ରବି ନନ୍ଦଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ: କଂଗ୍ରେସ

ଭୁବନେଶ୍ବର : କୋରାପୁଟ ଜିଲ୍ଲା ଜୟପୁରଠାରେ ବିଜେଡି ଦଳର ନିର୍ବାଚନୀ ପ୍ରଚାରରେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଛୁଇଁ ଶପଥ କରି ବିଜେଡି ଦଳକୁ ଭୋଟ ଦେବାକୁ ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ କହିଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମନ୍ଦିର ଯାଇ ପୂଜା କରିଛନ୍ତି ଓ ପୂଜା ପରେ ଆଜ୍ଞାମାଳ ଏଠାକୁ ପଠାଇଥିବା ଶ୍ରୀ ନନ୍ଦ ନିର୍ବାଚନୀ ସଭାରେ ଭାଷଣ ଦେଉଥିବାର ଭିଡିଓ ରହିଛି। ଶ୍ରୀଜଗନ୍ନାଥଙ୍କ ଦ୍ବାହି ଦେଇ ଧର୍ମୀୟ ଭାବନାର କୁଠାରଘାତ କରିଥିବା ଶ୍ରୀ ନନ୍ଦଙ୍କ ବିରୋଧରେ ପୌଜଦାରୀ ମାମଲା ରୁଜୁ କରିବା ସହିତ ଗିରଫ କରିବାକୁ ଦାବି କରିଛି ରାଜ୍ୟ କଂଗ୍ରେସ।

ବୁଧବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ମିଥ୍ୟା ପ୍ରଚାର କରିଥିବା ବିଜେଡି ନେତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ କରାଯିବ ତାହାକୁ ସମସ୍ତେ ଚାହିଁ ରହିଛନ୍ତି।

ସେ ଆହୁରିମଧ୍ୟ କହିଛନ୍ତି ଯେ ଅତୀତରେ ବିଜେପି ଓ ପ୍ରଧାନମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି। ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ଲୋକସଭା ଓ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ କେବଳ ନିର୍ବାଚନୀ ଭାଷଣ ଦେଇଛନ୍ତି। କଂ‌ଗ୍ରେସ ବିରୋଧରେ ବିଷୋଦଗାର କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ମାତ୍ର ସାଢ଼େ ୪କୋଟି ଓଡ଼ିଆଙ୍କ ନାର୍ଯ୍ୟଦାବିରେ ବିଜେପି ସରକାର ବିଫଳ। ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଅଦାନି ହାତରେ ଟେକିଦେବା, ନୀଳାଚଳ ଇସ୍ପାତ ନିଗମ ବିକ୍ରି, ଭୁବନେଶ୍ବରର ବିଶ୍ବସ୍ତରୀୟ ରେଳ ଷ୍ଟେସନର ପାଇଁ କୌଣସି ଅର୍ଥ ବ୍ୟୟବରାଦ ନ ହେwବା, ୪୮୦ କି.ମିର କୋଷ୍ଟାଲ ହାଇୱେ ଭଳି ପ୍ରସଙ୍ଗରେ ବିଜେପି ଉତ୍ତର ଦେବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର