ବ୍ୟାପୁଛି ଉପକୂଳ ରାଜପଥ ବିବାଦ ନିଆଁ

ବାଲିକୁଦା ପରେ ଏରସମା ଓ ଅସ୍ତରଙ୍ଗରେ ପ୍ରତିବାଦ, ବଡ଼ ଆନ୍ଦୋଳନ ପାଇଁ ସଜବାଜ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ (ଉପକୂଳ ରାଜପଥ)କୁ ନେଇ ଦୀର୍ଘ ଦିନ ହେଲା ଲାଗିଥିବା ବିବାଦ ନିଆଁ ପ୍ରଶମିତ ହେବା ପରିବର୍ତ୍ତେ ଦିନକୁ ଦିନ ବ୍ୟାପୁଛି। ଉପକୂଳଠାରୁ ଦୂରରେ କୋଷ୍ଟାଲ୍‌ ହାଇୱେ ନେବାକୁ ନେଇ ପ୍ରଥମେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ରେ ଜୋର୍‌ଦାର୍‌ ବିରୋଧ ପରେ, ସଂପ୍ରତି ଜିଲ୍ଲାର ଏରସମା ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳକୁ ଡେଇଁଛି। ଏହିସବୁ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ନେତୃତ୍ବରେ ବଡ଼ ଆନ୍ଦୋଳନ ପାଇଁ ସମରସଜା ଚାଲିଛି। ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପେକ୍ଷିତ ସମସ୍ତ ଅଞ୍ଚଳରେ ଭୋଟ୍‌ ବର୍ଜନ ଚେତାବନୀ ଦିଆଯାଇଛି।

ସୂଚନା ଅନୁସାରେ, ୪୪୦ କି.ମି. ଲମ୍ବର ପ୍ରସ୍ତାବିତ କୋଷ୍ଟାଲ୍‌ ହାଇୱେ ପ୍ରକଳ୍ପ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଯିବାର ଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇଜାଲ୍‌ କମିଟି(ଇଏସି) ଚିଲିକା, ବାଲୁଖଣ୍ଡ ଓ ଭିତରକନିକା ଠାରୁ ଦୂରରେ ରାଜପଥ ନେବାକୁ ପରାମର୍ଶ ଦେଇଥିଲେ। ଏହାପରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରୁ ବାହାରି ବ୍ରହ୍ମଗିରି, ପୁରୀ, କୋଣାର୍କ, ଜଗତସିଂହପୁର ଜିଲ୍ଲାର ନାଉଗାଁ, ବୋରିକିନା ଓ ପା‌ରାଦୀପ, ରତନପୁର ଦେଇ ଦୀଘା ପର୍ଯ୍ୟନ୍ତ(୩୮୨ କିମି) କୋଷ୍ଟାଲ୍‌ ହାଇୱେ ରହିବା ପାଇଁ ସ୍ଥିର ହୋଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଜଗତସିଂହପୁରରେ କୌଣସି ସମସ୍ୟା ନଥାଇ ଏବଂ ହଳଦିଆ ପିଲାର(ଚୂଡ଼ାନ୍ତ ଖୁଣ୍ଟ) ପୋତାଯିବା ପରେ ମଧ୍ୟ ଚଞ୍ଚକତା କରାଯାଇ ସମୂଦ୍ରଠାରୁ ପ୍ରାୟ ୨୫ କିମି ଦୂରରେ ରାଜପଥ ନିଆଯାଉଛି। ଯାହାକୁ ନେଇ ଦୀର୍ଘ ମାସ ହେବ ବାଲିକୁଦାରେ ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରିଆସୁଛି।

odishatourguide.com

ଚୂଡ଼ାନ୍ତ ୩୮୨ କିମି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଟାଙ୍ଗୀଠାରୁ ରତନପୁର ୧୭୭ କି.ମି କାମ ଆରମ୍ଭ କରିବାକୁ ଏନ୍‌ଏଚ୍‌ଏଆଇ ନିଷ୍ପତ୍ତି ନେଇଛି। ହେଲେ ସମ୍ପୂର୍ଣ୍ଣ ୧୭୭ କିମି ପାଇଁ ଟେଣ୍ଡର ଆହ୍ବାନ କରାନଯାଇ ଟାଙ୍ଗୀରୁ କାକଟପୁର (୧ରୁ ୯୨ କିମି) ଏବଂ ଏରସମାରୁ ରତନପୁର(୧୩୪ରୁ ୧୭୭ କିମି) ମୋଟ ୧୩୫ କିମି ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ହେଲେ ଜଗତସିଂହପୁର ଓ ପୁରୀ ଜିଲ୍ଲାର ବିବାଦୀୟ ୪୨ କିମିକୁ ଅଞ୍ଚଳକୁ ବାଦ୍‌ ଦିଆଯାଇଛି। ଅନ୍ୟପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତେଜୁଥିବା ଆନ୍ଦୋଳନକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୯ରେ ବସିଥିବା ବୈଠକରେ ଏକ ଉଚ୍ଚ ସ୍ତରୀୟ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୮ ତାରିଖରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଡକାଯାଇଛି। ସେହିପରି ଉପକୂଳ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ସାଧାରଣ ଜନତା ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ଜଣାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ଉପକୂଳ ଅଞ୍ଚଳର ବାଲିକୁଦା, ଏରସମା, ଅସ୍ତରଙ୍ଗ ଓ ବ୍ରହ୍ମପୁର ଅଞ୍ଚଳର ଉପେକ୍ଷିତ ଲୋକଙ୍କ ସହ ଆଲୋଚନା କରିବା ସହ ଏନ୍‌ଏଚ୍‌ଏଆଇର ରାଜ୍ୟ ମୁଖ୍ୟ ଆର୍‌.ପି ପଣ୍ଡା ଓ ଟିମ୍‌ଙ୍କୁ ଡାକି ସମୀକ୍ଷା କରିଛନ୍ତି। ତେବେ ପ୍ରାୟ ତିନି ଥର ଡିଜାଇନ୍ ବଦଳିବା ପରେ ଏବେ ଏବେ ଦେଖା ଦେଇଥିବା ବିବାଦ ନୂଆ ଅଡ଼ୁଆ ସୃଷ୍ଟି କରୁଛି। ଉପକୂଳର ପ୍ରାୟ ୪୦ ପଞ୍ଚାୟତର ୩ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଭୟ ସରକାର କି ପଦକ୍ଷେପ ନେଉଛନ୍ତି ତାକୁ ସମସ୍ତଙ୍କ ନଜର ରିହିଛି।

ସମ୍ବନ୍ଧିତ ଖବର