କୋଭିଡରେ ପ୍ରଭାବିତ ହେଉଛି କ୍ୟାନସର ଚିକିତ୍ସା, ୩୦% ରୋଗୀ ଆସିପାରୁ ନାହାନ୍ତି ଏମ୍‌ସ

ଗତବର୍ଷ କୋଭିଡ୍‌ ଆକ୍ରାନ୍ତ ୨୮ କର୍କଟ ରୋଗୀରୁ ୨୫ ସୁସ୍ଥ ହୋଇଥିଲେ

ଭୁବନେଶ୍ବର : କୋଭିଡ୍‌ ଯୋଗୁଁ ଏମ୍‌ସରେ କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏବେ ଏମ୍‌ସର ଓପିଡି ସମେତ ସମସ୍ତ ବିଭାଗ ବନ୍ଦ ସତ୍ତ୍ବେ ଖୋଲା ରହିଛି କର୍କଟ ରୋଗ ବିଭାଗ। ତେବେ ଯାନବାହନ ଚଳାଚଳରେ କଟକଣା ଏବଂ କରୋନା ସଂକ୍ରମଣ ଭୟ ଯୋଗୁଁ ୩୦ ପ୍ରତିଶତ କର୍କଟ ରୋଗୀ ଏମ୍‌ସକୁ ଆସି ପାରୁନାହାନ୍ତି।

ଗତବର୍ଷ ଏମ୍‌ସରେ ସମୁଦାୟ ୨୮କର୍କଟ ରୋଗୀ କୋଭିଡ୍‌ ପଜିଟିଭ ହୋଇଥିଲେ। ସେଥିମଧ୍ୟରୁ ୩ଜଣ ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ସୁସ୍ଥ ହୋଇଥିବା କହିଛନ୍ତି କର୍କଟ ରୋଗ ବିଭାଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ।

ଏମ୍‌ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ମସିହା ଏପ୍ରିଲରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଡାକ୍ତରଖାନାରେ ସମୁଦାୟ ୪୦ ହଜାର ୨୯୬ କର୍କଟ ରୋଗୀ ଚିକିତ୍ସିତ ହୋଇଥିଲେ। ଏଥିମଧ୍ୟରେ ଓପିଡିରେ ୧୫ ହଜାର ୧୦୨ ପୁରୁଣା, ୫୨୬୩ ନୂତନ ରୋଗୀ, ୧୧୧୬ ଆଇପିଡିରେ ଭର୍ତ୍ତି, ୬୯୬୧ ଡେ’କେୟାରରେ ଆଡମିସନ୍‌ ନେଇଥିଲେ। ଏ ବର୍ଷ ପ୍ରତି ମାସରେ ହାରାହାରି ୩୧୦୦ରୁ ୩୬୦୦ କର୍କଟ ରୋଗୀ ଚିକିତ୍ସିତ ହୋଇଥିଲେ। ଏପ୍ରିଲ ୨୦୨୦ ମସିହାରୁ ମାର୍ଚ ୨୦୨୧ ମସିହା ମଧ୍ୟରେ ୩୪ ହଜାର ୨୨୦ ରୋଗୀ ଆସିଛନ୍ତି। ଏଥିମଧ୍ୟରେ ଓପିଡିରେ ୧୩ ହଜାର ୧୫୪ ପୁରୁଣା, ୨୮୩୧ ନୂତନ ରୋଗୀ, ୭୫୮ ଆଇପିଡିରେ ଭର୍ତ୍ତି ହୋଇଥିବାବେଳେ ୬୨୦୭ ଡେ’କେୟାରରେ ଭର୍ତ୍ତି ହୋଇଛନ୍ତି। ଓପିଡି, ଆଇପିଡିରେ ରୋଗୀ ସଂଖ୍ୟା ହ୍ରାସ ପାଇଥିଲେ ବି ରେଡିଓଥେରାପି, କେମୋଥେରାପି ପାଇଁ ଆସୁଥିବା ରୋଗୀ ସଂଖ୍ୟା ହ୍ରାସ ପାଇନାହିଁ।

ସୂଚନା ଅନୁଯାୟୀ, ଗତବର୍ଷ ଲକଡାଉନ୍‌ ଏବଂ କରୋନା ଯୋଗୁଁ ବୁର୍ଲାର ଭିମସାର କର୍କଟରୋଗ ବିଭାଗ ଏବଂ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ବାରମ୍ବାର ବନ୍ଦ ହୋଇଥିଲା। ଏହା ସତ୍ତ୍ବେ ସେଠାରେ ସାଧାରଣ ସମୟରେ ଆସୁଥିବା କର୍କଟ ରୋଗୀଙ୍କ ତୁଳନାରେ ଲକଡାଉନ୍‌ରେ ଅଧିକ ରୋଗୀ ଆସିଥିଲେ। ଏମ୍‌ସରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ଯେ ବସ୍‌, ଟ୍ରେନ୍‌ ଉପରେ ନିର୍ଭରଶୀଳ ଗ୍ରାମାଞ୍ଚଳ ତଥା ଗରିବ ଶ୍ରେଣୀର କର୍କଟ ରୋଗୀ ଏଠାକୁ ଆସି ନ ପାରି ନିକଟସ୍ଥ ଡାକ୍ତରଖାନା ଯାଇଛନ୍ତି।

ବର୍ତ୍ତମାନ କୋଭିଡ୍‌ ଯୋଗୁଁ ଓପିଡି ବନ୍ଦ ସତ୍ତ୍ବେ ଏମ୍‌ସରେ କର୍କଟ ରୋଗ ଚିକିତ୍ସା ସ୍ବାଭାବିକ ରହିଛି। ବର୍ତ୍ତମାନ ଏଠାରେ ୧୫ଶଯ୍ୟାରୁ ୧୩ଜଣ ଭର୍ତ୍ତି ଅଛନ୍ତି, ଡେ’ କେୟାରରେ ୩୦ରୁ ୩୫ କେମୋଥେରାପି, ୫୮ ଜଣ ରେଡିଓଥେରାପି ନେଉଛନ୍ତି। ଏଥିସହିତ କରୋନାରୁ ରକ୍ଷା ପାଇଁ କର୍କଟ ରୋଗୀ, ପରିବାର ପାଇଁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଥିବା ଡାକ୍ତର ଦିଲ୍ଲୀପ କହିଛନ୍ତି। କୋଭିଡ୍‌ ଆକ୍ରାନ୍ତ କର୍କଟ ରୋଗୀଙ୍କ ଚିକିତ୍ସାରେ ମଧ୍ୟ କୌଣସି ସମସ୍ୟା ନେଇ ସେମାନେ ରେଡିଓଥେରାପି, କେମୋଥେରାପି ସହିତ ସେମାନଙ୍କୁ ରେମଡେସଭିର ଦିଆଯାଇ ପାରିବ ବୋଲି କର୍କଟ ରୋଗ ବିଶେଷଜ୍ଞ କହିଛନ୍ତି।

କିଏ ଗଛ ତଳେ ତ କିଏ ଭୁବନେଶ୍ବରରେ ଭଡ଼ା ଘରେ…
କର୍କଟ ରୋଗ ଚିକିତ୍ସାର ମୁଖ୍ୟ ଦିଗ ହେଲା କେମୋଥେରାପି ଏବଂ ରେଡିଓଥେରାପି। ମାସକୁ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ରୋଗୀଙ୍କୁ ଏହା ନେବାକୁ ପଡ଼େ। ତେଣୁ ଅନେକ ରୋଗୀ ଘରକୁ ଫେରି ଯାଆନ୍ତି, ଏହି ଥେରାପି ନେବା ସମୟ ହେଲେ ପୁଣି ଆସନ୍ତି। କରୋନା, ଲକଡାଉନ୍‌ ଯୋଗୁଁ ଯାତାୟାତ ସମସ୍ୟା ଆଶଙ୍କାରେ ଘରକୁ ନଯାଇ ଡାକ୍ତରଖାନା ପ୍ରାଙ୍ଗଣରେ ରହିଯାଇଥିବା କହିଛନ୍ତି ମାଲକାନଗିରିରୁ ଆସିଥିବା ଯମୁନା ପାଙ୍ଗୀ(୩୪)। ରକ୍ତ କର୍କଟ ରୋଗରେ ପୀଡ଼ିତ ଯମୁନା ଦେଢ଼ ମାସ ପୂର୍ବରୁ କଟକରେ ଭର୍ତ୍ତି ହୋଇ ଏମ୍‌ସକୁ ରେଫର୍‌ ହୋଇ ଆସି ଦେଖାଉଥିଲେ। କିଛି ଦିନ ପାଇଁ ଘରକୁ ଯିବା ପରେ ଅବସ୍ଥା ଗୁରୁତର ହେବାରୁ ପୁଣି ଏମ୍‌ସକୁ ଆସିଲେ। ମାତ୍ର ୨ ଦିନ ତାଙ୍କୁ ଡିସଚାର୍ଜ କରିଦିଆଗଲା। କିନ୍ତୁ ପ୍ରତି ସପ୍ତାହରେ ତାଙ୍କର ରେଡିଓଥେରାପି ଜାରି ରହିଛି। କରୋନା ଯୋଗୁଁ ଗାଡ଼ି ଯାତାୟାତ ହ୍ରାସ ପାଇବା ଯୋଗୁଁ ସେମାନେ ଘରକୁ ଫେରିନଥିବା କହିଛନ୍ତି ଯମୁନାଙ୍କ ସ୍ବାମୀ। ଏଠାରେ ୫ଟଙ୍କିଆ ମିଲ, କ୍ୟାଣ୍ଟିନ ମିଲ୍‌ ଭରସାରେ ରହିଛନ୍ତି। ସମ୍ବଲପୁରର ନାରାୟଣ ପତି ସ୍ତ୍ରୀଙ୍କ କର୍କଟ ରୋଗ ଚିକିତ୍ସା ପାଇଁ ଏମ୍‌ସ ଆସିଛନ୍ତି। ତାଙ୍କର କେମୋଥେରାପି ଚାଲୁଛି। ଘରକୁ ଫେରିଗଲେ ଲକଡାଉନ୍‌ ଯୋଗୁଁ ଯାନବାହନ ସମସ୍ୟା ହେବା ଆଶଙ୍କା କରି ସେ ଏଠାରେ ଘରେ ଭଡ଼ାରେ ରହି ଯାଇଥିବା କହିଛନ୍ତି।

ଏମ୍‌ସ ଜାରି କଲା ଏସ୍‌ଓପି
କରୋନାରୁ ବଞ୍ଚିବା ପାଇଁ ରେଡିଓଥେରାପି, କେମୋଥେରାପି ନେଉଥିବା କର୍କଟ ରୋଗୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର୍‌ (ଏସ୍‌ଓପି) ଜାରି କରିଛି ଏମ୍‌ସ। ସେଥିରେ କୁହାଯାଇଛି କର୍କଟ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଇପାରେ। ତେଣୁ ସେମାନେ ପରିଷ୍କାର ଘରେ ଅଲଗା ଭାବରେ ରୁହନ୍ତୁ।

ସର୍ବଦା ମୁହଁରେ ମାସ୍କ ବ୍ୟବହାର କରନ୍ତୁ। ପୁନର୍ବ୍ୟବହାର ମାସ୍କ ହୋଇଥିଲେ ଧୋଇ ପରିଷ୍କାର କରି ବ୍ୟବହାର କରନ୍ତୁ।

ଅନାବଶ୍ୟକ ସ୍ଥାନକୁ ଛୁଅନ୍ତୁ ନାହିଁ। ଅନାବଶ୍ୟକସ୍ଥଳେ ମୁହଁ, ଆଖି, ନାକ ସ୍ପର୍ଶ କରନ୍ତୁ ନାହିଁ।

ପରିବାର ସଦସ୍ୟ, ଅନ୍ୟ ଲୋକଙ୍କ ସହିତ ଦୂରତ୍ବ ରକ୍ଷା କରନ୍ତୁ।

ସାର୍ବଜନୀନ କାର୍ଯ୍ୟରେ ଯୋଗ ଦିଅନ୍ତୁ ନାହିଁ। ଜନଗହଳିଠାରୁ ଦୂରତା ରକ୍ଷା କରନ୍ତୁ।

ଖୋଲା ସ୍ଥାନରେ ଛେପ ପକାନ୍ତୁ ନାହିଁ।

ଜ୍ବର, କାଶ, ଛିଙ୍କର ଲକ୍ଷଣ ଦେଖାଗଲେ, ନିଃଶ୍ବାସ, ପ୍ରଶ୍ବାସରେ କଷ୍ଟ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସମ୍ବନ୍ଧିତ ଖବର