ଆସୁଛି ସମ୍ଭାବ୍ୟ ବାତ୍ୟା: ସବୁ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ୍‌ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବିଧାୟକ  ଭୂପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ସମେତ ଏଡିଏମ୍‌ ରାଜସ୍ବ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଏଡିଏମ୍‌ ସାଧାରଣ ପ୍ରଶାସନ ସୁଶାନ୍ତ ପଟେଲ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ, ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାୱାର, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ, ସମସ୍ତ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାର, ମ୍ୟୁନିସିପାଲଟି ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଧାୟକମାନେ ଆସନ୍ତା ବର୍ଷାଋତୁରେ ଜିଲ୍ଲାରେ ବନ୍ୟା ଓ ବାତ୍ୟାର ସମ୍ଭାବ୍ୟ ପ୍ରକୋପକୁ ସାମ୍ନା କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ନେଇଥିବା ପଦକ୍ଷେପକୁ ସମୀକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଥିବା ଅସୁବିଧା ଓ ଆଶଙ୍କା କରୁଥିବା ସମସ୍ୟାକୁ ବୈଠକରେ ଉପସ୍ଥାପନ କରାଯାଇଥିଲା। ସହକାରୀ ଜିଲ୍ଲାପାଳ ତଥା ଜରୁରୀକାଳୀନ ଅଧିକାରୀ ସୁଶ୍ରୀ ପ୍ରଧାନ ବୈଠକ ପରିଚାଳନା କରିଥିଲେ। ବନ୍ୟା ସମୟରେ ଖାଦ୍ୟ ମହଜୁଦ, ରିଲିଫ ସାମଗ୍ରୀ ମହଜୁଦ ଓ ବଣ୍ଟନ, ବନ୍ୟା ପ୍ରତିରୋଧ ଯନ୍ତ୍ରପାତି, ବନ୍ୟା ଆଶ୍ରିତ ଗୃହ, ସାମୟିକ ଆଶ୍ରୟ ସ୍ଥଳୀ, ଅଗ୍ନିଶମ ବିଭାଗର ତତ୍ପରତା, ଜଳସେଚନ ଓ ଉଠା ଜଳସେଚନର ଘାଈ ମରାମତି ଓ ସମ୍ଭାବ୍ୟ ଘାଈ ପାଇଁ ସତର୍କତା, ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ, ବିଶୁଦ୍ଧ ପାନୀୟ ଜଳ ଓ ପରିମଳ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ରାସ୍ତା ମରାମତି, କୃଷି ବିଭାଗର ପଦକ୍ଷେପ, ପ୍ରାଣୀ ସମ୍ପଦ ସୁରକ୍ଷା, ବିଦ୍ୟୁତ ସରବରାହ ଓ ମରାମତି, ନୌକାର ଉପଯୋଗ, ବନ୍ୟା ନିୟନ୍ତ୍ରଣ କକ୍ଷ, ବିଡିଓ ତଥା ତହସିଲଦାରଙ୍କ ଭୂମିକା, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀଙ୍କ ଟିମ୍‌ର ସତର୍କତା ପଦକ୍ଷେପ ନେବା ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ନିଜର ପ୍ରସ୍ତୁତି ଓ ପଦକ୍ଷେପ ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

ଜିଲ୍ଲାର ୧୩ଟି ବ୍ଲକ୍‌ରେ ଯୋଗାଣ ବିଭାଗ ତରଫରୁ ବିଭିନ୍ନ ଦୁର୍ଗମ ଓ ବନ୍ୟା ପ୍ଲାବିତ ଅଞ୍ଚଳରେ ଚୁଡ଼ା, ଗୁଡ଼, ଦିଆସିଲି, ମହମବତି, ବିସ୍କୁଟ, ଚାଉଳ ମହଜୁଦ, ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପ୍ଲାବିତ ଅଞ୍ଚଳରେ ପଲିଥିନ ଉପଯୋଗ ପାଇଁ ୩୩୬୪ଟି ପଲିଥିନ ରୋଲ୍ ମହଜୁଦ, କେସିଙ୍ଗା ବ୍ଲକ୍‌ର ବେଲଖଣ୍ଡି, ଜୁନାଗଡ଼ର କୁଟେନ ଗାଁ, କଲମପୁରର ବାଲିଛଡ଼ା, ଜୟପାଟଣାର ରସଡୁମେର ଠାରେ ଚେନ୍-ସ, ଲାଇଫ୍ ଜ୍ୟାକେଟ, ଆସ୍କା ଲାଇଟ୍, ଜେନେରେଟର ମହଜୁଦ ସହ ବନ୍ୟା ଆଶ୍ରିତ ଗୃହର ବ୍ୟବସ୍ଥା, ସ୍କୁଲମାନଙ୍କରେ ସାମୟିକ ଆଶ୍ରୟ ସ୍ଥଳ, ଜଳସେଚନର କଣ୍ଟ୍ରୋଲ ରୁମ୍, ସ୍ବାସ୍ଥ୍ୟ ବିଭାଗ ତରଫରୁ ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସାପ କାମୁଡା ଔଷଧ, ଓଆର୍‌ଏସ୍‌, ଜଳବାହିତ ରୋଗର ଔଷଧ ବ୍ୟବସ୍ଥା, ଆର୍‌ଡବ୍ଲୁଏସ୍ଏସ୍  ତଥା ପିଏଚ୍‌ଡି ତରଫରୁ ନଳକୂପ ବିଶୋଧନ ପାନୀୟ ଜଳ ବିଶୋଧନ, ବ୍ଲିଚିଂ, ନଳକୂପ ମରାମତି, ମ୍ୟୁନିସିପାଲଟି ଓ ଏନ୍ଏସିର ବନ୍ୟା ପ୍ଲାବିତ ୱାର୍ଡ ମାନଙ୍କରେ ପ୍ରଭାବିତ ଲୋକଙ୍କୁ ଅପସାରଣ ଓ ସାମୟିକ ଆଶ୍ରୟସ୍ଥଳୀର ବ୍ୟବସ୍ଥା ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଡ. ଗାଭାଲି ସମସ୍ତ ବିଭାଗୀୟ ଅଧକାରୀମାନଙ୍କୁ ସତର୍କ ରହିବା ସହ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିପର୍ଯ୍ୟୟ ବା ଦୁର୍ଘଟଣା ଘଟିଲେ ୧୧୨ ନମ୍ବର ବ୍ୟତୀତ ଜିଲ୍ଲାପାଳଙ୍କ ଜରୁରୀ ଶାଖା (୨୪ × ୭) କଣ୍ଟ୍ରୋଲ ରୁମ୍ ନମ୍ବର ୦୬୬୭୦-୨୩୦୪୫୫କୁ ଫୋନ କରି ଜଣାଇପାରିବେ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର