ଜମିବାଡ଼ି ବିବାଦରୁ ଗଣ୍ଡଗୋଳ, ଡାକ୍ତରଖାନା ପାଲଟିଲା ରଣକ୍ଷେତ୍ର; ୫ ଆହତ

ତେଲକୋଇ: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ତେଲକୋଇ ଜଗମୋହନପୁର ପଞ୍ଚାୟତ ସରୁଆଳି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ତେଲକୋଇ ଡାକ୍ତରଖାନାକୁ ଆହତଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀର ସଦସ୍ୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। କିଛି ସମୟ ପାଇଁ ଡାକ୍ତରଖାନା ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ଏଥିରେ ୫ଜଣ ଆହତ ହୋଇଛନ୍ତି।

ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ ସରୁଆଳି ଗ୍ରାମର ନିରଞ୍ଜନ ପଲେଇ ଓ ପଙ୍କଜ ପଲେଇଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଛି। ଆସନ୍ତାକାଲି ବିବାଦୀୟ ଜମିରେ ନିରଞ୍ଜନ ନିର୍ମାଣ କରୁଥିବା ଘରର ଛାତ ପକାଇବାକୁ ସମସ୍ତ ପ୍ରସ୍ତୁତି କରିଥିଲେ। ଆଜି ଅପରାହ୍‌ଣ ପ୍ରାୟ ୩ଟାବେଳେ ପଙ୍କଜଙ୍କ ପରିବାର ସଦସ୍ୟ ଏହାକୁ ବିରୋଧ କରିଥିଲେ। ପ୍ରଥମେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ କଥା କଟାକଟି ହୋଇଥିଲା। ଏହାପରେ ଉଭୟ ପକ୍ଷ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ନିରଞ୍ଜନ ପଲେଇ(୫୨), ତାଙ୍କ ପୁଅ ସୁମନ୍ତ (୨୫),  ବିପକ୍ଷ ଗୋଷ୍ଠୀର ଫଙ୍କଜ ପଲେଇ, ତାଙ୍କ ସ୍ତ୍ରୀ ଉପାସୀ ପଲେଇ (୫୦) ଓ ସମ୍ପର୍କୀୟ ଅର୍ଜୁନ ଖୁଣ୍ଟିଆ (୪୮) ଆହତ ହୋଇଛନ୍ତି। ନିରଞ୍ଜନ ଓ ଉପାସୀଙ୍କ ଅବସ୍ଥା ଗୁରୁତର ରହିଛି। ନିରଞ୍ଜନଙ୍କୁ ଦେଖା କରିବା ପାଇଁ ତାଙ୍କ ଭଣଜା ଭଣଜା ହିଂମାଶୁ ବାରିକ (୧୭) ଡାକ୍ତରଖାନା ଆସିଥିଲେ। ସେଠାରେ ବିପକ୍ଷ ଗୋଷ୍ଠୀର ଲୋକମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ହିଂମାଶୁ ଆହତ ହୋଇଛନ୍ତି। ସମସ୍ତଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଉଭୟ ପକ୍ଷ ତେଲକୋଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର