ବ୍ଲାକରୋଜ୍‌ରେ ପିଟି ହୋଇ ଡଙ୍ଗା ଓଲଟିଲା, ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ

ସାଙ୍କେତିକ ଚିହ୍ନ ଲଗାଇବା ପାଇଁ ଦାବି

ଜଗତସିଂହପୁର: ଦୀର୍ଘଦିନ ଧରି ବୁଡ଼ି ରହିଥିବା ‘ବ୍ଲାକରୋଜ୍’ ଜାହାଜ ମତ୍ସ୍ୟଜୀବୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଆଜି ଭୋର ସମୟରେ ‘ଜଗତଜନନୀ’ ନାମକ ଏକ ମାଛଧରା ଡଙ୍ଗା ଏହି ଜାହାଜ ସହ ବାଡ଼େଇ ହୋଇ ଓଲଟି ପଡ଼ିଛି। ଏଥିରେ ଥିବା ୬ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୨୦୦୯ ମସିହାରୁ ‘ବ୍ଲାକ୍‌ରୋଜ୍‌’ ସମୁଦ୍ରରେ ବୁଡ଼ି ରହିଛି। ଏହାକୁ ଉଠାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ, ଯାହାକି ମତ୍ସ୍ୟଜୀବୀମାନଙ୍କ ପାଇଁ ବିପଦ ଆଣିଦେଉଛି। ଜୁଆର ନଥିବା ସମୟରେ ଜାହାଜଟି ପାଣି ଉପରୁ ଦେଖାଯାଉଥିବାରୁ ବୋଟ୍ ଚାଳକ ସାବଧାନତାର ସହ ସେହି ଅଞ୍ଚଳରୁ ପଳାଇ ଆସୁଛନ୍ତି। ମାତ୍ର ଯେତେବେଳେ ଜୁଆର ଅଧିକ ରହୁଛି, ଜାହାଜଟି କେଉଁଠି ବୁଡ଼ିଛି, ତାହା ମତ୍ସ୍ୟଜୀବୀଙ୍କ ପକ୍ଷେ ଜାଣିବା ମୁସ୍କିଲ ହେଉଛି। ଯାହାର ପରିଣାମ ‘ଜଗତଜନନୀ’ ବୋଟରେ ଥିବା ମତ୍ସ୍ୟଜୀବୀମାନେ ଭୋଗିଛନ୍ତି। ଆଜି ଭୋର ସମୟରେ ଘନ କୁହୁଡ଼ି ଥିବା ବେଳେ ଜୁଆର ମଧ୍ୟ ଅଧିକ ରହିଥିଲା। ଏଣୁ ବୋଟ୍ ଚାଳକ ଜଣକ ଏ ସମ୍ପର୍କରେ କିଛି ଜାଣିପାରି ନଥିଲେ। ଫଳରେ ଜାହାଜ ସହ ଜୋର୍‌ରେ ଧକ୍କା ହେବାରୁ ସେହିଠାରେ ହିଁ ବୋଟ୍‌ଟି ଓଲଟିପଡ଼ିଥିଲା। ମାତ୍ର ପଛରେ ଆସୁଥିବା ଆଉ ଏକ ଡଙ୍ଗା ବୁଡ଼ି ଯାଉଥିବା ଏହି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିଥିଲା। ଫଳରେ, ଛଅ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇ ସୁରକ୍ଷିତ ଅବସ୍ଥାରେ ଫେରିଛନ୍ତି। ମାତ୍ର, ସେମାନଙ୍କ ଡଙ୍ଗାଟି ଜାହାଜରେ ମାଡ଼ ହୋଇ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପରିସ୍ଥିତି ଏପରି ହୋଇଛି ଯେ ଉକ୍ତ ଡଙ୍ଗାଟିକୁ ମଧ୍ୟ ସେଠାରୁ ଉଦ୍ଧାର କରି ଆଣିବା ମୁସ୍କିଲ ହୋଇପଡ଼ିଛି।

ଏହି ଘଟଣା ପରେ ବନ୍ଦର କର୍ତ୍ତୃପକ୍ଷ କୌଣସି ପ୍ରକାରେ ସାଙ୍କେତିକ ଚିହ୍ନ ବ୍ୟବହାର କରିବା ଆବଶ୍ୟକ ବୋଲି ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି। ଏ ନେଇ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ସୁମନ୍ତ ବିଶ୍ବାଳ କୁହନ୍ତି ଯେ, ଦୀର୍ଘ ଦିନ ହେଲା ବ୍ଲାକ୍‌ରୋଜକୁ ଉଠାଇବା ପାଇଁ ଦାବି କରାଯାଉଥିଲେ ମଧ୍ୟ ଏ ଦିଗରେ ବନ୍ଦର କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି। ଏ ଦିଗରେ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର