ବିନା ଅସ୍ତ୍ରୋପଚାରରେ ମୋତିଆବିନ୍ଦୁ ଉପଚାର

ଆସ୍ପିରିନ୍‌ରୁ ନାନୋରଡ୍‌କୁ ବିକଶିତ କଲେ ଆଇଏନ୍‌ଏସ୍‌ଏଟି ବୈଜ୍ଞାନିକ
୫ଜଣିଆ ଟିମ୍‌ରେ ମହିଳା ଓଡ଼ିଆ ବୈଜ୍ଞାନିକ
ଆଇଡ୍ରପ୍ ଜରିଆରେ ଆସିବ ଔଷଧ

ଭୁବନେଶ୍ୱର : ବିନା ଅସ୍ତ୍ରୋପଚାରରେ ମୋତିଆବିନ୍ଦୁର ଉପଚାର ହୋଇପାରିବ। ଇନଷ୍ଟିଚ୍ୟୁଟ୍‌ ଅଫ ନାନୋ ସାଇନ୍‌ସ ଏଣ୍ଡ ଟେକ୍‌ନୋଲୋଜି ବା ଆଇଏନ୍‌ଏସ୍‌ଟିର ବୈଜ୍ଞାନିକମାନେ ଲାବୋରେଟାରିରେ ଆସ୍ପିରିନ୍‌ର ନାନୋରଡ୍‌ସ ବିକଶିତ କରିବାରେ ସଫଳ ‌ହୋଇଥିବା ଦାବି କରିଛନ୍ତି। ଯଦି ସବୁ କିଛି ଠିକ୍ ରହେ, ତାହାଲେ ଆସନ୍ତା ୫/୬ବର୍ଷ ଭିତରେ ଆଇଡ୍ରପ୍ ଜରିଆରେ ଏହା ରୋଗୀମାନଙ୍କୁ ଦିଆଯିବା ସହ ଅନ୍ଧତ୍ବ ଦୂରୀକରଣ ଦିଗରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଉଲ୍ଲେଖନୀୟ ବିଷୟ ହେଉଛି, ଆଇଏନ୍‌ଏସ୍‌ଟିର ୫ଜଣିଆ ଟିମ୍‌ରେ ଓଡ଼ିଶାର ଜଣେ ମହିଳା ବୈଜ୍ଞାନିକ ରହିଛନ୍ତି। ଭୁବନେଶ୍ବରର ଡା. ଜୀବନଜ୍ୟୋତି ପଣ୍ଡା ଏହି ନାନୋରଡ୍‌ ବିକଶିତ କରିବା‌‌ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆସନ୍ତା ୩/୪ବର୍ଷ ଧରି ଏହା ଉପରେ ଗବେଷଣା ଜାରି ରହିଥିବା ବେଳେ ଏହାର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

ଅନ୍ଧତ୍ବର ଏକ ପ୍ରମୁଖ କାରଣ ହେଉଛି ମୋତିଆବିନ୍ଦୁ। ଅସ୍ତ୍ରୋପଚାର ଜରିଆରେ ଆଖିରେ ଥିବା ଲେନ୍‌ସକୁ ବାହାର କରାଯାଇ କୃତ୍ରିମ ଲେନ୍‌ସକୁ ଲଗାଯାଇଥାଏ। ମାତ୍ର ଅନେକ ସମୟରେ ଅସ୍ତ୍ରୋପଚାର ଅସାବଧନା ଯୋଗୁଁ ରୋଗୀଟିଏ ନିଜର ଚକ୍ଷୁଶକ୍ତି ହରାଇଥିବା ନଜିର ରହିଛି। ମୋତିଆବିନ୍ଦୁ କାରଣରୁ ଆଖିର ଲେନ୍‌ସରରେ ଧୂସର କିମ୍ବା ଦୁଧିଆ ନୀଳ ବା ମିଲ୍‌କି ବ୍ଲୁ ରଂଗର ଏକ ପରସ୍ତ ସୃଷ୍ଟି ହୋଇଥାଏ, ଯାହାକି ଦୃଷ୍ଟିଶକ୍ତିକୁ କ୍ଷତି ପହଞ୍ଚାଇଥାଏ। ତେବେ ଆସ୍ପିରିନ୍ ନାନୋରଡ୍‌ସ ଜରିଆରେ ମୋତିଆବିନ୍ଦୁ ସୃଷ୍ଟିକୁ ରୋକାଯାଇ ପାରିବ। ଏହା ମୋତିଆବିନ୍ଦୁ ପାଇଁ ଏକ ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିବ।

ଡା. ପଣ୍ଡା କହିଛନ୍ତି, କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନ‌ରେ ଆଇଏନ୍‌ଏସ୍‌ଟି ଲ୍ୟାବ୍‌ କାର୍ଯ୍ୟ କରୁଛି। ଲ୍ୟାବ୍‌ରେ ବିଶେଷକରି ପ୍ରୋଟିନ୍ ଏଗ୍ରିଗେସନ୍ ଉପରେ ପରୀକ୍ଷା ନିରୀକ୍ଷା କରାଯାଇଥାଏ। କିଛି କ୍ଷେତ୍ରରେ କର୍କଟ ରୋଗରେ ପ୍ରୋଟିନ୍ ଏଗ୍ରିଗେସନ୍ ହେଉଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ତେଣୁ ଗବେଷଣା ପରେ ମୋତିଆବିନ୍ଦୁ ମଧ୍ୟ ଏକ ପ୍ରୋଟ୍ରିନ୍ ଏଗ୍ରିଗେସନ୍ ରୋଗ ବୋଲି ଜଣାପଡ଼ିଥିଲା। ୪ବର୍ଷ ତଳେ ଏକ ଥିଓରେଟିକାଲ ମଡେଲ ପ୍ରସ୍ତୁତ କରି ଏହା ବିଷୟରେ ଅଧିକ ଗବେଷଣା ଆରମ୍ଭ ହୋଇଥିଲା। ଆସ୍ପିରିନ୍‌ର ନାନୋରଡ୍‌କୁ ମଲୋକୁଆର ସେଲ୍‌ଫ ଆସେମ୍ବଲି ଜରିଆରେ ପ୍ରସ୍ତୁତ କରାଯାଇଛି, ଯାହାକି କମ୍ ଖର୍ଚରେ ଭଲ ସଫଳତା ଦେଇପାରିବ। ଆଇଡ୍ରପ୍ ଜରିଆରେ ଏହାକୁ ବ୍ୟବହାର କରାଯାଇପାରିବ। ନାନୋରଡ୍‌ଗୁଡ଼ିକ ଡ୍ରପ୍‌ରେ ହିଁ ରହିବ, ଯାହାକି ପ୍ରାରମ୍ଭିକ ପର୍ଯ୍ୟାୟରେ ମୋତିଆବିନ୍ଦୁ ସୃଷ୍ଟି ହେବାକୁ ରୋକିବା ସହ ‌ଯେଉଁ ‌ମାନେ ମୋତିଆବିନ୍ଦୁର ଶିକାର ହୋଇ ସାରିଛନ୍ତି, ତାହାକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିବ। ଲାବୋରେଟାରିରେ ଏହାକୁ ସଫଳ ଭାବେ ପରୀକ୍ଷଣ ହୋଇପାରିଛି। ଏବେ ମୂଷାଙ୍କ ଉପରେ ଏହାର ପରୀକ୍ଷଣ କରାଯାଉଛି। ଆଗକୁ ମାଙ୍କଡ଼ଙ୍କ ଉପରେ ପରୀକ୍ଷଣ କରାଯିବା ପାଇଁ ଯୋଜନା ହୋଇଛି। ପରବର୍ତୀ ସମୟରେ ମାନବ ପରୀକ୍ଷଣ କରାଯିବ। ଆସ୍ପିରିନ୍ ପୂର୍ବରୁ ବହୁଳ ଭାବେ ଫୁଲା ପ୍ରତି‌ରୋଧକ ଔଷଧ ଭାବେ ବ୍ୟବହୃତ ହେଉଛି। ତେଣୁ ଆସ୍ପିରିନ୍‌ ସମସ୍ତଙ୍କ ପାଇଁ ଅଜଣା ନୁହେଁ। ଯଦି ଏହା ସଫଳ ହୁଏ, ତାହା କମ୍ ଦରରେ ବଜାରରେ ଉପଲବ୍ଧ ହୋଇପାରିବ। ଏହି ୫ ଜଣିଆ ଟିମ୍‌ରେ ତାଙ୍କ ବ୍ୟତୀତ ଏମ୍‌ଡି ଏହସାନ୍ ଅଲ୍ଲୀଙ୍କ ସମେତ ୩ଜଣ ଗବେଷକ ରହିଥିବା ଡା. ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର