ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା : ଓମ୍‌ପ୍ରକାଶ କୋଟିପତି, ୫ବର୍ଷରେ ବଢ଼ିଛି ୧୩୪%

ସମ୍ବିତ, ଆଶ୍ରିତଙ୍କ ସମ୍ପତ୍ତି କୋଟିଏ ଛୁଇଁନି, ଆଶ୍ରିତଙ୍କର କମିଛି ୨୩%

ପୁରୀ : ବିଜେପିର ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର କୋଟିପତି। ତାଙ୍କ ସମ୍ପତ୍ତି ୫ବର୍ଷରେ ୧୩୪ ପ୍ରତିଶତ ବଢ଼ିଛି। ତେବେ ବିଜେପିର ପିପିଲି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କର ସମ୍ପତ୍ତି ୫ ବର୍ଷରେ କମିଛି। ତାଙ୍କ ସମ୍ପତ୍ତ ୨୩ ପ୍ରତିଶତ କମିଛି। ‌ପୁରୀ ଲୋକସଭା ପାଇଁ ବିଜେପି ବାଛିଥିବା ପ୍ରାର୍ଥୀଙ୍କ ସମ୍ପତ୍ତି କୋଟିଏ ଛୁଇଁନଥିବା ସତ୍ୟପାଠରୁ ଜଣାପଡ଼ିଛି। ଆଜି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ତାଙ୍କର ସମ୍ପତ୍ତି ବିଷୟରେ ସବିଶେଷ ତଥ୍ୟ ବି ଦେଇଛନ୍ତି। ଏହି ତଥ୍ୟ ଅନୁଯାୟୀ କେବଳ ତାଙ୍କ ନାମରେ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭୨ଲକ୍ଷ, ୨ହଜାର ୯୭୬ ରହିଛି। ସେଥିରୁ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪୫ ଲକ୍ଷ ରହିଥିବା ବେଳେ ବଳକା ଅସ୍ଥାବର ସମ୍ପତ୍ତି ବୋଲି ଦେଖାଇଛନ୍ତି ସମ୍ବିତ। ‌ତେବେ ସତ୍ୟପାଠରେ ସେ ତାଙ୍କ ପତ୍ନୀ ଓ ପିଲାଙ୍କ ସମ୍ପତ୍ତି ଦେଖାଇ ନାହାନ୍ତି।

ସେହିପରି ପିପିଲି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମ୍ପତ୍ତି ୨୦୧୪ ତୁଳନାରେ ୨୩% କମିଛି। ଏବେ ତାଙ୍କର ମୋଟ ସମ୍ପତ୍ତି ୬୪ଲକ୍ଷ ୬୬ହଜାର ୨୩୫ ଟଙ୍କା ରହିଛି। ୨୦୧୪ରେ ତାଙ୍କ ସମ୍ପତ୍ତି ଥିଲା ୮୩ଲକ୍ଷ, ୮୩ହଜାର ୩୫୯ ଟଙ୍କା। ତେବେ ୨୦୧୪ ତୂଳନାରେ ତାଙ୍କର ଋଣ ମଧ୍ୟ ହ୍ରାସ ପାଇଛି। ସେହିବର୍ଷ ସୁଦ୍ଧା ୪୨ଲକ୍ଷ ଟଙ୍କାରୁ ଅଧିକ ଋଣ ଥିବାବେଳେ ୨୦୧୯ରେ ତାହା ୩ଲକ୍ଷ ୬୮ହଜାର୮୦୦ ଟଙ୍କାକୁ ଖସିଆସିଛି। ଅନ୍ୟପକ୍ଷରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କ ସମ୍ପତ୍ତି ୫ ବର୍ଷରେ ୧୩୪ ପ୍ରତିଶତ ବଢ଼ିଛି। ଆଜି ଦାଖଲ ହୋିଥିବା ସତ୍ୟପାଠ ଅନୁଯାୟୀ ଏବେ ତାଙ୍କ ସମ୍ପତ୍ତିର ମୂଲ୍ୟ ୫କୋଟି ୫ଶହ ୫ ଟଙ୍କା। ଯଦିଓ ୨୦୧୪ ସତ୍ୟପାଠ ଅନୁଯାୟୀ ତାଙ୍କର ସମ୍ପତ୍ତି ଥିଲା ୩କେଟି ୭୨ଲକ୍ଷ ୯୪ହଜାର ୬୧୦ ଟଙ୍କା।

ସମ୍ବନ୍ଧିତ ଖବର