ରେଳ ଦୁର୍ଘଟଣା ପରେ ଚେତା ପଶିଲା: କ୍ଷେତ୍ରରେ ବୁଲନ୍ତୁ ବରିଷ୍ଠ ଅଧିକାରୀ

ଭୁବନେଶ୍ବର : ସପ୍ତାହକ ମଧ୍ୟରେ ଓଡ଼ିଶାରେ ଦୁଇ ଦୁଇଟି ରେଳ ଦୁର୍ଘଟଣା। ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ଜଣଙ୍କ ଜୀବନ ଗଲା। ଯାଜପୁରରେ ୬ଜଣଙ୍କ ଉପରେ ଚଢ଼ିଗଲା ବଗି। ଏହାବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ସାମ୍ନାକୁ ଆସିବା ପରେ ରେଳ ମନ୍ତ୍ରାଳୟ ନିଦ ଭାଙ୍ଗିଛି। ରେଳ ଧାରଣାଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ଭିତ୍ତିଭୂମିର ନିରାପତ୍ତା, ନିର୍ଭରଯୋଗ୍ୟତା, ନିୟମିତ ରକ୍ଷଣାବେକ୍ଷଣ ନିଶ୍ଚିତ କରିବାକୁ ରେଲୱେ ବୋର୍ଡର ଭତ୍ତିଭୂମି ସଦସ୍ୟ ରୂପନାରାୟଣ ସୁନାକର ଦେଶର ସମସ୍ତ ଜେନେରାଲ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାଳବୈଶାଖୀ ତଥା ମୌସୁମୀ ଆଗମନ ସମୟରେ ବିପଦସଂକୁଳ ଗଛ କାଟିବା, ଦୁର୍ବଳ ପାଚେରିର ତଦାରଖ, ଜମି ରହୁଥିବା ପାଣି ନିଷ୍କାସନ, ନିୟମିତ ପେଟ୍ରୋଲିଂ, ଷ୍ଟେସନରେ ୱାଚ୍‌ମ୍ୟାନ୍‌ଙ୍କୁ ନିଯୁକ୍ତ କରିବା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି।

ଶ୍ରୀ ସୁନାକର କହିଛନ୍ତି ଯେ ରେଲୱେରେ ଟ୍ରାକ୍‌ଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ପାଇଁ ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତଥାପି ସମୟ ସମୟରେ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଦୈନନ୍ଦିନ କାର୍ଯ୍ୟ ଏବଂ ସ୍ବତନ୍ତ୍ର ନବୀକରଣ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ। ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଯୋଗାଇ ଦିଆଯାଇଥିବା କ୍ଷେତ୍ର ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ନିଷ୍ଠାର ସହ କରନ୍ତୁ। ରକ୍ଷଣାବେକ୍ଷଣ ଓ କାର୍ଯ୍ୟ ସ୍ଥଳରେ ସେମାନେ ଯେପରି ସର୍ବାଧିକ ସମୟ ଅତିବାହିତ କରିବେ, ତାହାକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। କନିଷ୍ଠ ଯନ୍ତ୍ରୀ(ଜେଇ) ଓ ସିନିୟର ସେସ୍କନ ଇଞ୍ଜିନିୟର(ଏସ୍‌ଏସ୍‌ଇ)ମାନଙ୍କର ସେମାନଙ୍କ ଅଧୀନରେ ଥିବା ସମ୍ପତ୍ତିର ଶକ୍ତି ଓ ତ୍ରୁଟି ବିଷୟରେ ଜ୍ଞାନ ରହିବା ନିତାନ୍ତ ଆବଶ୍ୟକ।

ଟ୍ରାକ୍‌ ସୁରକ୍ଷା, ନିରାପତ୍ତା, ରକ୍ଷଣାବେକ୍ଷଣକୁ ଗୁରୁତ୍ବ
ରେଳ ସମ୍ପତ୍ତି ଉପରେ ଜେଇ, ଏସ୍‌ଏସ୍‌ଇଙ୍କ ଜ୍ଞାନ ରହୁ
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ପ୍ରାଥମିକତା

ବିଭାଗୀୟ ଡିଭିଜିନାଲ ଇଞ୍ଜିନୟର(ଡିଇଏନ୍‌) ଓ ଆସିଷ୍ଟାଣ୍ଟ ଡିଭିଜିନାଲ ଇଞ୍ଜିନୟର(ଏଡିଇଏନ୍‌)ମାନେ ଜେଇ ଓ ଏସ୍‌ଏସ୍‌ଇମାନଙ୍କ ସହ କଥା ହୋଇ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିବେ। ପ୍ରିନ୍ସିପାଲ ହେଡ୍‌ ଅଫ୍‌ ଡିପା‌ର୍ଟମେଣ୍ଟ(ପିଏଚ୍‌ଓଡି)/ହେଡ୍‌ ଅଫ୍‌ ଡିପା‌ର୍ଟମେଣ୍ଟ(ଏଚ୍‌ଓଡି)ଗୁଡ଼ିକ ରକ୍ଷଣାବେକ୍ଷଣର ସମସ୍ତ ଦିଗକୁ ଯାଞ୍ଚ କରିବା ସହ ଜେଇ/ଏସ୍‌ଏସ୍‌ଇମାନଙ୍କୁ ସଠିକ୍ ଓ ନିରାପଦ ପାଇଁ ଗାଇଡ୍ କରିବେ। ସାମଗ୍ରୀ, ମାନବ ସମ୍ବଳ ଓ ଅନ୍ୟାନ୍ୟ ଉତ୍ସଗୁଡ଼ିକର ଉପଲବ୍ଧତା ସମ୍ପର୍କରେ ନିଶ୍ଚିତ କରିବେ। ଅଟକି ରହିଥିବା ବିଭିନ୍ନ କାର୍ଯ୍ୟକୁ ଯାଞ୍ଚ କରାଯିବା ସହ ସମୟ ସୀମା ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଅପରେଟିଂ ଟିମ୍‌, ଇଞ୍ଜିନିୟରିଂ ଓ ଏସ୍‌ ଆଣ୍ଡ୍‌ ଟି ଅଫିସରଙ୍କୁ ନେଇ ଦୈନିକ ଯାଞ୍ଚ କରିବା ସହ କାର୍ଯ୍ୟ ଶେଷ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଯାଞ୍ଚ କରିବା ମାନେ ନୁହେଁ ଯେ କେଉଁଠି ତ୍ରୁଟି ରହିଛି ତାହାକୁ ଧରିବା। ବରଂ କ୍ଷେତ୍ର ଅଧିକାରୀମାନଙ୍କ ସହାୟତାରେ କିଭଳି ସମସ୍ୟାର ସମାଧାନ କରାଯିବ ତାହା ଉପରେ ନଜର ରହିବ। ସମୟ ସୀମା ମଧ୍ୟରେ କାମ ଶେଷ କରିବା ଲାଗି ସଂକ୍ଷିପ୍ତ ବାଟ ଆପଣାଇବା ଉଚିତ୍‌ ନୁହେଁ। ଡିଭିଜନାଲ ଓ ମୁଖ୍ୟାଳୟ ଅଫିସରମାନେ ଜେଇ/ଏସ୍‌ଏସ୍‌ଇଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ସହ ସୁରୁଖୁରରେ କାମ ଶେଷ କରିବାକୁ ପରାମର୍ଶ ଦିଆଯାଇଛି।

ଟ୍ରାଫିକ୍ ବ୍ଲକର ପର୍ଯ୍ୟାପ୍ତ ସମୟସୀମା ଅନୁଯାୟୀ ଅନୁମତି ପ୍ରାପ୍ତ ଚାହିଦା ଯୋଗାଇବା ଜରୁରୀ। ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ସମସ୍ତ ବ୍ଲକ୍ ଏବଂ ତ୍ରୁଟିଗୁଡିକର ସଂଶୋଧନ ଜେନେରାଲ ମ୍ୟାନେଜର ଓ ରେଳ ଡିଭିଜନ୍‌ ଡିଆର୍‌ଏମ୍‌ଙ୍କ ଦ୍ୱାରା ଉପଲବ୍ଧ ହେବା ଉଚିତ୍। ଯେକୌଣସି ପ୍ରତ୍ୟାଖ୍ୟାନ ନିଷ୍ପତ୍ତି ଡିଆରଏମ୍‌ଙ୍କ ଅନୁମୋଦନରେ ହେବ। ଆଇଆରପିଢବ୍ଲୁଏମ୍‌ ଦ୍ବାରା ଧାର୍ଯ୍ୟ ଟ୍ରାଫିକ୍‌ ବ୍ଲକରେ ଆବଶ୍ୟକୀୟ କାର୍ଯ୍ୟ ଟ୍ରାଫିକ୍‌ ବ୍ଲକ ଅଧୀନରେ ହେବା ଆବଶ୍ୟକ। ଡିପ୍ ଲୋରି, ରେଳ ଡୋଲି କାମ ଉପଯୁକ୍ତ ସୁରକ୍ଷା ମଧ୍ୟରେ ‌କରାଯିବା ଉଚିତ୍। ଦୈନିକ ଓ ସପ୍ତାହିକ ଭାବେ ବ୍ଲକ ପ୍ଲାନିଂ ହେବା ଆବଶ୍ୟକ। କୌଣସି ବ୍ୟତିକ୍ରମ ରିପୋର୍ଟ ଜିଏମ୍‌ଙ୍କ ଦ୍ବାରା ସାପ୍ତାହିକ ଭିତ୍ତିରେ ସମୀକ୍ଷା କରାଯିବ ଏବଂ ରେଳ ବୋର୍ଡକୁ ଏକ ବିସ୍ତୃତ ସାରାଂଶ ପରାମର୍ଶ ଦିଆଯିବ। ବରିଷ୍ଠ ଅଧିକାରୀମାନେ କାର୍ଯ୍ୟର ପ୍ରସ୍ତୁତି ଯାଞ୍ଚ କରିବା ଆବଶ୍ୟକ। କାର୍ଯ୍ୟ ସମୟରେ ସମସ୍ତ ପ୍ରକାର ସତର୍କତା, ସୁରକ୍ଷା ସହିତ ସମସ୍ତ କାର୍ଯ୍ୟ କ୍ଷେତ୍ରକୁ ସୁରକ୍ଷିତ କରାଯିବା ଉଚିତ୍। ବୋର୍ଡ, ଟିପି, ଟିଜି, ବ୍ୟାନର, ପତାକା ଓ ହାତ ସଙ୍କେତ ଆଦି ବ୍ୟବହାର କରିବେ। ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଧିକ ସମୟ କ୍ଷେତ୍ରରେ ରହିବେ ଏବଂ ସମସ୍ତ ସୁପରଭାଇଜର କର୍ମଚାରୀଙ୍କୁ ପରାମର୍ଶ ଦେବେ।

ସମ୍ବନ୍ଧିତ ଖବର