ଯାଞ୍ଚ ହେଲା ବେହେରଣ ଦ୍ଵାର

ପୁରୀ : ଶ୍ରୀମନ୍ଦିରର ଦୁର୍ବଳ ନୀଳଚକ୍ରକୁ ଯାଞ୍ଚ କରିବା ପାଇଁ ଆଜି ଏକ ଟିମ୍‌ ପୁରୀ ପହଞ୍ଚିଛି। ଶ୍ରୀମନ୍ଦିର କୋର୍‌ କମିଟିର ଅଧ୍ୟକ୍ଷ ଆନନ୍ଦପ୍ରାଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ୫ ଜଣିଆ ଟିମ୍‌ ଆଜି ଶ୍ରୀମନ୍ଦିର ବେହେରଣ ଦ୍ଵାର ଯାଞ୍ଚ କରିଛି। ଆସନ୍ତା ଦୁଇଦିନ ଏହି ଟିମ୍‌ ଏଠାରେ ରହିବ। ଏ.ପି. ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମ୍‌ରେ ସଦସ୍ୟ ପଦ୍ମଲୋଚନ ମହାପାତ୍ର, ଧର୍ମପ୍ରସାଦ ମିଶ୍ର, ସିବିଆରଆଇର ପ୍ରମୁଖ ବୈଜ୍ଞାନିକ ଅଚଲ ମିତ୍ତଲ, ଏଏସ୍‌ଆଇର ଚିତ୍ତରଞ୍ଜନ ଦାଶ ପ୍ରମୁଖ ଅଛନ୍ତି। ତାଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ରହିଛନ୍ତି। ଆଜି ମଧ୍ୟାହ୍ନ ଧୂପ ପରେ ଟିମ୍‌ ଭିତରକୁ ଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା।

ବେହେରଣ ଦ୍ୱାରା ମରାମତିରେ ସମସ୍ୟା ଉପୁଜିଥିବାରୁ ଅଧ୍ୟକ୍ଷ ଶ୍ରୀ ଗୁପ୍ତା ନୂଆ ଡ୍ରଇଁଂ ପ୍ରସ୍ତୁତ କରିବାକୁ କହିଛନ୍ତି। ଡ୍ରଇଂ ପ୍ରସ୍ତୁତ ହେବା ପରେ ଆସନ୍ତାକାଲି ଅଧ୍ୟକ୍ଷ ତାହାକୁ ଦେଖିବେ। ସ୍ୱୀକୃତି ଦେବା ପରେ କାମ ସେହି ଅନୁସାରେ ଆରମ୍ଭ ହେବ। ୩୧ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସରିବ। ଅନେକ ପୂର୍ବରୁ ଏଠାରେ ଏଭଳି ଷ୍ଟିଲ ବିମ୍‌ ଜରିଆରେ ଭାରା ଦିଆଯାଇଥିଲା। ଏବେ ସେହି ଜାଗାରେ ପୁଣି ସେହି ଢଙ୍ଗରେ ଭାରା ଲାଗିବାକୁ ଯାଉଛି। ଏହା ସହିତ ଜଗମୋହନର ହୋଇଥିବା କାମଗୁଡ଼ିକୁ କମିଟି ଦେଖିଛି।  ତେବେ ନୀଳଚକ୍ର ଆଜି ଯାଞ୍ଚ ହୋଇ ପାରିନାହିଁ।

ନାଟମଣ୍ଡପର ଅବସ୍ଥାକୁ କମିଟି ଯାଞ୍ଚ କରିବା ପରେ କମିଟିର ଅଧ୍ୟକ୍ଷ ଏହାର ମରାମତି  ବାବଦରେ ନିଷ୍ପତ୍ତି ନେଇ ପାରନ୍ତି। ତେବେ ଆର୍ଥିଂ ବା ଲାଇଟିନିଂ ଆରେଷ୍ଟର ଯାଞ୍ଚ କରାଯିବା ମୁଖ୍ୟ ପ୍ରସଙ୍ଗ ହୋଇଛି। ବିଗତ ଦିନମାନଙ୍କରେ ବଜ୍ରପାତ ଫଳରେ ବାନା ଛିଡ଼ିବା ସହ ନୀଳଚକ୍ରକୁ ପ୍ରଭାବିତ କରିଥିବା ନେଇ ଅନୁମାନ କରାଯାଉଛି। ଏଣୁ ଆର୍ଥିଂକୁ ଯାଞ୍ଚ କରାଯିବା ଉପରେ ଗୁରୁତ୍ଵ ଦିଆଯାଇଛି।

ସମ୍ବନ୍ଧିତ ଖବର