ୱାଡ଼ି ନାଁରେ ପ୍ରହସନ: ଲୁଟିନେଲେ ୧.୮୩ କୋଟି

କେବଳ ତାରଜାଲି କରି ପୂରା ଟଙ୍କା ହଡ଼ପ

କୋଇଡ଼ା : ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ଜିଲ୍ଲାର ଖଣି ପ୍ରଭାବିତ ୮ଟି ବ୍ଲକ୍‌ରେ ଆଦିବାସୀଙ୍କ ଜୀବନଜୀବିକାର ଉନ୍ନତି ସାଧନ ଲାଗି ଉଦ୍ୟାନ କୃଷିଭିତ୍ତିକ ପ୍ରକଳ୍ପ ୱାଡ଼ି କାର୍ଯ୍ୟକାରୀ କରାଯାଉଛି। କିନ୍ତୁ, ଆଖିବୁଜା ଦୁର୍ନୀତି କାରଣରୁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ବିଫଳ ହୋଇଛି। କୋଇଡ଼ା ବ୍ଲକ୍‌ର ଗୋଟିଏ ପଞ୍ଚାୟତରେ ହିଁ ଏହି ପ୍ରକଳ୍ପରେ ପ୍ରାୟ ୧୫ ହେକ୍ଟରରେ କେବଳ ତାରଜାଲି ଘେରାଇ ସବୁ ଅର୍ଥ ହଡ଼ପ କରାଯାଇଛି ବୋଲି ଗୁରୁତର ଅଭିଯୋଗ ହେଉଛି। ୱାଡ଼ିରେ ଗୋଟିଏ ହେଲେ ଗଛ ନଥିବାରୁ, ପଚାରିଲେ ‘ଗଛସବୁ ହାତୀ ଖାଇଗଲେ’ ବୋଲି ବିତଣ୍ଡା ଉତ୍ତର ମିଳୁଛି। ଜିଲ୍ଲାର ଅନେକ ବ୍ଲକ୍‌ରେ ଏଭଳି ଭାବେ ୱାଡ଼ି ନାଁରେ କୋଟି କୋଟି ଟଙ୍କା ଲୁଟ୍‌ ହୋଇଥିବାର ପ୍ରମାଣ ମିଳିବାରେ ଲାଗିଛି।

୨୦୨୧-୨୨ ଆର୍ଥିକ ବର୍ଷରେ କୋଇଡ଼ା ବ୍ଲକ୍‌ର ପାଟମୁଣ୍ଡା ପଞ୍ଚାୟତ ବଲଡିହି ଗାଁରେ ଆଦିବାସୀ ହିତାଧିକାରୀଙ୍କର ୧୪.୭୭୨ ହେକ୍ଟର ଜମିରେ ୱାଡ଼ି ପ୍ରକଳ୍ପରେ ଫଳଚାରା ରୋପଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ୧ କୋଟି ୮୩ ଲକ୍ଷ ୪୬ ହଜାର ୨୫୧ ଟଙ୍କା ମଞ୍ଜୁର ହୋଇଥିଲା। ପ୍ରକଳ୍ପରେ ଆଦିବାସୀଙ୍କ ଖାଲିପଡ଼ିଥିବା ଜମିରେ ଆମ୍ବ ଓ ଲିଚୁ ଚାରାରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ପ୍ରତି ଏକର ପାଇଁ ପ୍ରାୟ ୧୦୦ଟି ଚାରା ରୋପଣ କରାଯିବା କଥା।

ଉତ୍ତର ମିଳୁଛି: ହାତୀ ଖାଇଗଲେ
ଗଛ ନଥାଇ ରକ୍ଷଣାବେକ୍ଷଣ ଲାଗି ଆହୁରି ପାଣ୍ଠି ପାଇଁ ଅନୁରୋଧ

ଏଥିପାଇଁ ଆବଶ୍ୟକ ତାରବାଡ଼, ଜଳଯୋଗାଣ, ଖତସାର, ରକ୍ଷଣାବେକ୍ଷଣ ଆଦି ପ୍ରକଳ୍ପ ଖର୍ଚ୍ଚ ଅନ୍ତର୍ଭୁକ୍ତ। ଏଥିସହିତ ସ୍ଥାନୀୟଲୋକଙ୍କ ରୋଜଗାର ସୁନିଶ୍ଚିତ କରିବା ଲାଗି ଏହାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସହିତ ଯୋଡ଼ି ଦିଆଯାଇଛି। ଏହି ଶ୍ରମଭିତ୍ତିକ ଯୋଜନାରେ ଜରିଆରେ ଆମ୍ବ ଓ ଲିଚୁ ଚାଷ କରାଯାଇ ଫଳ ଧରିଲା ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରାଯିବା କଥା। ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥା ଜିଲ୍ଲା ଉଦ୍ୟାନ ବିଭାଗ ଥିବାବେଳେ ଏକ ବେସରକାରୀ ସଂସ୍ଥା ଏସଜିୟୁପିକୁ କାର୍ଯ୍ୟାନ୍ବୟନ ଦାୟିତ୍ୱ ଦିଆଯାଇଥିଲା। ୨୦୨୨ ସେପ୍ଟେମ୍ବର ୨୧ରେ ପ୍ରକଳ୍ପ ଶେଷହୋଇ ସାମାଜିକ ସମୀକ୍ଷା ମଧ୍ୟ ସରିଗଲାଣି। କିନ୍ତୁ ପ୍ରକଳ୍ପରେ ଦୁର୍ନୀତି ଏତେ ମାତ୍ରାଧିକ ଯେ ‘ଠାକୁର ଖାଇ ଖଟୁଲି ଖାଇଦେବା ପରି ପ୍ରକଳ୍ପର ୧୪.୭୭୨ ହେକ୍ଟର ଜମିରେ କେବଳ ତାରଜାଲି ଛଡ଼ା କିଛି ହୋଇନାହିଁ। ଏମିତିକି ଗଛ ଲଗାଇବା ପାଇଁ ମାଟି ମଧ୍ୟ ଖୋଳା ହୋଇନାହିଁ କି ଗୋଟିଏ ବି ଚାରା ଲଗାଯାଇନାହିଁ।

ଯେଉଁ ବେସରକାରୀ ସଂସ୍ଥା ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନ ଦାୟିତ୍ବରେ ଥିଲା, ତା’ର ଅଧିକାରୀ ବି ଉପରଠାଉରିଆ ଭାବେ ଗଛସବୁ ହାତୀ ଖାଇଗଲେ ବୋଲି ଉତ୍ତର ଦେଉଛନ୍ତି। ତେବେ ହାତୀ ଖାଇବାର କୌଣସି ଲକ୍ଷଣ ଦେଖା ଯାଉନାହିଁ। ଆହୁରି ବିଡ଼ମ୍ବନାର କଥା ହେଉଛି, ପ୍ରକଳ୍ପ ପାଇଁ ପ୍ରାୟ ୨ କୋଟି ଟଙ୍କା ହଡ଼ପ କରିବାପରେ ସଂପୃକ୍ତ ବିଭାଗ ଓ ସଂସ୍ଥା ଏହାକୁ ଲେଉଟିଆ କିଆରି ବୋଲି ମନେକରି ଗତ ମାର୍ଚ ୨୨ରେ ବ୍ଲକ୍‌ରେ ହୋଇଥିବା ସାମାଜିକ ସମୀକ୍ଷା ବୈଠକରେ ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଆହୁରି ପାଣ୍ଠି ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଯାହାକି ସେଠାରେ ଉପସ୍ଥିତ ଥିବା ଅନ୍ୟ ଅଧିକାରୀମାନଙ୍କର ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର