ବିଧାୟକ କରିନାହାନ୍ତି। ଶ୍ରୀ ଦାସବର୍ମା ଏ ନେଇ ଜିଲ୍ଲାପାଳଙ୍କୁ ଗୋଟିଏ ଦିନ ପୂର୍ବରୁ ଜଣାଇଛନ୍ତି। ତାହା ପୁଣି ମୌଖିକ ଭାବେ। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ ତାଙ୍କୁ କିଭଳି ଅନୁମତି ଦେଲେ ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହ ଏହାର ତଦନ୍ତ ଦାବି କରିଛି। ଅନ୍ୟପକ୍ଷରେ ବିଧାୟକ ସଂଜୟ ଦାସବର୍ମାଙ୍କ କହିବା ଅନୁସାରେ, ହେଲିକ୍ୟାପ୍ଟର ଅବତରଣ ପାଇଁ ସେ ଅନୁମତି ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାର୍ଥୀ ହୋଇନାହାନ୍ତି। ଦଳୀୟ କାର୍ଯ୍ୟକର୍ତ୍ତା ଭାବେ ସେ ହେଲିକ୍ୟାପ୍ଟରରେ ଆସିଥିଲେ। ଏଥିରେ କୌଣସି ଆଚରଣ ବିଧିର ଉଲ୍ଲଂଘନ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର