ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତିଷ୍ଠା ଦିବସ : ନିର୍ଦ୍ଧାରିତ ସମୟରେ ବାହାରିବ ଯୁକ୍ତ୨ ଫଳ

ଭୁବନେଶ୍ବର : ଏଣିକି ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ। ମାର୍ଚ୍ଚ ମାସରେ ପରୀକ୍ଷା ଶେଷ କରି ମେ’ ସୁଦ୍ଧା ସମସ୍ତ ବିଭାଗର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ କରାଯିବ। ପୂର୍ବ ବର୍ଷ ପରି ଏଥର ଯେମିତି ବିଳମ୍ବ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଏଥିସହ କପି ରୋକିବା ପାଇଁ ୪ସ୍ତରୀୟ ସ୍କ୍ବାଡ୍‌ ଗଠନ, ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ। ଶିକ୍ଷାଦାନ ତଥା ପରୀକ୍ଷା ପରିଚାଳନାରେ ଅସହଯୋଗ କରୁଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ କୌଣସି ପ୍ରକାର ସାଲିସ୍‌ କରାଯିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିଅର କାଉନସେଲିଂ ଉପରେ ଗୁରୁତ୍ବ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ, ସଚିବ ସୁବ୍ରତ କୁମାର ପଣ୍ଡା, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସଚିବ ଶ୍ରୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରି ପରିଷଦର ବିଭିନ୍ନ କାର୍ଯ୍ୟାବଳୀ ଉପରେ କହିଥି‌ଲେ। ଉପ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଜାତୀୟ ସେବା ଯୋଜନାରେ ସର୍ବୋତ୍ତମ ସ୍ବେଚ୍ଛାସେବାର କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଧ୍ୟାରେ କର୍ମଚାରୀମାନଙ୍କ ଦ୍ବାରା ନାଟକ ‘ସ୍ବାର୍ଥପର’ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର