ବିଶିଷ୍ଟ କର୍ମଚାରୀ ନେତା, ସମାଜସେବୀ ବୃନ୍ଦାବନ ସାବତଙ୍କ ପରଲୋକ

ବ୍ରହ୍ମପୁର : ବିଶିଷ୍ଟ କର୍ମଚାରୀ ନେତା ତଥା ସମାଜସେବୀ ବୃନ୍ଦାବନ ସାବତଙ୍କ ଆଜି ସକାଳ ସାଢ଼େ ୮ଟାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି।

ଆଙ୍କୁଲି ଶିଳ୍ପାଞ୍ଚଳ ଛକ ବାସିନ୍ଦା ଦିବଂଗତ ବୃନ୍ଦାବନ ରାଜ୍ୟ ଅଣଗେଜେଟେଡ଼୍ କର୍ମଚାରୀ ସମନ୍ବୟ ସମିତିର ପୂର୍ବତନ ରାଜ୍ୟ ସଭାପତି ଓ ମଜଦୁର ସଂଘର ଗଂଜାମ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ଏହାସହ ଜଣେ ବିଶିଷ୍ଟ ସମାଜସେବୀ ଓ ସଂଗଠକ, ସୁଲେଖକ, ବିଶିଷ୍ଟ ବକ୍ତା ଓ ସଂସ୍କୃତି ପ୍ରେମୀ ଭାବେ ପରିଚିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜାନକୀବଲ୍ଲଭ ପଟ୍ଟନାୟକ, ନ୍ୟାୟଧୀଶ ହରିହର ମହାପାତ୍ର, ଡ.ହରେକୃଷ୍ଣ ମହତାବ, ବୃନ୍ଦାବନ ନାୟକ, ଦିବାକର ପଟ୍ଟନାୟକ ଓ ବିନାୟକ ଆଚାର୍ଯ୍ୟଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସଂସ୍ପର୍ଶରେ ଅନେକ କାମ କରିବା ସହ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିଲେ। ଏହାସହ ବ୍ରହ୍ମପୁରର ସହରର ପାଣି ଓ ରାସ୍ତାଘାଟ ସମସ୍ୟା ସମାଧାନ ପାଇଁ ସ୍ବରୋତ୍ତୋଳନ କରିଆସୁଥିଲେ। ଶ୍ରମିକ କର୍ମଚାରୀ ନେତା ଭାବେ ବିଭିନ୍ନ ଆନ୍ଦୋଳନରେ ସେ ସାମିଲ୍ ହୋଇଥିଲେ। କୃଷି ଓଭରସିଅର ଭାବେ କର୍ମପ୍ରବଣ ଓ ସମୟାନୁବର୍ତ୍ତିତା ପାଇଁ ସମ୍ମାନିତ ହୋଇ ମଧ୍ୟ ମଜଦୁର ସଂଘର ସଭାପତି ଭାବେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୁରୀ ଓ ଦ୍ବାରିକାପୀଠ ଶଙ୍କରାଚାର୍ଯ୍ୟ, ବ୍ରହ୍ମପୁର ବେଦ ପାଠଶାଳାର ପ୍ରତିଷ୍ଠାତା ଓ ଉପଦେଷ୍ଟା ଭାବେ ଅଦ୍ୟାବଧି କାର୍ଯ୍ୟରତ ଥିଲେ।

ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଲକ୍ଷ୍ମୀପ୍ରିୟା, ପୁଅ ସରୋଜ, ସଂଜୟ , ଦୁଇ ବୋହୂ ,ଝିଅ ସୁଜାତା, ଜ୍ବାଇଁ ପ୍ରବୀଣ ଏବଂ ନାତିନାତୁଣୀଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ବହୁ ନେତା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର