ବୁଢ଼ାବଳଙ୍ଗ ହଳଦିଆ ଘାଟରେ ବୁଡ଼ିଲା ଡଙ୍ଗା : ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

ରେମୁଣା/ବେତନଟୀ/ବୈଶିଙ୍ଗା : ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀରେ ଆଜି ଏକ ଅଘଟଣ ଘଟିଛି। ରେମୁଣା ବ୍ଲକ ଅନ୍ତର୍ଗତ ନିଜାମପୁର ପଞ୍ଚାୟତରେ ଥିବା ହଳଦିଆ ଘାଟରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଡଙ୍ଗା ହେବା ସମୟରେ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଡଙ୍ଗାରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଥିଲେ। କିଛିଲୋକ ପହଁରି ପହଁରି ନିଜ ଜୀବନ ରକ୍ଷା କରିଥିବାବେଳେ ଖବର ହସ୍ତଗତ ହେଲାବେଳକୁ ଅନ୍ୟମାନଙ୍କୁ ଉଦ୍ଧ‌ାର ପାଇଁ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି।

ମିଳିଥିବା ଖବର ଅନୁଯାୟୀ, ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନଦୀ ଆରପଟେ ଥିବା ପଦ୍ମପୁରହାଟରୁ ସଉଦା କିଣି ‌ଘରକୁ ଫେରୁଥିଲେ। ଡଙ୍ଗାରେ ପ୍ରାୟ ୩୦ରୁ ଉର୍ଧ୍ବ ଯାତ୍ରୀ ଥିଲେ। ତେବେ କୂଳ ଛାଡ଼ିବାର କିଛି ଦୂରରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାଚାଳକ ଓ କୂଳରେ ଥିବା ଲୋକମାନେ ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ଡଙ୍ଗା ଚାଳକଙ୍କ ତରଫରୁ କୁହାଯାଇଥିବାବେଳେ ସେଥିରେ କେତେଜଣ ଆସିଥିଲେ ସେନେଇ କୌଣସି ଠିକ ହିସାବ ନଥିବାରୁ ଖବର ପାଇ ସ୍ଥାନୀୟ ପ୍ରଶାସନ ସହ ଉଦ୍ଧାରକାରୀ ଟିମ୍‌ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ। ଖବର ଲେଖା ହେବା ବେଳକୁ ନଦୀରେ ତଲାସୀ କାର୍ଯ୍ୟ ଜାରି ରହିଥିଲା। ଉଦ୍ଧାର ହୋଇଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ତେବେ‌ ଆଣିଥିବା ସମସ୍ତ ସମସ୍ତ ଜିନିଷପତ୍ର ଓ ସାଇକଲ ନଦୀରେ ଭାସିଯାଇଛି।

ସମ୍ବନ୍ଧିତ ଖବର